ଯାଜପୁର: ତିନି ବର୍ଷ ବିତିଗଲା, ଲାଗି ପାରିଲାନି ଓଡ଼ିଆ ଫଳକ

Advertisment
ଯାଜପୁର: ତିନି ବର୍ଷ ବିତିଗଲା, ଲାଗି ପାରିଲାନି ଓଡ଼ିଆ ଫଳକ

ଯାଜପୁରସଦର: ସରକାରୀ ହେଉକି ବେସରକାରୀ ସମସ୍ତ କାର୍ଯ୍ୟାଳୟ, ଅନୁଷ୍ଠାନ ତଥା ପ୍ରତିଷ୍ଠାନରେ ଓଡ଼ିଆ ଭାଷା ବ୍ୟବହାର ହେବ। ନାମଫଳକଠାରୁ ଆରମ୍ଭ କରି ଗାଡ଼ିର ନମ୍ବର ପ୍ଲେଟ ସବୁ ଓଡ଼ିଆ କରିବାକୁ ନିର୍ଦେଶ ଆସିଥିଲା। ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଗାଡ଼ିରେ ଓଡ଼ିଆ ବ୍ୟବହାର କରାଯାଉଛି। ମାତ୍ର ତଳସ୍ତରରେ ଏହାକୁ ଫୁ କରି ‌ ଦିଆଯାଇଛି। ଯେଉଁମାନେ ନିୟମ ଅନୁପାଳନ ନକରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଥିଲା। ଏହାରି ଭିତରେ ୩ ବର୍ଷ ବିତିଲାଣି, କିନ୍ତୁ ଦୁର୍ଭାଗ୍ୟର ବିଷୟ ହେଉଛି ଯାଜପୁରରେ ଓଡ଼ିଆ ଭାଷାକୁ ଅଣଦେଖା କରାଯାଇଥିବାର ଅନେକ ଉଦାହରଣ ଦେଖିବାକୁ ମିଳିଛି।

ଓଡ଼ିଆ ଭାଷାର ବିକାଶ ତଥା ଗୁରୁତ୍ବକୁ ବଢ଼ାଇବା ପାଇଁ ୨୦୧୮ ମସିହାରେ ରାଜ୍ୟ ସରକାର ଓଡ଼ିଆ ଭାଷା ଆଇନକୁ କାର୍ଯ୍ୟକାରୀ କରିବା ସହ ଏହାକୁ ଉଲ୍ଲଂଘନ ଦଣ୍ଡନୀୟ ବୋଲି ଘୋଷଣା କରିଥିଲେ। ସେହି ସମୟରେ ଜିଲ୍ଲାପାଳମାନେ ଏହାକୁ କାର୍ଯ୍ୟକାରୀ କରିବାକୁ ଗୁରୁତ୍ବ ଦେଇଥିବା ବେଳେ ସବୁ ବିଭାଗକୁ ମଧ୍ୟ ଏନେଇ ନିର୍ଦେଶ ଦିଆଯାଇଥିଲା। ଆଇନକୁ ୩ ବର୍ଷ ବିତିଥିବା ବେଳେ ଏହାକୁ କିଏ ମାନିଛି ତ କିଏ ଅଣଦେଖା କରିଛି। ଏବେ ବି ନାମ ଫଳକ ବିଭିନ୍ନ ସ୍ଥାନରେ ଇଂରାଜିରେ ରହିଛି।

ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଗାଡ଼ି, ଯାଜପୁର ତହସିଲଦାରଙ୍କ ଗାଡ଼ିରେ ଏପର୍ଯ୍ୟନ୍ତ ଓଡ଼ିଆ ଲେଖାଯାଇ ପାରିନାହିଁ। ସେହିପରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର‌ରେ ‌କାର୍ଯ୍ୟ କରୁଥିବା ଜିଲ୍ଲା ଖଣିଜ ପାଣ୍ଠି ଗାଡ଼ିର ଅବସ୍ଥା ବି ସମାନ। ପ୍ରଶ୍ନ ଉଠୁଛି ଯେଉଁଠାରେ ଖୋଦ ଜିଲ୍ଲାପାଳଙ୍କ ଗାଡ଼ିର ଫଳକ ଓଡ଼ିଆ ରହିଥିବା ବେଳେ ଅନ୍ୟମାନେ କାହିଁକି ଏହାକୁ ମାନୁନାହାନ୍ତି?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe