ଚଣ୍ଡିଖୋଲ: କାତାରର ରାଜଧାନୀ ଦୋହାଠାରେ ଏକ କମ୍ପାନିରେ ଆଇଟିଆଇ ଟେକ୍ନିସିଆନ ଭାବେ କାର୍ଯ୍ୟରତ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବାଲିପଡ଼ିଆ ପଞ୍ଚାୟତ ଦେକୁଡି ଗ୍ରାମର କରୁଣାମୟ ରାଉତରାୟ (୪୫) ଙ୍କର ହୃଦ୍ଘାତରେ ପରଲୋକ ଘଟିଛି। ପରିବାର ଲୋକଙ୍କ ସୂଚନା ମୁତାବକ ଗତକାଲି ସେ ନିଜ ବସାଘରୁ କମ୍ପାନି ବସ ଯୋଗେ କର୍ମସ୍ଥଳକୁ ଯାଉଥିଲେ। କାର୍ଯ୍ୟାଳୟ ନିକଟରେ ସେ ହୃଦ୍ଘାତର ଶିକାର ହୋଇଥିଲେ। ଦୁବାଇରୁ ମରଶରୀରକୁ ତୁରନ୍ତ ନିଜ ଗ୍ରାମରେ ପହଞ୍ଚାଇବା ପାଇଁ ତାଙ୍କ ସମ୍ପର୍କୀୟ ଭାଇ ଅକ୍ଷୟ କୁମାର ରାଉତରାୟ ରାଜ୍ୟ ସରକାରଙ୍କ ପାଖରେ ନିବେଦନ କରିଛନ୍ତି। ଘରେ ତାଙ୍କର ପତ୍ନୀ ଓ ପାଞ୍ଚବର୍ଷର ପୁଅ ଅଛନ୍ତି।
ସୂଚନା ମୁତାବକ କରୁଣାମୟ ଆଇଟିଆଇ ପାସ କରିବା ପରେ କାତାର ରାଜଧାନୀ ଦୋହାଠାରେ ଏକ ତେଲ ଓ ଗ୍ୟାସ କମ୍ପାନିରେ କାର୍ଯ୍ୟ କରୁଥିଲେ। କୋଭିଡ୍ ପରେ ସେ ଓଡ଼ିଶା ଫେରି ଭୁବନେଶ୍ୱରଠାରେ କାର୍ଯ୍ୟ କରୁଥିଲେ। ପୁଣି ଗତ ଡିସେମ୍ବର ମାସରେ ସେ ଦୋହା ଯାଇ କାର୍ଯ୍ୟ କରୁଥିଲେ। ତାଙ୍କ ବିୟୋଗରେ ବୌଦ୍ଧ ଗବେଷକ ଡ. ହରିଶ୍ଚନ୍ଦ୍ର ପୃଷ୍ଟି, ସରପଞ୍ଚ କିଶୋର ଚନ୍ଦ୍ର ବେହୁରା, ସମିତି ସଭ୍ୟ ମନୋରମା ଭଞ୍ଜ, ପୂର୍ବତନ ସରପଞ୍ଚ ଅନିରୁଦ୍ଧ ସାମଲ, ପୂର୍ବତନ ସମିତି ସଭ୍ୟ ସୁମନ୍ତ କୁମାର ଜେନା, ସମାଜସେବୀ ସୁବାସ ତ୍ରିପାଠୀ, ସଞ୍ଜୟ ପାତ୍ର, ସୁଧାଂଶୁ ଶେଖର ଜେନା ଓ ତାପସ ରାଉତରାୟ ଗଭୀର ଶୋକ ପ୍ରକାଶ କରି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।
କାତାରରେ ବଡ଼ଚଣା ଯୁବକଙ୍କ ମୃତ୍ୟୁ, ଶବ ଫେରାଇ ଆଣିବାକୁ ନିବେଦନ
Advertisment
Follow Us