ଯୁବକଙ୍କୁ ଜାଳିଦେବା ଘଟଣାର ପର୍ଦ୍ଦାଫାସ୍‌ : ୫୦ଟଙ୍କା ପାଇଁ ମାରିଦେଲେ

Advertisment

ଅଟୋ ଡ୍ରାଇଭର ଗିରଫ, ସଂପର୍କୀୟ ଭାଇ ଫେରାର୍‌

ଅଟୋ ଡ୍ରାଇଭର ଗିରଫ, ସଂପର୍କୀୟ ଭାଇ ଫେରାର୍‌

ଯୁବକଙ୍କୁ ଜାଳିଦେବା ଘଟଣାର ପର୍ଦ୍ଦାଫାସ୍‌ : ୫୦ଟଙ୍କା ପାଇଁ ମାରିଦେଲେ

?

ଯାଜପୁରଟାଉନ/ସଦର : ଯୁବକଙ୍କୁ ହତ୍ୟାକରି ଜାଳିଦେବା ଘଟଣାର ପର୍ଦାଫାସ କରିଛି ପୁଲିସ। ମାତ୍ର ୫୦ ଟଙ୍କା ଅଟୋ ଭଡ଼ାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ପୁଲିସ ଘଟଣାରେ ସଂପୃକ୍ତ ଅଟୋ ଡ୍ରାଇଭର ଦୀପକ ପତିକୁ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ଆଉ ଜଣେ ଅଭିଯୁକ୍ତ ଫେରାର ଅଛି।

ସୂଚନା ଯୋଗ୍ୟ ୨୧ ତାରିଖ ବିଳମ୍ବିତ ରାତିରେ ଅବଦଲପୁର ଗ୍ରାମର ରବୀନ୍ଦ୍ର ନାୟକ ଗାଁକୁ ଯିବା ପାଇଁ ସିମିଳିଆ ଅଞ୍ଚଳର ଦୀପକ ପତିଙ୍କ ଅଟୋରେ ବସିଥିଲେ। ଉଭୟଙ୍କ ମଧ୍ୟରେ ୫୦ ଟଙ୍କା ଗାଡି ଭଡା ବାବଦକୁ କଥା ଛିଡିଥିଲା। ହେଲେ ଗାଁରେ ପହଞ୍ଚିବା ପରେ ରବୀନ୍ଦ୍ର ୫୦ ବଦଳରେ ମାତ୍ର ୧୦ ଟଙ୍କା ଭଡ଼ା ଦେଇଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଶେଷରେ ଏହା ଉଗ୍ର ରୂପ ଧାରଣ କରିଥିଲା। ଅଟୋ ଡ୍ରାଇଭର ଦୀପକ କୌଶଳ କରି ରବୀନ୍ଦ୍ରଙ୍କୁୁ ବୁଢ଼ାଘାଟ ଛକକୁ ନେଇଯାଇଥିଲା। ଉତ୍ତ୍ୟକ୍ତ ହୋଇ ରବୀନ୍ଦ୍ର ଅଟୋ ଡ୍ରାଇଭର ଦୀପକର ବେକକୁ କାମୁଡ଼ି ଦେଇଥିଲା। ଉତ୍ତ୍ୟକ୍ତ ଅଟୋ ଡ୍ରାଇଭର ହିତାହିତ ଜ୍ଞାନ ଭୁଲି ତାର ଜଣେ ସଂପର୍କୀୟ ଭାଇଙ୍କ ସହଯୋଗରେ ରବୀନ୍ଦ୍ରଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ।

ଘଟଣାସ୍ଥଳରେ ରବୀନ୍ଦ୍ରଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରମାଣ ନଷ୍ଟ ପାଇଁ ଦୁଇଭାଇ ତାଙ୍କ ମୁହଁଙ୍କୁ ପଥରରେ ଛେଚି ଦେଇଥିଲେ। ଏହାପରେ ସେଠାରେ ଥିବା ଏକ ପରିବା ଦୋକାନ ପଛ ପଟେ ତାଳ ବରଡାରେ ନିଆଁ ଲଗାଇ ତାଙ୍କ ଶବକୁ ଜାଳି ଦେଇଥିଲେ। ଘରକୁ ଯାଇ ରକ୍ତ ଭିଜା ସାର୍ଟକୁ ସଫା କରିଥିଲେ। ସକାଳୁ ଘଟଣା ପ୍ରଚାରିତ ହୋଇଯାଇଥିଲା। ପୁଲିସ ସଦଳବଳେ ପହଞ୍ଚି ପୋଡ଼ା ଶବକୁ ଜବତ କରି ବ୍ୟବଚ୍ଛେଦ କରାଇଥିଲା। କେସ ନଂ ୧୯/୨୦୧୮ ଦଫା ୩୦୨ ଓ ୨୦୧ରେ ମାମଲା ରୁଜୁ ହୋଇ ଅନୁସଂଧାନ ଆରମ୍ଭ କରିଥିଲା।

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଦୀପକକୁ ତାଙ୍କ ଘରୁ ଉଠାଇ ଆଣି ଥାନାରେ ଅଟକ ରଖି ପଚରାଉଚରା ଚଳାଇଥିଲା। ଶେଷରେ ଦୀପକ ତାର ଦୋଷ ସ୍ୱୀକାର କରିବା ପରେ ପୁଲିସ ତାକୁ ଗିରଫ କରିଥିଲା। ଘଟଣାରେ ସଂପୃକ୍ତ ତାର ସହଯୋଗୀ ସଂପର୍କୀୟ ଭାଇ ଫେରାର ଅଛି। ପୁଲିସ ଆଜି ଦୀପକ ପତିକୁ କୋର୍ଟଚାଲାଣ କରିଥିବା ବେଳେ ଅନ୍ୟ ଅଭିଯୁକ୍ତକୁ ଧରିବା ପାଇଁ ଜାଲ ବିଛାଇଥିବା ଏସଡିପିଓ ଶ୍ରୀ ମଲ୍ଲ ସୂଚନା ଦେଇଛନ୍ତି। ଖୁବ୍‌ଶୀଘ୍ର ଅନ୍ୟ ଅଭିଯୁକ୍ତ ମଧ୍ୟ ପୁଲିସ କବଜ୍‌ାକୁ ଆସିବ ବୋଲି ସେ ସୂଚନା ଦେଇଛନ୍ତି। ଏହି ଘଟଣା ପ୍ରଚାରିତ ହେବା ପରେ ଉଭୟ ଗାଁରେ ଉତ୍ତେଜନା ଲାଗି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe