କାମରେ ଲାଗୁନି ଦେଉଳି ପାହାଡ଼ ଅତିଥିଶାଳା

କାମରେ ଲାଗୁନି ଦେଉଳି ପାହାଡ଼ ଅତିଥିଶାଳା

ଧର୍ମଶାଳା: ଧର୍ମଶାଳା ବ୍ଲକ୍ କୁମାରୀ ପଞ୍ଚାୟତର ବୌଦ୍ଧ କୀର୍ତ୍ତିରାଜି ସମ୍ପନ୍ନ ଦେଉଳି ପାହାଡ଼ ଉପରେ ଥିବା ଅତିଥିଶାଳା କାମରେ ଲାଗୁନି। ବ୍ୟବହାର ହେଉନଥିବାରୁ ଏହା ଏବେ ଭୂତକୋଠି ପାଲଟିଛି। ପ୍ରକୋଷ୍ଠ ଓ ଫାଟକରେ ତାଲା ଝୁଲୁଛି। ରକ୍ଷଣାବେକ୍ଷଣ ଅଭାବରୁ ଏହା ନିକଟରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ସୂଚନା ଅନୁସାରେ, ଦେଉଳି ପାହାଡ଼ରେ ଏକାଧିକ ବୌଦ୍ଧଯୁଗୀୟ ଗୁମ୍ଫା ସହିତ ଉତ୍କଳୀୟ ଶିଷ୍ୟ ଭଲ୍ଲିକ ବୁଦ୍ଧଦେବଙ୍କ ନଖ ଆଣି ଏଠାରେ ନଖସ୍ତୁପ ସ୍ଥାପନ କରିଥିବା କୀର୍ତ୍ତିରାଜି ରହିଛି। ଏକ ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ ଏଠାରେ ଥିବା ବୌଦ୍ଧ କୀର୍ତ୍ତିରାଜିର ବିକାଶ ସହିତ ପାହାଡ଼ ଶୀର୍ଷକୁ ଯିବାପାଇଁ ୧୦ବର୍ଷ ପୂର୍ବେ ଢଳେଇ ଓ ପିଚୁ ରାସ୍ତା ହୋଇଛି। ଉଦ୍ଦେଶ୍ୟ ଥିଲା ପର୍ଯ୍ୟଟକ ଏଠାରେ ଥିବା ବୌଦ୍ଧ କୀର୍ତ୍ତିରାଜି ବୁଲି ଦେଖିବା ସହ ବଣଭୋଜି କରି ପାରିବେ। ହେଲେ ଏହା ଲୋ‌କଙ୍କ କାମରେ ଲାଗିବା ପରିବର୍ତ୍ତେ ପୂର୍ବ ସରକାର ସମୟରେ କେତେକ ନେତା, ଠିକାଦାର ଓ ସରକାରୀ ଅଧିକାରୀଙ୍କ ମଜଲିସ୍‌ କେନ୍ଦ୍ର ପାଲଟିଥିଲା।

ସରକାର ବଦଳିବା ପରେ ଏଠାରେ ଆଉ ତାଲା ଖୋଲୁନଥିବା ଦେଖିବାକୁ ମିଳିଛି। ଏହି କୋଠା ଏବେ କାହା ଅଧୀନରେ ଅଛି ତାହା ମଧ୍ୟ ଜଣାପଡ଼ୁନାହିଁ। ନିକଟରେ ପ୍ରସିଦ୍ଧ ଶୈବପୀଠ ଗୋକର୍ଣ୍ଣେର ମନ୍ଦିର, ବ୍ରାହ୍ମଣୀ ନଦୀ ଓ ୧୬ନମ୍ବର ଜାତୀୟ ରାଜପଥ ରହିଛି। ଗମନାଗମନ ସୁବିଧା ଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ସହଜରେ ପାହାଡ଼ ଉପରକୁ ଯାଇପାରୁଛନ୍ତି। ଗ୍ରାମ୍ୟ ଉନ୍ନୟନ ଓ ପୂର୍ତ୍ତ ବିଭାଗ ପକ୍ଷରୁ ବିଭିନ୍ନ ପର୍ଯ୍ୟାୟରେ ଏକାଧିକ କୋଟି ଟଙ୍କା ଖର୍ଚ୍ଚ କରାଯାଇ ପାହାଡ଼ ଉପରକୁ ଢଳେଇ ଓ ପିଚୁରାସ୍ତା, ଅତିଥିଶାଳା ଏବଂ ୱାଚ୍ ଟାୱାର ନିର୍ମାଣ କରାଯାଇଛି। ହେଲେ ବିଦ୍ୟୁତ୍ ସଂଯୋଗ ଓ ପାଣି ବ୍ୟବସ୍ଥା ନଥିବାରୁ ଏସବୁ ଅବ୍ୟବହୃତ ଅବସ୍ଥାରେ ରହିଛି। ପରିଚାଳନା ବ୍ୟବସ୍ଥା ନଥିବାରୁ ଏଠାରେ ନାନାଦି ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି। ଅନେକ ସମୟରେ ଅସାମାଜିକ ଯୁବକ ପଇଁତରା ମାରୁଥିବାରୁ ମହିଳା ପର୍ଯ୍ୟଟକମାନେ ଏଠାରେ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି। କେହି ଯୁବକଯୁବତୀ ଆସିଲେ ଧମକ ଦିଆଯାଇ ସେମାନଙ୍କ ନିକଟରୁ ଟଙ୍କା ଆଦାୟ କରାଯାଉଛି।

ପାହାଡ଼ ବୁଲାଇବାକୁ କହି କିଛି ବର୍ଷ ପୂର୍ବେ ଏଠାରେ କୁଆଖିଆ ଥାନା ଅଞ୍ଚଳର ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ହତ୍ୟା କରିଥିଲା। ସେହିପରି ସ୍ଥାନୀୟ ଅଞ୍ଚଳର ଜଣେ ମହିଳାଙ୍କୁ ହତ୍ୟା କରାଯିବା ସହିତ ତାଙ୍କ ଝିଅଙ୍କୁ ଦୁଷ୍କର୍ମ କରାଯାଇଥିଲା। ଦେଉଳି ପାହାଡ଼କୁ ଲାଗିଥିବା ଦେଉଳିପାଳ ପାହାଡ଼ରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏପରିକି ଧର୍ମଶାଳା ଥାନା ଅଞ୍ଚଳରେ ଲୁଟ୍‌ପାଟ୍ ପାଇଁ ଡକାୟତମାନେ ଦେଉଳି ପାହାଡ଼ରେ ନକ୍ସା ପ୍ରସ୍ତୁତ କରୁଥିବା ବେଳେ ଏକାଧିକ ଥର ଧରାପଡ଼ିଛନ୍ତି। ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବେଳେ ଏହି ପ୍ରକଳ୍ପ ଏବେ ଅସୁରକ୍ଷିତ ହୋଇପଡ଼ିଛି। ପ୍ରକାଶ ଯେ ପାହାଡ଼ ସମ୍ମୁଖ ଭାଗକୁ ତାରବାଡ଼ ଦିଆଯାଇ ଘେରାବନ୍ଦୀ କରାଯିବ ଓ ପାଦଦେଶ ରାସ୍ତାରେ ଏକ ଫାଟକ କରାଯାଇ ଜଗୁଆଳୀ ବ୍ୟବସ୍ଥା ହେବ ବୋଲି ପୂର୍ବରୁ ଚିନ୍ତା କରାଯାଇଥିଲା। ହେଲେ ଏହା କାର୍ଯ୍ୟକାରୀ ହୋଇନାହିଁ। ଏହାର ଉନ୍ନତୀକରଣ ଓ ସୁରକ୍ଷା ପାଇଁ ଉଦ୍ୟମ କରାଗଲେ ବୌଦ୍ଧ ଧର୍ମାବଲମ୍ବୀଙ୍କ ସମେତ ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିପାରନ୍ତା ବୋଲି ଗବେଷକମାନେ ଆଶାବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe