ବନ୍ୟାରେ ନଦୀବନ୍ଧରେ ଘାଇ: ନଷ୍ଟ କରୁଛି ଚାଷ ଜମି

ବନ୍ୟାରେ ନଦୀବନ୍ଧରେ ଘାଇ: ନଷ୍ଟ କରୁଛି ଚାଷ ଜମି

.newindianexpress.com

ବ୍ରହ୍ମବରଦା: ବନ୍ୟାରେ ନଦୀବନ୍ଧରେ ଘାଇ ସୃଷ୍ଟିହୋଇ ନଷ୍ଟ କରୁଛି ଚାଷ ଜମି। ବନ୍ୟାପାଣି ମାଡ଼ିଯାଇ ହଜାରହଜାର ଏକର ଚାଷଜମି ବାଲିଚର ହୋଇଯାଇଛି। ଜଳସେଚନ ବିଭାଗର ଖାମଖିଆଲି ନୀତିରୁ ଏପରି ହୋଇଛି ବୋଲି ଚାଷୀମାନେ ଅଭିଯୋଗ କରୁଛନ୍ତି। ଯାଜପୁର ବ୍ଲକ୍‌ ଝାଲପଡ଼ା ଓ ରୁଦ୍ରପୁର ପଞ୍ଚାୟତରେ ଏପରି ଅଭିଯୋଗ ଦେଖିବାକୁ ମିଳିଛି। ଗତ ୨୦୨୦ ବନ୍ୟାରେ ଝାଲପଡ଼ା-କାକୁଡ଼ିକୁଦ ନଦୀବନ୍ଧରେ ଘାଇ ସୃଷ୍ଟିହୋଇ ପ୍ରାୟ ଶହେ ଏକର ଚାଷଜମି ବାଲିଚର ହୋଇଯାଇଥିଲା। କେତେକ ଚାଷଜମିରୁ ମାଟି ଧୋଇଯାଇ ପୋଖରୀରେ ପରିଣତ ହୋଇଥିଲା। ସେହିପରି ରୁଦ୍ରପୁର ପଞ୍ଚାୟତ ଖଜୁରୀପାଳ ଠାରେ ସୃଷ୍ଟି ହୋଇଥିବା ଘାଇ ଯୋଗୁଁ ୩ ଶହ ଏକରରୁ ଅଧିକ ଚାଷଜମି ବାଲିଚର ହୋଇଥିଲା। ଏହାବ୍ୟତୀତ ୨୦୧୧ ମସିହାରେ ସେହି ଖଜୁରୀପାଳ ନିକଟରେ ଘାଇ ହୋଇ ୫ଶହ ଏକରରୁ ଅଧିକ ଚାଷଜମି ନଷ୍ଟ ହୋଇଥିଲା। ଏହି ଜମିଗୁଡ଼ିକ ଏବେ ଗୋଚରରେ ପରିଣତ ହୋଇଛି। ଚାଷ କାର୍ଯ୍ୟରେ ଲାଗି ପାରୁନାହିଁ। କୃଷି ବିଭାଗ କୌଣସି ପଦକ୍ଷେପ ନେଉନଥିବା ବେଳେ ଜିଲ୍ଲା ପ୍ରଶାସନ ମଧ୍ୟ ଚୁପ ହୋଇ ବସିଛି। ଫଳରେ କ୍ଷତିଗ୍ରସ୍ତ ଚାଷୀମାନେ ଚାଷ ଛାଡ଼ି ଦାଦନ ଖଟିବାକୁ ଯାଉଛନ୍ତି। ଗୋଳକୁଣ୍ତ, ନୀଳକଣ୍ଠପୁର, ମେଣ୍ଢ, ବଣୁଆସାହି, ରାହୁଳସାହି, ଗେଡ଼ି ସାହି, ଦଳେଇ ସାହି, କାକୁଡ଼ିକୁଦ ଆଜି ଗ୍ରାମର ଚାଷୀମାନଙ୍କ ନାମରେ ଏହି ବାଲିଚର ଜମି ରହିଛି।

ପୂର୍ବରୁ ଏହି ଜମିରେ ବାଦାମ, ଆଳୁ, ପିଆଜ, କଖାରୁ, ମାଣ୍ଡିଆ ଓ ପନିପରିବା ହେଉଥିଲା। ଏବେ ସେହି ଜମି ତଣ୍ତିବଣରେ ପରିଣତ ହୋଇଛି। ଗୋରୁଗାଈ, ଛେଳିମେଣ୍ତା ଓ ଘୁଷୁରିଙ୍କ ପାଇଁ ଏହା ଚାରଣ ଭୂମି ପାଲଟିଛି। ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଦୁଇଥର ଏହି କ୍ଷତିଗ୍ରସ୍ତ ଜମିକୁ ଦେଖି ଫେରିଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ। ଜିଲ୍ଲା ପ୍ରଶାସନ ଓ କୃଷି ବିଭାଗ ଏହି ବାଲିଚର ଜମିର ପୁନଃଉଦ୍ଧାର ପାଇଁ ପଦକ୍ଷେପ ନେବାକୁ ସ୍ଥାନୀୟ ଅଞ୍ଚଳର ଚାଷୀ ପତିତପାବନ ଜେନା, ଭ୍ରମରବର ଜେନା, ଶିଶିର କୁମାର ଜେନା, ଦୀପକ କୁମାର ଜେନା, ମାଧବାନନ୍ଦ ସାହୁ, ଗୋକୁଳି ରାଉତ, ପ୍ରିୟନାଥ ରାଉତ, ବିପିନ ବାରିକ, ଅମର ବାରିକ, ବିରେନ ସାହୁ, ପ୍ରଶାନ୍ତ ପାଢ଼ୀ, ତପନ ବିଶ୍ବାଳ, ବନମାଳୀ ବାରିକ, କରୁଣା ସାହୁ, ଅବନି ବାରିକ, ଅରୁପ ନାୟକ, ଅଚ୍ୟୁତ ନାୟକ, ଘନଶ୍ୟାମ ଜେନା, ନରୋତ୍ତମ ଜେନା, ଅଶୋକ କୁମାର ଧଳ, ସତ୍ୟରଞ୍ଜନ ଜେନା, ରମେଶ ଚନ୍ଦ୍ର ସାହୁ, ନତ୍ୟାନନ୍ଦ ବାରିକ, କୃପାସିନ୍ଧୁ ସାହୁ, କାର୍ତ୍ତିକ ସାହୁ, ନିରଂଜନ ସାହୁ, ସୁବାସ ମହାରଣା ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe