କାଳିଆପାଣି(ରବି ନାରାୟଣ କର): ବିବାହିତା ଝିଅ ବାପଘର ଆସିବାକୁ ଗୋଡ଼କାଢ଼ି ବସୁଥିବା ସ୍ଥଳେ ଗାଁର ବୋହୂ ଦାମୋଦରପୁର ଛାଡ଼ିବାକୁ ଇଛା କରନ୍ତି ନାହିଁ। ଯାଜପୁର ଜିଲ୍ଲାରେ ଲକ୍ଷ୍ମୀପୂଜା ଆୟୋଜନରେ ସ୍ବତନ୍ତ୍ରତା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବାରେ ସୁକିନ୍ଦା ବ୍ଲକ ଦୁଧୁଯୋରୀ ପଞ୍ଚାୟତ ଦାମୋଦରପୁର ଗାଁରେ ୫୪ ବର୍ଷ ଧରି ସୁନାମ ଅକ୍ଷୁଣ୍ଣ ରହିଛି। ୧୯୭୨ ମସିହାରେ ତତ୍କାଳୀନ ସରପଞ୍ଚ ତଥା ଗାଁର ସର୍ବମାନ୍ୟ ମୁଖିଆ ସ୍ବର୍ଗତ ମୁରଲୀଧର ଶତପଥୀଙ୍କ ଉଦ୍ୟମରେ ରାଧାକାନ୍ତ ମଣ୍ଡପରେ ଶୁଭାରମ୍ଭ ହୋଇଥିବା ମହାଲକ୍ଷ୍ମୀ ପୂଜା ଏବେ ଗାଁର ୪ ପ୍ରମୁଖ ସାହିକୁ ବିସ୍ତାରିତ ହୋଇଛି ବୋଲି କୁହିକା ଉଚ୍ଚ ମାଧ୍ୟମିକ ସ୍କୁଲର ଅବସରପ୍ରାପ୍ତ ଅଧ୍ୟକ୍ଷା ଅନ୍ନପୂର୍ଣ୍ଣା ଶତପଥୀ କୁହନ୍ତି।
ଅନୁଷ୍ଠାନିକ ସଦସ୍ୟତା ଭିତ୍ତିରେ ସ୍ବଇଛାରେ ଦାନକୁ ନେଇ ଆୟୋଜିତ ହୋଇଆସୁଥିବା ପୂଜାରେ ଭାଇଚାରାର ନିଦର୍ଶନ ରହିଥିବା କହନ୍ତି ସୁକିନ୍ଦା କଲେଜ୍ର ଅବସରପ୍ରାପ୍ତ ଅଧ୍ୟକ୍ଷ କୃଷ୍ଣ ବଲ୍ଲଭ ଶତପଥୀ। ନିର୍ବାଚନ ଓ ରାଜନୀତିକୁ ନେଇ ବିଭିନ୍ନ ସମୟରେ ଗାଁର ଏକାଧିକ ଗୋଷ୍ଠୀ ମଧ୍ୟରେ ମତାନ୍ତର ରହିଥିଲେ ହେଁ ଲକ୍ଷ୍ମୀପୂଜାରେ ‘ମଇଁଷି ଶିଙ୍ଗ ଫଟା, ଯୁଝିଲା ବେଳକୁ ଗୋଟା’ ବୋଲି ବ୍ୟବସାୟୀ ତଥା ସମାଜସେବୀ ମନୋରଞ୍ଜନ ଶତପଥୀ କହନ୍ତି।
ପାଖାପାଖି ସାଢ଼େ ୩ ହଜାର ଲୋକସଂଖ୍ୟାକୁ ନେଇ ଗତ କିଛିବର୍ଷ ଧରି ବ୍ରାହ୍ମଣସାହି, ଗୋପାଳସାହି, ବରାଳସାହି ଓ କୁମ୍ଭାରସାହିର ୪ ପୃଥକ ମଣ୍ଡପରେ ଧନଦେବୀ ମା’ମହାଲକ୍ଷ୍ମୀଙ୍କ ପୂଜୋତ୍ସବ ୭ ଦିନ ଧରି ଅନୁଷ୍ଠିତ ହୋଇଆସୁଛି। ଏହି ସମୟରେ ଗାଁରେ ଆମିଷ ଭକ୍ଷଣ ଉପରେ ନିଷେଧାଜ୍ଞାକୁ ଲୋକେ ଆନ୍ତରିକ ଭାବେ ପାଳନ କରିଥାନ୍ତି। ସପ୍ତାହବ୍ୟାପୀ ପୂଜାର ଗୁରୁବାର ଦିନ ମାଆଙ୍କ ବଡ଼ପୂଜା ହୋଇଥାଏ। ଭକ୍ତ ଓ ଶ୍ରଦ୍ଧାଳୁମାନେ ଧାଡ଼ିରେ ଆସି ଦର୍ଶନ ଓ ପୂଜା କରିଥାନ୍ତି।
ସାଧାରଣରେ ମନୋରଞ୍ଜନ ପାଇଁ କଣ୍ଟିମଡ଼ାସାହି, ପାତ୍ରସାହି, ଦେହୁରୀସାହି, ତଇଲାସାହି ଓ ସାପକାମୁଡ଼ାସାହି ପକ୍ଷରୁ ସାଂପ୍ରତିକ ଓ ସତ୍ୟ ଘଟଣାବଳୀ, ପୁରାଣ ଓ ଇତିହାସ ଆଧାରରେ ପ୍ରସ୍ତୁତ ବାରୁଆଳି ଓ ପାର୍ଶ୍ବମେଢ଼ ପୂଜାକୁ ଅଧିକ ଆକର୍ଷଣୀୟ କରିଆସିଛି। ଗାଁର ସବୁ ପ୍ରବେଶ ପଥରେ ଅସ୍ଥାୟୀ ଫାଟକ ଓ ସୁନ୍ଦର ମେଢ଼ ସାଙ୍ଗକୁ ସୁଦୃଶ୍ୟ ତୋରଣ ଓ ଆଲୋକମାଳା ଏବଂ ମିନାବଜାର, ବିଭିନ୍ନ ଦୋଳି ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ଗାଁରେ ସହରର ଭ୍ରମ ସୃଷ୍ଟି କରୁଛି। ପୂଜାର ବିଶେଷ ଆକର୍ଷଣ ପାଇଁ ଜିଲ୍ଲା, ରାଜ୍ୟ ତଥା ଦେଶ ବାହାରେ ରହୁଥିବା ବ୍ୟକ୍ତିବିଶେଷ ଗାଁକୁ ଫେରି ଆସିଥାନ୍ତି। ସଂଧ୍ୟାରେ ଆଖପାଖ ୧୦ ପଞ୍ଚାୟତ ଓ ପଡ଼ୋଶୀ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ୫ ପଞ୍ଚାୟତରୁ ଶହଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ଦର୍ଶକ ଦାମୋଦରପୁର ଗାଁକୁ ଛୁଟି ଆସୁଥିବା ଦେଖାଯାଏ।
ସମବାୟ ମନ୍ତ୍ରୀ ଡ. ପ୍ରଦୀପ ବଳସାମନ୍ତ, ପୂର୍ବତନ ମନ୍ତ୍ରୀ ଡ. ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ଓ ଇଂ ପ୍ରୀତିରଞ୍ଜନ ଘଡ଼ାଇ ପୂଜା ବୁଲି ଆସିଥାନ୍ତି। ଶାନ୍ତିକମିଟି ପରାମର୍ଶରେ ପରିଚାଳିତ ପୂଜା ଓ ଭସାଣି ଗାଁର ବାର୍ଷିକଉତ୍ସବ ଭଳି ପ୍ରତୀୟମାନ ହୋଇଆସିଥିବାରୁ ପୁଲିସ ଏଠାରେ ଆଗ୍ରହର ସହ ଡ୍ୟୁଟି କରୁଥିବା କହନ୍ତି ସୁକିନ୍ଦା ଥାନା ଅଧିକାରୀ ବିଲ୍ବ ମଙ୍ଗଳ ସେଠୀ।
Jajpur
Follow Us