ପ୍ରେମ ବିବାହ କରିଥିବା ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ

ପ୍ରେମ ବିବାହ କରିଥିବା ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ

ଦଶରଥପୁର : ଦଶରଥପୁର ବ୍ଲକ୍ ତଥା ମଙ୍ଗଳପୁର ଥାନା ମଲ୍ଲିକାପୁର ପଞ୍ଚାୟତ ଦାଣ୍ଡିସାହି ଗ୍ରାମର ଜଣେ ନବବଧୂଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ପୁଲିସ ମୃତ ମହିଳାଙ୍କ ସ୍ୱାମୀଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି।

ସୂଚନା ମୁତାବକ, ଦାଣ୍ଡିସାହି ଗ୍ରାମର ଗୌତମ ପଣ୍ଡାଙ୍କ ଝିଅ ରଶ୍ମିତା(୧୯) ସେହି ଗ୍ରାମର ନାରାୟଣ ପତିଙ୍କ ପୁଅ ମୃତ୍ୟୁଞ୍ଜୟଙ୍କୁ ଭଲ ପାଉଥିଲେ। ଉଭୟ ବିବାହ କରିବାକୁ ସ୍ଥିର କରିଥିବା ବେଳେ ମୃତ୍ୟୁଞ୍ଜୟଙ୍କ ପରିବାର ସେମାନଙ୍କ ନିଷ୍ପତ୍ତିରେ ଅରାଜି ଥିଲେ। ହେଲେ ମୃତ୍ୟୁଞ୍ଜୟ ତାଙ୍କ ବାପା ନାରାୟଣଙ୍କୁ ବହୁ ବୁଝାସୁଝା କରିବା ପରେ ଗତ ୬ ମାସ ତଳେ ଉଭୟଙ୍କ ବିବାହ ହୋଇଥିଲା। ବିବାହର କିଛିଦିନ ପରେ ବାପ ଘରୁ ଯୌତୁକ ଟଙ୍କା ଆଣିବା ପାଇଁ ମୃତ୍ୟୁଞ୍ଜୟଙ୍କ ପରିବାର ପକ୍ଷରୁ ରଶ୍ମିତାଙ୍କ ଉପରେ ଚାପ ପକାଯାଇଥିଲା। ମୃତ୍ୟୁଞ୍ଜୟ ମଧ୍ୟ ପରିବାର ଲୋକଙ୍କ କଥାରେ ସାମିଲ ହୋଇଯାଇଥିଲେ। ଫଳରେ ରଶ୍ମିତା ଓ ମୃତ୍ୟୁଞ୍ଜୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା।

ମଙ୍ଗଳବାର ସକାଳେ ରଶ୍ମିତା ସଂକଟାପନ୍ନ ଅବସ୍ଥାରେ ମଙ୍ଗଳପୁରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ଖବର ପାଇ ଗୌତମ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ। ସେଠାରେ ଝିଅ ରଶ୍ମିତାର ମୃତ୍ୟୁ ହୋଇଥିବା ଦେଖିଥିଲେ। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ପାଇ ମଙ୍ଗଳପୁର ପୁଲିସ ପହଞ୍ଚି ଶବ ଜବତ କରିଥିଲା। ବ୍ୟବଚ୍ଛେଦ ପାଇଁ ମୃତଦେହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଥାନା କେସ୍‌ ନମ୍ବର ୨୧/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ମୃତ୍ୟୁଞ୍ଜୟଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ଘଟଣା ସମ୍ପର୍କରେ ଜଣାପଡ଼ିବ ବୋଲି ଥାନାଧିକାରୀ ଚିନ୍ମୟୀ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe