ଯାଜପୁରଟାଉନ (ମନୋଜ ରାଉଳ): ଜିଲ୍ଲାରେ ଚାଷୀମାନଙ୍କରେ ମଣ୍ଡିରେ ଧାନ ଦେବାରେ ବହୁ ଅସୁବିଧା ହେଉଛି। ଚାଷୀମାନେ ବାରମ୍ବାର ସମାଧାନ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଓ ବିକ୍ଷୋଭ କରିଥିଲେ ମଧ୍ୟ ଏହାର କିଛି ଫଳ ମିଳିନାହିଁ। ତେଣୁ ଆଜି ଚାଷୀମାନେ ଯାଜପୁର ସହରର କିଆନାଳୀକୂଳ ହରିଣ ସମ୍ମୁଖ ତ୍ରିଛକି ରାସ୍ତାରେ ଆନ୍ଦୋଳନ କରିବା ସହ ରାସ୍ଥାରୋକ କରିଥିଲେ। ଯାଜପୁର, ଦଶରଥପୁର ଓ ବିଂଝାରପୁର ପଞ୍ଚାୟତ ସମିତି ଅଧୀନ ବିଭିନ୍ନ ଗ୍ରାମର ଚାଷୀମାନେ ୨୦୨୫-୨୬ ବର୍ଷର ଉତ୍ପାଦିତ ଧାନ ମଣ୍ଡିରେ ବିକ୍ରି କରିବା ପାଇଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ମଣ୍ଡିରେ ମିଲରମାନଙ୍କ ମନମାନି ଓ କଟ୍ନି ଛଟ୍ନି ବ୍ୟବସ୍ଥା ପାଇଁ କ୍ବିଣ୍ଟାଲରେ ୭ରୁ ୮ କିଗ୍ରା ଧାନ କଟାଯାଉଛି। ଏହାଦ୍ବାରା ଚାଷୀମାନେ ଧାନ ଦେବାରେ ବହୁ ଅସୁବିଧା ହେଉଛି। ଫଳରେ ଟୋକନ ସମୟସୀମା ମଧ୍ୟରେ ସମସ୍ତ ଧାନ ମଣ୍ଡିରୁ ଉଠିବା ସମ୍ଭବ ହେଉନାହିଁ।
ଏସମ୍ପର୍କରେ ଚାଷୀମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଜିଲ୍ଲାପାଳ କୌଣସି ପଦକ୍ଷେପ ନେଇନଥିବା ଚାଷୀମାନେ କହିଛନ୍ତି। ତେଣୁ ଆଜି ଚାଷୀମାନେ ଏକଜୁଟ ହୋଇ ସେମାନଙ୍କର ଦାବି ପୂରଣ ପାଇଁ ଆନ୍ଦୋଳନ କରିଥିଲେ। ଦାବିଗୁଡ଼ିକ ମଧ୍ୟରେ ମଣ୍ଡିରେ ମିଲରମାନଙ୍କର ଜୋରଜବରଦସ୍ତ ୭/୮ କିଗ୍ରା କଟ୍ନି ଛଟ୍ନି ବନ୍ଦ କରିବା, ଓଜନ ଠକେଇ ବନ୍ଦ କରିବା, ଚାଷୀମାନଙ୍କର ଟୋକନ ଅବଧି ସମୟ ସୀମା ୩୦ ଦିନକୁ ବୃଦ୍ଧି କରିବା, ଧାନ ମଣ୍ଡିରେ ଚଳିତ ବର୍ଷ ଝୋଟ ଅଖାରେ ଧାନ ନେବା ବ୍ୟବସ୍ଥାକୁ କୋହଳ କରିବା, ସରକାରଙ୍କ ନିୟମ ଅନୁଯାୟୀ ଗତବର୍ଷ ପରି ଚଳିତ ବର୍ଷ ୮ଶହ ଟଙ୍କା ବୋନସ ଓ ଏମଏସପି ୨୩୬୯ ଟଙ୍କାକୁ ମିଶାଇ ମୋଟ ୩୧୬୯ ଟଙ୍କା କ୍ବିଣ୍ଟାଲ ପିଛା ପ୍ରଦାନ କରିବା, ମଣ୍ଡିରେ ମିଲରମାନଙ୍କ ପକ୍ଷରୁ ସମୟସୀମା ମଧ୍ୟରେ ଦିନରେ ଧାନ ଯିବା ପାଇଁ ଟ୍ରକ୍ ଯୋଗାଇବା, ଆବଶ୍ୟକସ୍ଥଳେ ଅଧିକାରୀମାନଙ୍କ ନିୟମକୁ ଜିଲ୍ଲାରେ ଧାନ ମିଲ୍ର ମାଲିକମାନେ ମାନୁନାହାନ୍ତି। ସେଥିପାଇଁ ଅନ୍ୟ ଜିଲ୍ଲାର ଧାନ ମିଲ୍କୁ ଟ୍ୟାଗ କରିବା ପାଇଁ ଦାବି କରିଥିଲେ। ଯଦି ମଣ୍ଡିରୁ ଧାନ ଉଠିବା ସହ ଏହିଦାବି ଗୁଡ଼ିକ ଦୁଇଦିନ ମଧ୍ୟରେ ପୂରଣ ନହୁଏ ତେବେ ବିଭାଗୀୟ ଅଧିକାରୀଙ୍କ ବିରୋଧରେ ଉଚ୍ଚନ୍ୟାୟାଳୟର ଆଶ୍ରୟ ନେବେବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି।
ଚାଷୀ ଦିଗମ୍ବର କର, ଦୀନବନ୍ଧୁ ରାଉତ, ବିଜୟ ପଣ୍ଡା, ସିତେଶ କୁମାର ପଣ୍ଡା, ଦୀନକୁଷ୍ଣ ରାଉତ, କମଳାକାନ୍ତ ଦାସ, କ୍ଷୀରୋଧ ନାୟକ, ଶ୍ରୀଧର ସାହୁ, ପ୍ରଦୀପ କୁମାର ତ୍ରିପାଠୀ, ଭାଗୀରଥି ଦାସ, ରଂଜନ ସାହୁ, ଚନ୍ଦ୍ରନାରାୟଣ ସାହୁ, ଅକ୍ଷୟ କୁମାର ଦାସଙ୍କ ସମେତ ଶତାଧିକ ଚାଷୀ ଆନ୍ଦୋଳନ କରିବା ସହିତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।
Follow Us