ଯୁବତୀଙ୍କୁ ଅସଦାଚରଣ ମାମଲା: ୨ ଗିରଫ

Advertisment
ମହିଳାଙ୍କୁ ଦୁର୍ବ୍ୟବହାର ମାମଲା, ଖୁଲମଖୁଲା ବୁଲୁଛନ୍ତି ଅଭିଯୁକ୍ତ

ବାରବାଟୀ : କୁଆଖିଆ ଥାନା ଅନ୍ତର୍ଗତ ଟିକରପଡ଼ା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଅସଦାଚରଣ ମାମଲାରେ ଦୁଇ ଅଭିଯୁକ୍ତକୁ ପୁଲିସ୍‌ ଗିରଫ କରିଛି। ଗତ ମାର୍ଚ୍ଚ ମାସରେ ହୋଇଥିବା ଏହି ଘଟଣାରେ ଆଜି ପୁଲିସ୍‌ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟଜଣେ ଅଭିଯୁକ୍ତ ଫେରାର୍‌ ହୋଇଯାଇଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଟିକରପଡ଼ା ଗ୍ରାମର ପ୍ରଦୀପ୍ତ ସେଠୀଙ୍କ ପୁଅ ବିରଞ୍ଚି(୨୦) ଓ କରୁଣାକର ରାଉତଙ୍କ ପୁଅ ସୁଶାନ୍ତ(୩୨)। ମାର୍ଚ୍ଚ ମାସ ୨୨ ତାରିଖରେ ଏହି ଥାନା ଅନ୍ତର୍ଗତ ଶ୍ରୀବନ୍ତପୁର ପଞ୍ଚାୟତ ଭଗୀରଥପୁର ଗ୍ରାମରେ ହେଉଥିବା ଏକ ମେଲୋଡ଼ି କାର୍ଯ୍ୟକ୍ରମରେ ଭାଗନେବା ପାଇଁ ଯୁବତୀଜଣକ ଯାଇଥିଲେ। କାର୍ଯ୍ୟକ୍ରମ ସରିବା ପରେ ଅଭିଯୁକ୍ତ ବିରଞ୍ଚି ଯୁବତୀଙ୍କୁ ତାଙ୍କ ଘରେ ଛାଡ଼ି ଦେବା ପାଇଁ କହିଥିଲେ। ହେଲେ ଏଥିରେ ଯୁବତୀ ଜଣକ ରାଜି ନହେବାରୁ ଅଭିଯୁକ୍ତ ବିରଞ୍ଚି, ସୁଶାନ୍ତ ଓ ଅନ୍ୟ ଜଣେ ଯୁବକ ଅଶୋକ ଦାସ ସେଠାରୁ ଚାଲିଆସି ଟିକରପଡ଼ା ଗାଁ ମୁଣ୍ଡରେ ଜଗି ରହିଥିଲେ।

ଅନ୍ୟ ଜଣେ ସମ୍ପର୍କୀୟ ଧର୍ମଶାଳା ଥାନା ଅନ୍ତର୍ଗତ ବାରବାଟୀ ଗ୍ରାମର ସଂଜୟ ମହାନ୍ତିଙ୍କ ସହ ଯୁବତୀ ଜଣକ ଘରକୁ ଫେରୁଥିବା ବେଳେ ଜଗିରହିଥିବା ଅଭିଯୁକ୍ତମାନେ ତାଙ୍କୁ ଅଟକାଇ ଟଣାଓଟରା କରିଥିଲେ। ଅଭିଯୁକ୍ତମାନେ ତାଙ୍କୁ କାବୁ କରିବାକୁ ଚେଷ୍ଟା କରୁଥିବା ବେଳେ ଯୁବତୀ ଜଣକ ଜଣେ ଅଭିଯୁକ୍ତକୁ କାମୁଡ଼ି ଦେଇ ଖସି ପଳାଇ ଆସିଥିଲେ। ହେଲେ ତାଙ୍କ ସହ ଥିବା ସଂଜୟ ମହାନ୍ତିଙ୍କୁ ଅଭିଯୁକ୍ତମାନେ ନେଇ ଯାଇ ନଦୀ ପଠାରେ ପ୍ରବଳ ମାଡ଼ ମାରିବା ସହ ତାଙ୍କ ସୁନା ମୁଦି ଓ ଟଙ୍କା ଛଡ଼ାଇ ନେଇଥିଲେ। ଏନେଇ କୁଆଖିଆ ଥାନାରେ ଅଭିଯୋଗ ହେବା ପରେ ଥାନା କେସ୍‌ ନମ୍ବର ୫୫/୧୮ରେ ମାମଲା ରୁଜୁ ହୋଇଥିଲା। ହେଲେ ଅଭିଯୁକ୍ତମାନେ ଫେରାର୍‌ ହୋଇଯାଇଥିଲେ। ଗତକାଲି ଦୁଇ ଅଭିଯୁକ୍ତ ଘରେ ଥିବା ବେଳେ କୁଆଖିଆ ଥାନାଧିକାରୀ ମଧୁମିତା ମହାନ୍ତି ବିଳମ୍ବିତ ରାତିରେ ଚଢ଼ଉ କରି ବିରଞ୍ଚି ଓ ସୁଶାନ୍ତଙ୍କୁ ଗିରଫ କରିଥିଲେ। ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତ ଅଶୋକ ଫେରାର୍‌ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe