କବାଟବନ୍ଧ : ଧର୍ମଶାଳା ବ୍ଲକ ରାଇଛନ୍ଦା ପଞ୍ଚାୟତ ବାଲିକୁଦିଆ ମୌଜାରେ ପ୍ରସ୍ତାବିତ ବୃହତ୍ ଜଳ ଯୋଗାଣ ପ୍ରକଳ୍ପକୁ ଗ୍ରାମବାସୀ ଆଜି ପୁଣିଥରେ ପ୍ରବଳ ବିରୋଧ କରିଛନ୍ତି। ଏହି ପ୍ରକଳ୍ପର ମାପଚୁପ କରିବା ପାଇଁ ଆଜି ପୂର୍ବାହ୍ନ ୯ଟାରେ ଯାଜପୁର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳଙ୍କ ନେତୃତ୍ବରେ ଅତିରିକ୍ତ ତହସିଲଦାର ଦେବୀପ୍ରସାଦ ମହାନ୍ତି, ଯାଜପୁରରୋଡ୍ ଏସ୍ଡିପିଓ ଚିନ୍ମୟ କୁମାର ନାୟକ, ଜେନାପୁର ଥାନା ଆଇଆଇସି ଆଶିଷ କୁମାର ସାହୁ, କଳିଙ୍ଗନଗର ଥାନା ଆଇଆଇସି ସୁଶାନ୍ତ କୁମାର ଦାସ, ସ୍ଥାନୀୟ ରାଜସ୍ବ ନିରୀକ୍ଷକ ସୁଶାନ୍ତ କୁମାର ସ୍ବାଇଁଙ୍କ ସମେତ ୨ ପ୍ଲାଟୁନ ପୁଲିସ ଫୋର୍ସ ପହଞ୍ଚିଥିଲେ। ବାଲିକୁଦିଆ ମୌଜାର ୫ଏକର ସରକାରୀ ଜାଗାରେ ମାପ ଆରମ୍ଭ କରିବା ସହ ଜେସିବି ମେସିନ ଦ୍ବାରା ମାଟି ସମତୁଲ କରିଥିଲେ। ଏହି ସମୟରେ ବାଲିକୁଦିଆ ମୌଜାର ୪ ସାହିର ଶତାଧିକ ପୁରୁଷ ଓ ମହିଳା ପହଞ୍ଚି ଏହାକୁ ବିରୋଧ କରିଥିଲେ।
ସେମାନଙ୍କ କହିବା କଥା ହେଲା ସଂପୃକ୍ତ ମୌଜାରେ ଥିବା ମୋଟ ୧୦ ଏକର ୩୨ ଡେସିମିଲ ଜାଗାରୁ ୫ ଏକର ଜାଗାରେ ସ୍କୁଲ, ମଠ, କ୍ଲବ, ପୋଖରୀ ହୋଇଛି। ଅବଶିଷ୍ଟ ୫ ଏକର ଜାଗାରେ ଗୋରୁଗାଈ ଚରାଇବା ସହ ଶୌଚ ପାଇଁ ବ୍ୟବହାର ହେଉଛି। ଗାଁର ଉତ୍ତରରେ ବ୍ରାହ୍ମଣୀ ନଦୀ ଓ ଦକ୍ଷିଣରେ ଗଙ୍ଗୁଆ ନାଳ ରହିଛି। ବନ୍ୟା ଓ ନଦୀବଢ଼ି ସମୟରେ ଗାଁ ଲୋକେ ଏହି ସରକାରୀ ଜାଗାରେ ଗୃହପାଳିତ ପଶୁଙ୍କ ସହ ଆଶ୍ରୟ ନେଇଥାନ୍ତି। ଯଦି ସେଠାରେ ଜଳଯୋଗାଣ ପ୍ରକଳ୍ପ ହୁଏ ତେବେ ସେମାନଙ୍କ ଚଳିବାରେ ଅସୁବିଧା ହେବ। ଅପରପକ୍ଷରେ ସାଧାରଣ ଲୋକଙ୍କ ସୁବିଧା ପାଇଁ ଜଳଯୋଗାଣ ପ୍ରକଳ୍ପ କରାଯାଉଛି। ଏହାଦ୍ବାରା ଗ୍ରାମବାସୀଙ୍କର କୌଣସି ଅସୁବିଧା ହେବନାହିଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ମାତ୍ବୁର ଗାଁ ଲୋକେ କିଛି ଶୁଣି ନଥିଲେ। ଏଠାରେ ପ୍ରକଳ୍ପ କରାଇଦେବୁ ନାହିଁ ବୋଲି ନିଜ ଜିଦରେ ଅଟଳ ରହିଥିଲେ। ଏ ବିଷୟରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ପାଇଁ ପ୍ରତିନିଧି ଦଳଙ୍କ ନାଁ ଦେବାପାଇଁ ଗ୍ରାମବାସୀଙ୍କୁ ଉପଜିଲ୍ଲାପାଳ କହିଥିଲେ। ଗାଁରେ ଆଲୋଚନା ପରେ ଚିନ୍ତା କରିବୁ ବୋଲି ଗ୍ରାମବାସୀ କହିଥିଲେ। ଦୀର୍ଘ ୩ ଘଣ୍ଟା ପରେ ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ସେଠାରୁ ମେସିନ ନେଇ ଚାଲିଯାଇଥିଲେ।
ସୂଚନାଯୋଗ୍ୟ ଯେ ୨୧୪ କୋଟି ଟଙ୍କା ବ୍ୟୟବରାଦରେ ବାଲିକୁଦିଆଠାରେ ଏହି ବୃହତ୍ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ପାଇଁ ଯୋଜନା ରହିଛି। ପ୍ରଶାସନ ପୂର୍ବରୁ ଦୁଇଥର ବିରୋଧର ସମ୍ମୁଖୀନ ହେବାପରେ ଗ୍ରାମାବସୀଙ୍କୁ ଜେନାପୁର ଥାନାକୁ ଡକାଇ ଆଲୋଚନା କରିଥିଲେ। ମାତ୍ର ଗ୍ରାମବାସୀଙ୍କୁ ବୁଝାଇବାରେ ବିଫଳ ହୋଇଥିଲେ। ଆଜି ଗ୍ରାମବାସୀଙ୍କ ଅଗୋଚରରେ ପୁନର୍ବାର ପୁଲିସ ପ୍ରଶାସନ ସେଠାରେ ମେସିନ ନେଇ ମାପଚୁପ କରିବାରୁ ଉତ୍ତେଜନା ପ୍ରକାଶ ପାଇଛି।
Follow Us