ଘରୋଇ କଳିରୁ ଉନ୍ମତ୍ତକାଣ୍ଡ : ଯୁବତୀଙ୍କୁ ଜିଅନ୍ତା ଜାଳିଦେଲେ!

Advertisment
ଘରୋଇ କଳିରୁ ଉନ୍ମତ୍ତକାଣ୍ଡ : ଯୁବତୀଙ୍କୁ ଜିଅନ୍ତା ଜାଳିଦେଲେ!

?

ଯାଜପୁର ସଦର : ଯାଜପୁର ବ୍ଲକ୍‌ ବିଚିତ୍ରପୁର ପଞ୍ଚାୟତ ବାଣପୁର ଗ୍ରାମରେ ଆଜି ଘରୋଇ କଳି ଉଗ୍ରରୂପ ନେଇଛି। ଭିଣୋଇ ନିଜ ଶାଳକଙ୍କ ଘରେ ନିଆଁ ଲଗାଇଦେଇଛନ୍ତି। ଫଳରେ, ଜଣେ ଯୁବତୀ ଜିଅନ୍ତା ଜଳି ଯାଇଥିବାବେଳେ ତାଙ୍କ ଭାଇ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

ଅଭିଯୋଗ ଅନୁସାରେ, ବାଣପୁର ଗ୍ରାମର ନିତ୍ୟାନନ୍ଦ ଜେନା ଓ ତାଙ୍କ ଭିଣୋଇ ସୁଶାନ୍ତ ଜେନାଙ୍କ ମଧ୍ୟରେ ଜମିବାଡ଼ିକୁ ନେଇ ବିବାଦ ଲାଗିରହିଥିଲା। ପାଖାପାଖି ରହୁଥିଲେ ମଧ୍ୟ ପରସ୍ପର ମଧ୍ୟରେ ଶତ୍ରୁତା ଆଚରଣ କରୁଥିଲେ। ଆଜି ଘର ଛପରକୁ କେନ୍ଦ୍ରକରି ବିବାଦ ଉଗ୍ରରୂପ ଧାରଣ କରିଥିଲା। ଛପର କଲେ ଘର ଜାଳିଦେବେ ବୋଲି ସୁଶାନ୍ତ ଧମକ ଦେଇଥିଲେ। । ନିତ୍ୟାନନ୍ଦ କାମକୁ ଯାଇଥିଲା ବେଳେ ପ୍ରାୟ ସାଢ଼େ ୩ଟା ବେଳେ ଭିଣୋଇ ସୁଶାନ୍ତ ତାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ଫଳରେ, ଘରେ ଥିବା ତାଙ୍କର ଝିଅ ସ୍ମିତାରାଣୀ ଜେନା(୧୮) ନିଆଁରେ ପୋଡ଼ି ହୋଇ ମୃତ୍ୟୁବରଣ କରିଛନ୍ତି। ପୁଅ  ପ୍ରଭାତ ଜେନା(୨୨) ଗୁରୁତର ଆହତ ହୋଇ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି। ଏହି ଅଗ୍ନିକାଣ୍ଡରେ ନିତ୍ୟାନନ୍ଦଙ୍କ ୬ ବଖରା ଘର ସମେତ ଆସବାବପତ୍ର, ଝିଅ ବାହାଘର ପାଇଁ ରଖିଥିବା ସୁନାଗହଣା, ଲକ୍ଷାଧିକ ଟଙ୍କା ଓ ଧାନଚାଉଳ ପୋଡି ପାଉଁଶ ହୋଇଯାଇଛି। ମୃତ ସ୍ମିତା ସ୍ଥାନୀୟ ବିରଜା ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ କଳା ବିଭାଗରେ ପାଠ ପଢ଼ୁଥିଲେ।

ଖବର ଲେଖା ହେବା ପର୍ଯ୍ୟନ୍ତ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଏସଂପର୍କରେ ଟାଉନ ଥାନା ଅଧିକାରୀ ମାନସରଂଜନ ଚକ୍ର କହିଛନ୍ତି ଯେ ଏଯାବତ୍‌(ରିିପୋର୍ଟ ଲେଖାହେବା ପର୍ଯ୍ୟନ୍ତ) କୌଣସି ଅଭିଯୋଗ ହୋଇନାହିଁ।   ଯଦି ନିତ୍ୟାନନ୍ଦ ଅଭିଯୋଗ ନ କରନ୍ତି, ତେବେ ପୁଲିସ ନିଜ ଆଡ଼ୁ ମାମଲା ରୁଜୁ କରି ତଦନ୍ତ କରିବ ବୋଲି ସେ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe