ଯାଜପୁର/କାଳିଆପାଣି : କାଳିଆପାଣି ଥାନା ଅନ୍ତର୍ଗତ କୋଇପଶି ଗାଁର ଜନୈକା ନାବାଳିକା ଓ ତା’ ପରିବାରକୁ କାଳିଆପାଣି ଥାନାଧିକାରୀ ନିର୍ଯାତନା ଦେବା ନେଇ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ ହୋଇଛି। ଘଟଣାକୁ ମଧ୍ୟ ଜାତୀୟ ମାନବଧିକାର କମିସନ ଗମ୍ଭୀରତାର ସହ ଗ୍ରହଣ କରିବା ସହିତ କୈଫିୟତ ତଲବ କରିବା ସହିତ ୮ସପ୍ତହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ପାଇଁ ଏସପିଙ୍କୁ ନିର୍ଦେଶ ଦେଇଛନ୍ତି।
ପ୍ରକାଶ ଥାଉକି କୋଇପଶିର ଏକ ନାବାଳିକା ଓ ତାଙ୍କ ପରିବାରକୁ କାଳିଆପାଣି ଥାନାଧିକାରୀ ଯୁବରାଜ ସ୍ବାଇଁ ନିର୍ଯ୍ୟାତନା ଦେଇଥିବାର ଅଭିଯୋଗ ହୋଇଛି। ଏହି ଥାନା ଅନ୍ତର୍ଗତ ଅକଁସ ପଞ୍ଚାୟତ ଅନ୍ତର୍ଗତ ଓସ୍ତପାଳ ଗାଁର ଭିନ୍ନ ଜାତିର ଜନୈକ ଯୁବକ ନାବାଳିକାକୁ ଅପହରଣ କରିଥିଲା। ଏ ନେଇ ସଂପୃକ୍ତ ନାବାଳିକା ବାପାଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। ଗତ ଏପ୍ରିଲ ମାସ ୫ ତାରିଖ ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୬୩ ଆଧାରରେ ଥାନାରେ ଏକ ମାମଲା ୧୯/୨୦୧୮ ରୁଜୁ ହୋଇଥିଲା। ଏହାର କିଛିଦିନ ପରେ ସଂପୃକ୍ତ ପରିବାର ପକ୍ଷରୁ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିଲା। ପରେ ଥାନାଧିକାରୀ ଶ୍ରୀ ସ୍ବାଇଁ ନାବାଳିକା ଓ ତାର ପରିବାରକୁ ଥାନାକୁ ଡ଼ାକି ନିର୍ଯ୍ୟାତନା ଦେଇଥିଲେ।
ଏ ସଂପର୍କରେ ନାବାଳିକା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ନ ଶୁଣିବାରୁ ପରେ ଏସପିଙ୍କ ଦ୍ବାରସ୍ଥ ହୋଇଥିଲେ। ମାତ୍ର କେହି ତାଙ୍କ ଗୁହାରି ଶୁଣି ନଥିଲେ। ଫଳରେ ନାବାଳିକା ପରିବାର ନଃସହାୟ ହୋଇ ଜାତୀୟ ମାନବାଧିକାର କମିସନଙ୍କ ଦ୍ବାରସ୍ଥ ହୋଇଥିଲେ। କମିସନ ଏଥିରେ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ପାଇଁ ଏସପିଙ୍କୁ ନିର୍ଦେଶ ଦେଇଛନ୍ତି। ମାତ୍ର ଏହି ଘଟଣାରେ ଥାନାଧିକାରୀ ଶ୍ରୀ ସ୍ବାଇଁ ନାବାଳିକା ପରିବାରକୁ ଦୋଷାରୋପ କରିଛନ୍ତି। ତଦନ୍ତରେ ସେମାନେ ସହଯୋଗ କରୁନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି। ଯାଜପୁର ଜିଲ୍ଲା ପୁଲିସର ଭାବମୂର୍ତ୍ତି ଦିନକୁ ଦିନ ରସାତଳଗାମୀ ହେଉଥିବା ବେଳେ ଏହି ଘଟଣାର ସତ୍ୟାସତ୍ୟ ଲୋକଲୋଚନକୁ ଆସିବା ଅାବଶ୍ୟକ ବୋଲି ବିଭିନ୍ନ ମହଲରେ ଦାବି ହେଉଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us