ଚଳିତ ବର୍ଷ ୧ ଲକ୍ଷ ୫ହଜାର ହେକ୍ଟର ଜମିରେ ଧାନଚାଷ: ନିଅଣ୍ଟିଆ ବର୍ଷା ପାଇଁ ଚାଷ ପ୍ରଭାବିତ

୨୭ ପ୍ରତିଶତ କମ ବର୍ଷା

ଚଳିତ ବର୍ଷ ୧ ଲକ୍ଷ ୫ହଜାର ହେକ୍ଟର ଜମିରେ ଧାନଚାଷ: ନିଅଣ୍ଟିଆ ବର୍ଷା ପାଇଁ ଚାଷ ପ୍ରଭାବିତ

ଯାଜପୁରସଦର: ଯାଜପୁର ଜିଲ୍ଲାରେ ଏବେ ସୁଦ୍ଧା ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ସ୍ବାଭାବିକ ବର୍ଷା ହେବ ବୋଲି କୁହାଯାଉଥିବା ବେଳେ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା କମ ବର୍ଷା ହୋଇଛି। ବାରମ୍ବାର ଲଘୁଚାପ ସୃଷ୍ଟି ହୋଇ ବର୍ଷା ହେଉଥିଲେ ମଧ୍ୟ ଏବେ ସୁଦ୍ଧା ଜିଲ୍ଲାରେ ୨୭ ପ୍ରତିଶତ କମ୍‌ ବର୍ଷା ହୋଇଛି। ଯାଜପୁର ଜିଲ୍ଲାର ୮୦ ଭାଗ ଚାଷଜମିରେ ଧାନ ଚାଷ କରାଯାଏ। ବର୍ଷା ଅଭାବରୁ ଅନେକ ଅଞ୍ଚଳରେ ଏବେ ବି ତଳି ପଡ଼ିନାହିଁ। ପାଣି ପାଇଁ ଚାଷୀ ଉପରକୁ ଚାହିଁ ବସିଛି। କୃଷି ବିଭାଗ ପକ୍ଷରୁ ଜିଲ୍ଲାରେ ଚଳିତ ବର୍ଷ ୧ଲକ୍ଷ ୫ ହଜାର ହେକ୍ଟର ଜମିରେ ଧାନ ଚାଷର ଲକ୍ଷ୍ୟ ରଖାଯାଇଛି। ଏଥିରୁ ବଡ଼ଚଣାରେ ୧୪୫୨୦ ହେକ୍ଟର, ବରୀରେ ୭୪୬୦, ବିଂଝାରପୁରରେ ୧୧୬୦୦, ଦାନଗଦିରେ ୫୬୦୦, ଦଶରଥପୁରରେ ୧୨୫୩୦, ଧର୍ମଶାଳାରେ ୧୨ହଜାର, ଯାଜପୁରରେ ୧୦୪୯୦,‌ କୋରେଇରେ ୧୮୨୫୦, ସୁକିନ୍ଦାରେ ୫୪୦୦ ଓ ରସୁଲପୁରରେ ୭୧୫୦ ହେକ୍ଟର ଜମିରେ ଧାନଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।
ବିଗତ ୩ ବର୍ଷର ତଥ୍ୟକୁ ଦେଖିଲେ ଚଳିତ ବର୍ଷ ଜୁଲାଇ ମାସରେ କମ୍ ବର୍ଷା ରେକର୍ଡ ହୋଇଛି। ଚଳିତ ମାସରେ ସ୍ବାଭାବିକଠାରୁ ୨୮ ପ୍ରତିଶତ କମ ୧୭୦.୬୬ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ୨୦୨୩ ଜୁଲାଇରେ ୨୨୧.୬୭ ମିମି, ୨୦୨୨ ଜୁଲାଇର ୩୪୧.୨୬ ମିମି ବର୍ଷା ହୋଇଥିଲା।
ସାଧାରଣତଃ ଜୁନ, ଜୁଲାଇ ଓ ଅଗଷ୍ଟରେ ହେଉଥିବା ମୌସୁମୀ ବର୍ଷା ଉପରେ ଜିଲ୍ଲାର ଧାନଚାଷ ନିର୍ଭର କରିଥାଏ। ଚଳିତ ବର୍ଷ ବର୍ଷା ଅନୁପାତ କମ୍‌ ରହିଥିବାରୁ ଚାଷୀକୁଳ ନିରାଶ ହୋଇଛନ୍ତି। ଜିଲ୍ଲାର ଅନେକ ସ୍ଥାନରେ ଜଳସେଚନର ସୁବିଧା ନାହିଁ। ଅର୍ଦ୍ଧାଧିକ ଉଠା ଜଳସେଚନ ପ୍ରକଳ୍ପ, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅଚଳ ହୋଇ ପଡ଼ଥିବାର ମଧ୍ୟ ଅଭିଯୋଗ ହେଉଥିଲେ ବି ସେସବୁ ମରାମତି କରାଯାଉନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe