କାଳିଆପାଣି: ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ଆଜି ସୁକିନ୍ଦା ବ୍ଲକ କାଙ୍କଡ଼ପାଳ ନେତାଜୀ ନୋଡାଲ ଉପ୍ରା ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ୩୦ ମିନିଟ୍‌ ଧରି ଆଭାସୀ ଆଲୋଚନା କରିଥିଲେ। ଚଳିତବର୍ଷ ପ୍ରଦୂଷଣର ମାତ୍ରା ରେକର୍ଡ ସ୍ତରକୁ ଛୁଇଁବା ଓ ସକାଳ ୧୦ଟା ପର୍ଯ୍ୟନ୍ତ ଘନ କୁଡୁଡ଼ିର ଆସ୍ତରଣ ବଳବତ୍ତର ରହିବା ପରିପ୍ରେକ୍ଷୀରେ ଗାଁର ଯୁବଚାଷୀ ଶ୍ରୀଗଣେଶ ଯୁବକସଂଘ ସଂଯୋଜକ ନରେଶ ଚନ୍ଦ୍ର ପ୍ରଧାନଙ୍କ ସହ ପ୍ରାରମ୍ଭିକ ଆଲୋଚନା କରିଥିଲେ।

Advertisment

ଛାତ୍ରଛାତ୍ରୀଙ୍କ ଆଗ୍ରହକୁ ଦେଖି ନିର୍ଦ୍ଦେଶିକା ଶ୍ରୀମତୀ ମହାନ୍ତି ଭିଡିଓ କଲିଂରେ ପିଲାମାନଙ୍କ ସହ ଯୋଡ଼ି ହୋଇଥିଲେ। ସପ୍ତମଶ୍ରେଣୀ ଛାତ୍ରୀ ସୋନମ୍‌ ନାୟକ କୁହୁଡ଼ିର କାରଣ ଓ ସାବଧାନତା ପ୍ରଶ୍ନ କରିଥିଲେ। ସହପାଠୀ ଅଶ୍ବଜିତ ସାମଲ, ରାଜସ୍ମିତା ପରିଡ଼ା ଓ ଖୁସି ନାୟକ ଚଳିତବର୍ଷର ଶୀତ ଓ କୋହଲା ପାଗ ରେକର୍ଡ ଭାଙ୍ଗିବା ସହ ଗାଁର ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରି ସେଲସି୍ଅସ ହେବା ସଂପର୍କରେ ସୂଚନା ଦେଇଥିଲେ। କୁହୁଡ଼ି କାହିଁକି ଓ କେମିତି ସୃଷ୍ଟି ହୁଏ, କୁହୁଡ଼ିର ବିଭକ୍ତୀକରଣ, କୁହୁଡ଼ିର ମାପ ଓ ଏକକ, ଅନ୍ୟ ଋତୁ ଅପେକ୍ଷା ଶୀତଋତୁରେ କାହିଁକି ଅଧିକ କୁହୁଡ଼ି ଦେଖାଯାଏ, କୁହୁଡ଼ି କ’ଣ ବାୟୁ ପ୍ରଦୂଷଣର ସତର୍କ ଘଣ୍ଟି କି.?, ସହର ଓ ଗାଁ ମଧ୍ୟରେ କୁହୁଡ଼ିର ବିଭେଦ କାହିଁକି ପ୍ରଶ୍ନ ଆଧାରରେ ନିର୍ଦ୍ଦେଶିକା ଶ୍ରୀମତୀ ମହାନ୍ତି ପିଲାଙ୍କୁ ସରଳ ଭାବେ ବୁଝାଇଥିଲେ।

ଆହୁରି ପଢ଼ନ୍ତୁ: Demand: ଏମଭି-୨୬ ଗ୍ରାମବାସୀଙ୍କୁ ୩୦ କୋଟିର କ୍ଷତିପୂରଣ ଦାବି

କୁହୁଡ଼ି ପାଇଁ ଦୃଶ୍ୟମାନତା ୨୦ମିଟର

ଆଜି ସୂର୍ଯ୍ୟ ଉଦୟ ପରେ ସକାଳ ୭ଟା ପର୍ଯ୍ୟନ୍ତି କୁହୁଡ଼ି ପାଇଁ ଦୃଶ୍ୟମାନ ଦୂରତା ୨୦ ମିଟରରୁ କମ୍‌ ରହିବା ପରିପ୍ରେକ୍ଷୀରେ ଟର୍ଚ୍ଚ ଦେଖାଇ ଓ ଦଳବଦ୍ଧ ହୋଇ ରାସ୍ତା ଅତିକ୍ରମ ଭଳି ସତର୍କତା ଅବଲମ୍ବନ ପାଇଁ ସେ ପରାମର୍ଶ ଦେଇଥିଲେ। ଏବର୍ଷ ଶୀତ ଫେବ୍ରୁଆରି ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ସେ ଆଗୁଆ ସୂଚନା ଦେଇଥିଲେ। ବାହ୍ୟ ଭ୍ରମଣରେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ବୁଲି ଆସିବାକୁ ସେ ଛାତ୍ରଛାତ୍ରୀଙ୍କୁ ନିମନ୍ତ୍ରଣ କରିଥିଲେ। ଏହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଉତ୍ସାହ ଦେଖାଯାଇଛି। ପ୍ରଧାନଶିକ୍ଷକ ରବୀନ୍ଦ୍ରନାଥ ଦେହୁରୀ, ପ୍ରହଲାଦ ମହାନ୍ତ ଓ ଶିକ୍ଷୟିତ୍ରୀ ନିରୁପମା ସାହୁ ସହଯୋଗ କରିଥିଲେ। ପାଣିପାଗ ନିର୍ଦ୍ଦେଶକ ଓ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଫଳପ୍ରଦ ଆଭାସୀ ଆଲୋଚନା ଜିଲ୍ଲାରେ ପ୍ରଥମ ଘଟଣା‌ ବୋଲି କୁହାଯାଇଛି।   

ଆହୁରି ପଢ଼ନ୍ତୁ: Union Budget : ଏଥର ରବିବାର ଉପସ୍ଥାପନ ହେବ ବଜେଟ୍ ?