୩୦୫ ପ୍ରାଥମିକ ସ୍କୁଲ ବନ୍ଦକୁ ବିରୋଧ, ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ

Advertisment
୩୦୫ ପ୍ରାଥମିକ ସ୍କୁଲ ବନ୍ଦକୁ ବିରୋଧ, ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ

ଯାଜପୁରଟାଉନ/ସଦର : ସରକାରୀ ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରତିବାଦରେ ମିଳିତ ବିଦ୍ୟାଳୟ ସୁରକ୍ଷା କମିଟି ଓ ଅଲ୍ ଇଣ୍ଡିଆ ଡିଏସ୍‌ଓ ଯାଜପୁର ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ କରାଯାଇଛି। ବିଭିନ୍ନ ସ୍ଲୋଗାନ୍ ଦେଇ ମନୋଜ ସେଠୀ, ପ୍ରଶାନ୍ତ ସ୍ୱାଇଁ, ପ୍ରଭାତୀ ମଲ୍ଲିକ, ମଧୁସୂଦନ ସେଠୀ, ପବିତ୍ର ଦାସ, ବନଲତା ବାରିକ, ପଲ୍ଲୀ ମଲ୍ଲିକ, ନିରୁପମା ସାମଲଙ୍କ ନେତୃତ୍ୱରେ ଶୋଭାଯାତ୍ରା କିଆନାଳୀ କୂଳ ଛକଠାରୁ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ପହଞ୍ଚିଥିଲେ। ସାରା ଭାରତ ଶିକ୍ଷା ବଞ୍ଚାଅ କମିଟିର ଯାଜପୁର ଜିଲ୍ଲା ଇନ୍‌ଚାର୍ଜ ଅକ୍ଷୟ ଦାସ ଜେନା, କୈଳାଶ ବାରିକ, ପ୍ରମୋଦ ସାହୁ, ବିଜୟ ପୃଷ୍ଟି, ସମ୍ବିତ ପ୍ରଧାନ, ବାସନ୍ତୀ ସାମନ୍ତଙ୍କୁ ନେଇ ଗଠିତ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ବିକ୍ଷୋଭସ୍ଥଳରେ ଡିଏସ୍‌ଓର ଛାତ୍ରଛାତ୍ରୀ ଦମୟନ୍ତୀ ମୁଦୁଲି, ସସ୍ମିତା ଜେନା, ସମାଜସେବୀ ସୁରେଶ ପ୍ରଧାନ, ମିଳିତ ବିଦ୍ୟାଳୟ ସୁରକ୍ଷା କମିଟିର ସଭାପତି ଗୋକୁଳ ବାରିକ, ନିରୁପମା ଜେନା, ଶୁକଦେବ ତରାଇ, ଦୈତାରୀ ମଲ୍ଲିକ ବକ୍ତବ୍ୟ ରଖିଥିଲେ।

ରାଜ୍ୟର ଜନସଂଖ୍ୟା ଅନୁପାତରେ ଆହୁରି ଅଧିକ ସ୍କୁଲ ଖୋଲିବାର ଆବଶ୍ୟକତା ଥିବାବେଳେ ସରକାର ନିଜ ଦାୟିତ୍ୱରୁ ଓହରିଯାଇ ଶିକ୍ଷାର ଘରୋଇକରଣକୁ ତ୍ୱରାନ୍ୱିତ କରି ଶିକ୍ଷା ବେପାରୀଙ୍କ ହାତରେ ଟେକି ଦେଉଛନ୍ତି। ରାଜ୍ୟରେ ବନ୍ଦ ହେବାକୁ ଥିବା ୧୪୩୭୯ ଟି ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଯାଜପୁର ଜିଲ୍ଲାରେ ୩୦୫ଟି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଯାଜପୁର ଜିଲ୍ଲାରେ ଏତେ ସଂଖ୍ୟାରେ ବିଦ୍ୟାଳୟ ବନ୍ଦ ହେଲେ ହଜାରହଜାର ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଡୋରି ବନ୍ଧାହେବ। ସରକାର ଏହି ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର ନକଲେ ଆଗାମୀ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନିର୍ଦ୍ଦିଷ୍ଟ କାଳ ଗଣଧାରଣା ଦେବାକୁ ଚେତାବନୀ ‌ଦିଆଯାଇଛି। ଏହି ବିକ୍ଷୋଭରେ ଜିଲ୍ଲାର ବିଭିନ୍ନ ସ୍କୁଲ କଲେଜ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ ଓ ବୁଦ୍ଧିଜୀବୀ ସାମିଲ ହୋଇଥିଲେ। ମୁଖ୍ୟବକ୍ତାଭାବେ ଡିଏସ୍‌ଓର ରାଜ୍ୟ ସଂପାଦକ ସୁବାସ ନାୟକ ଯୋଗଦେଇ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେବାକୁ ସମସ୍ତ ଶିକ୍ଷାପ୍ରେମୀମାନଙ୍କୁ ଆହ୍ୱାନ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe