Photograph: (Deccan Chronicle)
କାଳିଆପାଣି (ରବି ନାରାୟଣକ କର): ଜନ୍ମ(ଫେବ୍ରୁଆରି ୧ ତାରିଖ ୨୦୨୫)ରୁ ତଳ ନଗଡ଼ାର ରୋଗୀଣା କୁପୋଷଣ ଶିଶୁ ହାଡ଼ିଆ(୧)ର ଓଜନ ଅସ୍ବାଭାବିକ ରହିଛି। ବର୍ଷକର ଛୁଆର ଆନୁମାନିକ ଓଜନ ୪ରୁ ୫ କିଲୋ ମଧ୍ୟରେ ହେବ। ତା’ ମୁହଁ ଓ ମୁଣ୍ଡରେ ଚର୍ମରୋଗ ମାଡ଼ି ଯାଇଛି। ପିଲା ଯନ୍ତ୍ରଣାରେ ଛଟପଟ ହେଉଛି। ତା’ କ୍ଷତର ଜଡ଼ିବୁଟିର ଲେପ ଦିଆଯାଇଛି। ଏକୁଲ ଗାଁର ଜଣେ କ୍ବାକ୍ ଔଷଧ ଦେଇଛନ୍ତି। ବିଭାଗୀୟ କର୍ତ୍ତୃପକ୍ଷ ଥିବା ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ନଗଡ଼ାର ଏହି ରୋଗଣା ଶିଶୁକୁ ଏଯାବତ୍ ମେଡିକାଲ୍ କିମ୍ବା ପୁଷ୍ଟି ସାଧନ କେନ୍ଦ୍ର(ଏନ୍ଆର୍ସି) ଆଣି ପାରିନାହାନ୍ତି।
ହାଡ଼ିଆର ଶ୍ବାସଗତ ସ୍ବାସ୍ଥ୍ୟ ସମସ୍ୟା ରହିଥିଲେ ମଧ୍ୟ ମାଆବାପା ଗାଲେ ଓ ମଙ୍ଗୁଳୁ ପ୍ରଧାନ ତାକୁ ମେଡିକାଲ୍ ନେବାରେ ରାଜି ହେଉନାହାନ୍ତି। ଚିକିତ୍ସା ଅଭାବରୁ ୨୦୨୪ ମସିହା ଫେବ୍ରୁଆରି ୧୯ ତାରିଖରେ ଝିଅ ଅନୁସୟା(୩ ମାସ)ର ମୃତ୍ୟୁ ପରେ ବି ଏହି ଦମ୍ପତି ଚେତୁ ନାହାନ୍ତି। ବାଲ୍ୟ ବିବାହ କରିଥିବା ଗାଲେ(୩୮) ଓ ମଙ୍ଗୁଳୁଙ୍କ ଅଷ୍ଟମ ସନ୍ତାନ ହାଡ଼ିଆ ଭୋକିଲା ବେଳରେ ଭାତଲୁଣ ଖାଉଛି ଓ ପେଯ ପିଉଛି ବୋଲି ମାଆ ଗାଲେ କହନ୍ତି। ପରିବାରରେ ଅଭାବ ଅନଟନ ଓ ଖାଦ୍ୟ ସମସ୍ୟା ରହିଆସିଛି। ଦମ୍ପତି ବେକାର ଅଛନ୍ତି। ନାବାଳକ ବଡ଼ପୁଅ ବାହା ହୋଇଛନ୍ତି। ପୁଅବୋହୂ ସହ ୧୦ ଜଣିଆ ବଡ଼ ପରିବାରକୁ ଖାଦ୍ୟ ସୁରକ୍ଷା ଯୋଜନାରେ ମାସିକ ମାତ୍ର ୧୦ କିଲୋ ଚାଉଳ ମିଳୁନଥିବା ଅଭିଯୋଗ ହୁଏ।
ଆହୁରି ପଢ଼ନ୍ତୁ: Fire: ଭୟାବହ ଅଗ୍ନିକାଣ୍ଡ: ଘର ସମେତ ଲକ୍ଷାଧିକ ଟଙ୍କାର ସଂପତ୍ତି ଭସ୍ମୀଭୂତ
ମନେ ରହିବ ୨୦୧୬ ଘଟଣା
ମାତ୍ର ୧୭ ବୟସରୁ ମାଆ ହୋଇଥିବା ଗାଲେଙ୍କର ସମସ୍ତ ୮ ସନ୍ତାନ(ବୁଟୁ, ଖାଉଡ଼ିଆ, ଗୋଲାପ, ଉଦି, ରଥିଆ, ରସମତି, ଅନୁସୟା ଓ ହାଡ଼ିଆ)ମାନେ ଜନ୍ମରୁ ଦୁର୍ବଳ। କୋଳରେ ବଢ଼ୁଥିବା ଗୋଟିଏ ଶିଶୁ କ୍ଷୀର ଛାଡ଼ୁନଥିବା ବେଳେ ଅନ୍ୟ ଏକ ଶିଶୁ ଜନ୍ମ ହେବାରେ ସମସ୍ତଙ୍କ ଠାରେ ଖାଦ୍ୟ ସମସ୍ୟା ରହିବା ସ୍ବାଭାବିକ। ନବଜାତକ ହେଲେ ବି ତାଙ୍କ ସବୁ ଛୁଆଙ୍କୁ ସେ ମାଆକ୍ଷୀର ବ୍ୟତୀତ ପେଯ ତୋରାଣି ପିଆଇଥାନ୍ତି ବୋଲି ଗାଲେ କହନ୍ତି। ୨୦୧୬ ମସିହାର ଚର୍ଚ୍ଚିତ ଅପପୁଷ୍ଟି ଜନିତ ନଗଡ଼ା ଶିଶୁ ମଡ଼କ ଘଟଣାବଳୀ ପରେ ବି ଏହି ଦମ୍ପତିଙ୍କର ୫ ଶିଶୁ ଜନ୍ମ ହେଲେଣି। ଉଦି, ରସମତି, ରଥିଆ ଓ ଅନୁସୟାଙ୍କୁ ଏନ୍ଆର୍ସି ଓ କଟକ ଶିଶୁ ଭବନରେ ଭର୍ତ୍ତି କରାଯାଇଥିଲା। ପ୍ରତିଥର ଏହି ଅବୁଝା ଦମ୍ପତି ରୋଗଣା ଛୁଆକୁ ଧରି ମେଡିକାଲରୁ ଲୁଚି ପଳାଇ ଆସିଥାନ୍ତି। ପ୍ରସୂତି ମାଆ ଓ ନବଜାତକଙ୍କୁ ନଗଡ଼ାରେ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଥିଲା। ଏବେ ଦେଢ଼ବର୍ଷ ଧରି ସାପ୍ତାହିକ ଭ୍ରାମ୍ୟମାଣ ସ୍ବାସ୍ଥ୍ୟାସବାରେ ନଗଡ଼ା ଯାଉଥିବା ଡାକ୍ତରୀଦଳରେ ଆଉ ଡାକ୍ତର ଆସୁନଥିବା ୱାର୍ଡସଭ୍ୟା ଲକ୍ଷ୍ମୀ ପ୍ରଧାନ ଅଭିଯୋଗ କରନ୍ତି। ସ୍ବାସ୍ଥ୍ୟ ପରିଦର୍ଶକ, ସ୍ବାସ୍ଥ୍ୟକର୍ମୀ, ଏଏନ୍ଏମ୍, ଆଶାକର୍ମୀ ଓ ଆଟେଣ୍ଡାଣ୍ଟ୍ ଥାଇ କାମ ଚଳାଉଥିବାରୁ ଗାଁରେ ଡାକ୍ତର ପରାମର୍ଶ, ରୋଗୀର ସ୍ବାସ୍ଥ୍ୟ ପରୀକ୍ଷା ଓ ରୋଗ ନିଦାନର ବ୍ୟବସ୍ଥା ନଥିବା ସାଧାରଣରେ ଅଭିଯୋଗ ହୁଏ। ଏ ସଂପର୍କରେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର ଜୟଦେବ ନନ୍ଦଙ୍କୁ ପଚାରିବାରେ ଏବେ ୨ ଜଣ ଡାକ୍ତରଙ୍କୁ କାଳିଆପାଣି ପିଏଚ୍ସିରେ ନିଯୁକ୍ତି ଦିଆଯାଇଥିବା ଦର୍ଶାଇ ଏଣିକି ସେମାନେ ଯିବେ ବୋଲି କହିଥିଲେ।
ଆହୁରି ପଢ଼ନ୍ତୁ: Worldcup Issue: ବିଶ୍ବକପ୍ ବିବାଦକୁ ନେଇ ବାଂଲାଦେଶ କ୍ରିକେଟ୍ରେ ଝଡ଼, ନିଜ ସ୍ଥିତିକୁ ବୁଝ, ବିସିସିଆଇ ସହ ଲାଗନି କହିଲେ ତମିମ
Follow Us