ପଟ୍ଟା ପାଇଁ ବର୍ଷବର୍ଷର ସଂଘର୍ଷ: ବାପା, ଜେଜେ ଅମଳର ଭିଟାମାଟିକୁ ନିଜର କରିବାକୁ ଏବେବି ଚାଲିଛି ସଂଗ୍ରାମ

ପଟ୍ଟା ପାଇଁ ବର୍ଷବର୍ଷର ସଂଘର୍ଷ: ବାପା, ଜେଜେ ଅମଳର ଭିଟାମାଟିକୁ ନିଜର କରିବାକୁ ଏବେବି ଚାଲିଛି ସଂଗ୍ରାମ

ଯାଜପୁର ସଦର: ଜମିପଟ୍ଟା ପାଇଁ ୬୬ଟି ଆଦିବାସୀ(ସାନ୍ତାଳ) ପରିବାର ବର୍ଷବର୍ଷ ହେଲା ସଂଘର୍ଷ କରୁଛନ୍ତି। ବାପା, ଜେଜେ ଅମଳର ଭିଟାମାଟିକୁ ନିଜର କରିବାକୁ ସଂଗ୍ରାମ କରୁଥିବା ବେଳେ ପ୍ରଶାସନ ସେମାନଙ୍କ ଦୁଃଖ ବୁଝୁନାହିଁ। ଫଳରେ ଅନେକ ଉଚ୍ଚ ଶିକ୍ଷିତ ଯୁବକଯୁବତୀ ପାଠପଢ଼ି ମଧ୍ୟ ନିଯୁକ୍ତି ପାଇପାରୁନଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ବ୍ୟାସନଗର ତହସିଲ ଅନ୍ତର୍ଗତ ପାଟରଙ୍ଗା ପଞ୍ଚାୟତ ଗୋହିରାଗାଡ଼ିଆ ଗ୍ରାମରେ ଶହେ ବର୍ଷରୁ ଅଧିକ ସମୟ ହେଲା ୬୬ଟି ଆଦିବାସୀ ପରିବାର ଜଙ୍ଗଲ ଜମି ଉପରେ ରହି ଆସୁଛନ୍ତି। ଯାଜପୁର-କେନ୍ଦୁଝର ସୀମାନ୍ତ ବରାଙ୍ଗ ଜଙ୍ଗଲ ଉପରେ ଏମାନେ ରହୁଥିବା ବେଳେ ଏହା ନିକଟରେ ଥିବା ଜଙ୍ଗଲ ଜମିକୁ ଚାଷଜମି ଭାବେ ବ୍ୟବହାର କରୁଛନ୍ତି। ହେଲେ ଏତେ ବର୍ଷ ପରେ ବି ସେମାନଙ୍କୁ ଘରଡିହ ପଟ୍ଟା ମିଳିପାରିନାହିଁ। ଫଳରେ ଏହି ଲୋକମାନେ ସରକାରୀ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି। ଜମିପଟ୍ଟା ନଥିବାରୁ ବ୍ୟାଙ୍କରୁ ଋଣ ମଧ୍ୟ ମିଳୁନାହିଁ। ଜମି ଚାଷ କରୁଥିଲେ ମଧ୍ୟ ଆବଶ୍ୟକ ସମୟରେ ଏହାକୁ ବିକ୍ରି କରିପାରୁନାହାନ୍ତି। ଅନ୍ୟପକ୍ଷରେ ଜମିପଟ୍ଟା ନଥିବାରୁ ଏହି ପରିବାରର ପିଲାମାନଙ୍କୁ ଜାତି କିମ୍ବା ବାସସ୍ଥାନ ପ୍ରମାଣପତ୍ର ମିଳୁନାହିଁ। ଫଳରେ ୩୦ରୁ ଅଧିକ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ନିଯୁକ୍ତି ବାଟ ବନ୍ଦ ହୋଇଯାଇଛି। ଏହାର ପ୍ରତିବାଦରେ ଆସିଥିବା ଉଚ୍ଚଶିକ୍ଷିତା ସୁନିତା ଟୁଡୁ ଓ ମାଳତୀ ଟୁଡୁ ପଟ୍ଟା ନଥିବାରୁ ସେମାନଙ୍କ ଭବିଷ୍ୟତ ନଷ୍ଟ ହେବାକୁ ଯାଉଛି ବୋଲି ଅଭିଯୋଗ କରିଛନ୍ତି। ଜଙ୍ଗଲ ଅଧିକାର ଆଇନ-୨୦୦୬  ଅନୁସାରେ, ଜଙ୍ଗଲ ଅଧିକାର କମିଟି ଗଠନ କରାଯାଇ ଗ୍ରାମସଭା ଜରିଆରେ ଡିହପଟ୍ଟା ପାଇଁ ଆଲୋଚନା ହୋଇଛି। କମିଟି ପକ୍ଷରୁ ପ୍ରତ୍ୟେକ ପରିବାରକୁ ଘରଡିହ ପଟ୍ଟା ପ୍ରଦାନ ପାଇଁ ପ୍ରଶାସନକୁ ନିବେଦନ କରାଯାଇଛି। କିନ୍ତୁ ଯାଜପୁର ଜିଲ୍ଲା ପ୍ରଶାସନ ୪ ମାସ ହେଲା ଗ୍ରାମସଭା ଆବେଦନକୁ କାର୍ଯ୍ୟକାରୀ କରିବାକୁ ପଛଘୁଞ୍ଚା ଦେଉଛି।

ଜିଲ୍ଲା ମଙ୍ଗଳ ଅଧିକାରୀ, ବ୍ୟାସନଗର ତହସିଲଦାର ଓ ଯାଜପୁର ଉପଜିଲ୍ଲାପାଳଙ୍କ ମଧ୍ୟରେ ସମନ୍ବୟ ଅଭାବରୁ ଏହି ଆଦିବାସୀ ପରିବାର ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି। ଏହାର ପ୍ରତିବାଦରେ ଆଜି ଶତାଧିକ ଆଦିବାସୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ‌ରେ ପହଞ୍ଚି ନିଜ ଦାବି ଦୋହରାଇଥିଲେ। ପ୍ରଶାସନ ଘର ଡିହପଟ୍ଟା ପ୍ରଦାନ କରିବାରେ ବିଳମ୍ବ କଲେ ଶହଶହ ଆଦିବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି। ସିଭିଲ ସୋସାଇଟି ଫୋରମ୍‌ର ସମ୍ପାଦକ ବିଶ୍ବନାଥ ପାତ୍ରଙ୍କ ନେତୃତ୍ବରେ ଧନେଶ୍ବର ଟିସ୍‌କୁ, ଜଙ୍ଗଲ ଅଧିକାର କମିଟି ସଭାପତି ଚୂଡ଼ାମଣି ସୋରେନ, ସମ୍ପାଦକ ଡୁକୁର ସାମାଡ଼, ସାନ୍ତାଳ ସମାଜର ଧନେଶ୍ବର କିସ୍କୁ, ସାଲୁଖୀ କିସ୍କୁ, ବାସନ୍ତୀ ମାଝି, ଲକ୍ଷ୍ମୀ ମୁର୍ମୁ, ଡଲି କିସ୍କୁ ଓ ମୂଳ ନିବାସୀ ୟୁନାଇଟେଡ‌ ଫୋରମର ସୋମନାଥ ପାତ୍ରଙ୍କ ସମେତ ଶତାଧିକ ମହିଳା, ପୁରୁଷ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe