ନାବାଳିକାକୁ ଅସଦାଚରଣ:ଅଭିଯୁକ୍ତ କୋର୍ଟ ଚାଲାଣ

Advertisment
ନାବାଳିକାକୁ ଅସଦାଚରଣ:ଅଭିଯୁକ୍ତ କୋର୍ଟ ଚାଲାଣ

ବିଂଝାରପୁର : ବିଂଝାରପୁର ଥାନା ଅଳକୁଣ୍ଡ ଅଞ୍ଚଳର ଜଣେ ୯ବର୍ଷର ନାବାଳିକାକୁ ଜଣେ ବିବାହିତ ଯୁବକ ଅସଦାଚରଣ କରିଥିବା ଅଳକୁଣ୍ଡ ଫାଣ୍ଡିରେ ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ପୁଲିସ ସଂପୃକ୍ତ ଯୁବକଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଏସ୍‌ଡିପିଓଙ୍କ ହସ୍ତକ୍ଷେପ ପରେ ବିଂଝାରପୁର ପୁଲିସ ମାମଲା ରୁଜୁ କରିଥିବା ସୂଚନା ମିଳିଛି।
ସଂପୃକ୍ତ ନାବାଳିକାର ମା’ଙ୍କ ଅଭିଯୋଗ ଅନୁଯାୟୀ ଗତ ମଙ୍ଗଳବାର ରାତିରେ ଅଳକୁଣ୍ଡ ଅଞ୍ଚଳରେ ଏକ ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି ସମାରୋହକୁ ସଂପୃକ୍ତ ନାବାଳିକା ଯାଇଥିଲା। ନାବାଳିକା ଜଣକ ଏକ ସୋଡ଼ା ଗାଡି ନିକଟରେ ଛିଡା ହୋଇଥିଲା ବେଳେ ଅଳକୁଣ୍ଡ ଗ୍ରାମ ମିସିରୀ ସାହିର ମମଦ୍‌ ଖାଁଙ୍କ ପୁଅ ରହେମତ୍‌ ଖାଁ ନାବାଳିକାକୁ ସୋଡ଼ା ପିଇବାକୁ କହିଥିଲା। ନାବାଳିକା ମନା କରୁଥିବା ବେଳେ ଅଭିଯୁକ୍ତ ବାଧ୍ୟ କରି ସୋଡ଼ା ପିଆଇଥିଲା। ନାବାଳିକାକୁ ଫୁସୁଲାଇ ସେଠାରୁ କିଛି ଦୂରକୁ ଡାକି ନେବା ସହିତ ସେଠାରେ ରଖିିଥିବା ଇଣ୍ଡିକା କାର୍‌ରେ ନାବାଳିକାକୁ ଅଳକୁଣ୍ଡ-ପ୍ରୀତିପୁର ମଧ୍ୟସ୍ଥଳୀର ଏକ ନିଛାଟିଆ ଅଞ୍ଚଳକୁ ନେଇଯାଇଥିଲା। ସେଠାରେ ଏକ ଗଛ ନିକଟରେ ଗାଡି ରଖି ମଦ ପିଇଥିଲା। ପରେ ନାବାଳିକାକୁ ଅସଦାଚରଣ କରିଥିଲା। ନାବାଳିକା ଚିତ୍କାର କରିବାରୁ ତାକୁ ମାଡ଼ ମାରିବା ସହିତ ଭିଡ଼ାଘୋଷରା କରିଥିଲା। ଫଳରେ ନାବାଳିକାର ଦେହର ଅନେକ ଜାଗା କ୍ଷତ ସୃଷ୍ଟି ହୋଇଛି।
ଘଟଣା ସମ୍ପର୍କରେ ନାବାଳିକାର ମା’ ବୁଧବାର ଜାଣିବା ପରେ ପ୍ରଥମେ ଅଭିଯୁକ୍ତର ସାହି ଲୋକଙ୍କୁ ଜଣାଇଥିଲେ। ସାହିର କିଛି ଲୋକ ଏହି ଘଟଣାରେ ନାବାଳିକାର ମା’କୁ କିଛି ଟଙ୍କା ଦେଇ ଆପୋସ ସମାଧାନ କରିଦେବାକୁ ଚାହିଁଥିଲେ। କିନ୍ତୁ ନାବାଳିକାର ମା’ ସାହି ଲୋକଙ୍କ କଥାରେ ରାଜି ହୋଇନଥିଲେ। ଗୁରୁବାର ଅଳକୁଣ୍ଡ ଫାଣ୍ଡିରେ ଲିିଖିତ ଭାବେ ଅଭିଯୋଗ କରିଥିଲେ। ଏସ୍‌ଡିପିଓ ପ୍ରଶାନ୍ତ କୁମାର ମଲ୍ଲ ଘଟଣାରେ ହସ୍ତକ୍ଷେପ କରିଥିଲେ। ଗୁରୁବାର ରାତି ପ୍ରାୟ ୧୨ଟାରେ ଅଭିଯୁକ୍ତକୁ ଅଳକୁଣ୍ଡ ପୁଲିସ ଗିରଫ୍‌ କରି ବିଂଝାରପୁର ଥାନାକୁ ନେଇଥିଲା। ଅଭିଯୁକ୍ତର ସଂପର୍କୀୟମାନେ ଥାନାରେ ପହଞ୍ଚି ଆପୋସ ସମାଧାନ ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ। ପରେ ଥାନା ଅଧିକାରୀ ଅଭିଯୁକ୍ତଙ୍କ ବିରୋଧରେ ୨୦୨/୧୮ରେ ଏକ ମାମଲା ରୁଜୁ କରି ଆଜି ତାଙ୍କୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe