କୋରେଇ : କୋରେଇ ଥାନା ଅନ୍ତର୍ଗତ ପୂର୍ବକୋଟ ତେଲଙ୍ଗା ବସ୍ତିରୁ ଗିରଫ ହୋଇଥିବା କୁଖ୍ୟାତ ଲୁଟେରାଙ୍କ ମାଷ୍ଟର ମାଇଣ୍ତକୁ ଆଜି କୋରେଇ ପୁଲିସ୍ ଗିରଫ କରିବାରେ ସଫଳ ହୋଇଛି। କୋରେଇ ଅଞ୍ଚଳରେ ବହୁଦିନ ଧରି ଚାଲିଥିବା ଲୁଟ୍ ଓ ରାହାଜାନି ଭଳି ଅପରାଧ ଘଟାଉଥିବା ଅଭିଯୁକ୍ତମାନେ ପୁଲିସ୍ ପାଇଁ ମୁଣ୍ତବ୍ୟଥାର କାରଣ ପାଲଟିଥିବା ବେଳେ ଦୁଇଦିନ ତଳେ କୋରେଇ ପୁଲିସ୍ ତେଲଙ୍ଗା ବସ୍ତିରୁ ୩ ଜଣ ଅଭିଯୁକ୍ତଙ୍କ ସମେତ ବିପୁଳ ପରିମାଣର ସୁନାରୁପା ଅଳଙ୍କାର ଓ ନଗଦ ଟଙ୍କା ଜବତ କରିବାରେ ସଫଳ ହୋଇଥିଲା। ହେଲେ ପୁଲିସ୍ ଚଢ଼ଉ ବେଳେ ଘଟଣାର ମାଷ୍ଟରମାଇଣ୍ତ ମାଇକେଲ ଆଞ୍ଜିନେଲୁ ଓ ତାର ପୁଅ ଆକାଶ ଆଞ୍ଜିଲେନୁ ପୁଲିସ୍ ପଞ୍ଝାରୁ ଖସି ପଳାଇଥିଲେ। ସେମାନଙ୍କୁ ଧରିବା ପାଇଁ କୋରେଇ ପୁଲିସ୍ ଗତ ଦୁଇଦିନ ଧରି ଜାଲ ବିଛାଇଥିବା ବେଳେ ଆଜି ସେମାନଙ୍କୁ ବ୍ୟାସନଗରସ୍ଥିତ ବ୍ୟାସସରୋବରରୁ ଗିରଫ କରିଛି।
ମାଇକେଲ ବାପ-ପୁଅ ବହୁଦିନ ଧରି କୋରେଇ ଏବଂ ଆଖପାଖ ଅଂଚଳରେ ବିଭିନ୍ନ ଚୋରି, ଡକାୟତି ଓ ରାହାଜାନି ଭଳି ଅପରାଧରେ ଜଡ଼ିତ ଥିବା ବେଳେ ସୁଦୂର ଗଞ୍ଜାମ ଜିଲ୍ଲାରୁ ବିଭିନ୍ନ ଅପରାଧୀଙ୍କୁ ଆଣି କୋରେଇ ଅଂଚଳରେ ଅପରାଧ ଭିଆଉଥିବା ପୁଲିସ୍ କହିଛି। ଏନେଇ କୋରେଇ ଥାନାଧିକାରୀ ରଂଜିତ ମହାନ୍ତି କହିଛନ୍ତି ଯେ, ଉଭୟ ବାପ-ପୁଅ ଅନେକ ଅପରାଧିକ ମାମଲାର ମାଷ୍ଟରମାଇଣ୍ତ ହୋଇଥିବା ବେଳେ ବିଶେଷ କରି ବାହାର ରାଜ୍ୟରୁ ଯୁବକ ମାନଙ୍କୁ ଆଣି କୋରେଇ ଅଂଚଳରେ ବିଭିନ୍ନ ଅପରାଧିକ ମାମଲାରେ ନିୟୋଜିତ କରିଥାନ୍ତି। ପରେ ସେମାନଙ୍କ ଠାରୁ ଲୁଟ୍ ସାମଗ୍ରୀ ଏବଂ ଟଙ୍କାର ଭାଗ ନେଇଥାନ୍ତି। ତେଣୁ ଉଭୟଙ୍କ ଗିରଫ ପରେ କୋରେଇ ଅଂଚଳରେ ଅପରାଧିକ ଗତିବିଧି କିଛି ମାତ୍ରାରେ କମ୍ ହୋଇପାରେ ବୋଲି ଶ୍ରୀ ମହାନ୍ତି ଆଶାବ୍ୟକ୍ତ କରିଛନ୍ତି। ପ୍ରକାଶ ଯେ, ଗତ ୨୧ ତାରିଖ ଦିନ କୋରେଇ ପୁଲିସ୍ ପୂର୍ବକୋଟ ଗ୍ରାମର ଅଲା ଶଙ୍କର ରାଓଙ୍କ ପୁଅ ଅଲ୍ଲା ଦାନବୀର ରାଓ, ମରିଗଡ଼ୁ କାୱାଡ଼ିଙ୍କ ପୁଅ କାଲି କାୱାଡ଼ ଏବଂ ଆନ୍ଧପ୍ରଦେଶ ଅଂଚଳର ଅଭୁଲା ପ୍ରସାଦଙ୍କ ପୁଅ ଅଭୁଲା ଦୁର୍ଗାପ୍ରସାଦକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଞ୍ଜିନେଲୁଙ୍କ ଘରୁ ୨୨୩.୩୦ ଗ୍ରାମର ସୁନା ଗହଣା, ୧୦୬୧.୩୪୦ ଗ୍ରାମ୍ ରୁପା ଗହଣା, ୩ ଲକ୍ଷ ୪ହଜାର ନଗଦ ଟଙ୍କା, ୭ଟି ପୋଷ୍ଟାଲ କାର୍ଡ, ୨ଟି ଏଟିଏମ୍ କାର୍ଡ, ୭ଟି ଆଧାର କାର୍ଡ ମିଳିଥିଲା। ପୁଲିସକୁ ଦେଖି ମାଇକେଲ୍ ଫେରାର ହୋଇଯାଇଥିବା ବେଳେ କୋରେଇ ଥାନା କେସ୍ ନଂ ୩୦୬/୨୦ ଦଫା ୩୭୯, ୪୧୧, ୪୧୨, ୪୧୩ ଓ ୩୪ରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା।
Follow Us