ସାପ କାମୁଡ଼ାରେ ଆଦିବାସୀ ଦମ୍ପତିଙ୍କ ମୃତ୍ୟୁ: ବେସାହାର ହୋଇଗଲେ ୩ ସନ୍ତାନ

ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ବନ୍ଧଗାଁ ପଞ୍ଚାୟତ ୧୦ ନମ୍ବର ୱାର୍ଡ ରାଙ୍କିଆ ଗାଁ ବୁରୁସାହିରେ ଗତ ଅଗଷ୍ଟ ୧୫ ତାରିଖରେ ସାପ କାମୁଡ଼ାରେ ଯୁବ ଆଦିବାସୀ ଦମ୍ପତି ଚମ୍ପା ଓ ଜଇରାମ ଚାତାରଙ୍କ ମୃତ୍ୟୁ ହୋଇଥିଲା। ଏବେ ସେମାନଙ୍କ ମୃତ୍ୟୁ ପରେ ବେସାହାର ହୋଇପଡ଼ିଛନ୍ତି ସେମାନଙ୍କ ପିଲା।

New Project (14)

କାଳିଆପାଣି(ରବି ନାରାୟଣ କର): ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ବନ୍ଧଗାଁ ପଞ୍ଚାୟତ ୧୦ ନମ୍ବର ୱାର୍ଡ ରାଙ୍କିଆ ଗାଁ ବୁରୁସାହିରେ ଗତ ଅଗଷ୍ଟ ୧୫ ତାରିଖରେ ସାପ କାମୁଡ଼ାରେ ଯୁବ ଆଦିବାସୀ ଦମ୍ପତି ଚମ୍ପା(୩୮) ଓ ଜଇରାମ ଚାତାର(୪୦)ଙ୍କ ମୃତ୍ୟୁ ହୋଇଥିଲା। କଟକ ବଡ଼ ମେଡିକାଲ ବାଟରେ ଚମ୍ପା ଓ ଏହାର ୨ ଘଣ୍ଟା ପରେ କଟକରେ ଚିକିତ୍ସାଧୀନ ଅବସ୍ଥାରେ ଜଇରାମଙ୍କର ପ୍ରାଣହାନି ହୋଇଥିଲା। ଏ ସଂକ୍ରାନ୍ତରେ କଟକ ମଙ୍ଗଳାବାଗ ଥାନାରେ ୨ଟି ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଗରିବ ଆଦିବାସୀ ଦମ୍ପତିଙ୍କ ଅକାଳ ମୃତ୍ୟୁକୁ ନେଇ ସାଧାରଣରେ ସମବେଦନା ପ୍ରକାଶ ପାଇଥିଲା। ମନ୍ତ୍ରୀ ଡ. ପ୍ରଦୀପ ବଳସାମନ୍ତ, ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଶ୍ବଜିତ ଦାସ ବାପମାଆ ଛେଉଣ୍ଡ ୨ ନାବାଳିକା ଝିଅଙ୍କ ପାଖେ ପହଞ୍ଚି ୧୦ ହଜାର ଟଙ୍କା ଲେଖାଏ ସହାୟତା ଦେଇଥିଲେ।

ବେଙ୍ଗାଲୁରୁରେ ଦାଦନ ଖଟୁଥିବା ମୃତ ଦମ୍ପତିଙ୍କ ଏକମାତ୍ର ପୁଅ ରାଜା ଚାତାର(୧୯) ୩ ଦିନ ପରେ ଘରେ ପହଞ୍ଚିଥିଲେ। ଶୁଦ୍ଧିକ୍ରିୟା ଦିନ ସରପଞ୍ଚ ହରିଶ୍ଚନ୍ଦ୍ର ଯୋଜନାରୁ ୩ ଭାଇଭଉଣୀଙ୍କୁ ୬ ହଜାର ଟଙ୍କା ଦେଇଥିଲେ। ଆଦିବାସୀ ପ୍ରଥା ଓ ପରମ୍ପରା ଅନୁଯାୟୀ ଶୁଦ୍ଧିକ୍ରିୟାରେ ପାଖାପାଖି ସବୁ ଟଙ୍କା ଖର୍ଚ୍ଚ ହୋଇଯାଇଥିବା କହନ୍ତି ପୁଅ ରାଜା।

ସେ କହନ୍ତି ଯେ, ‘ଶୁଦ୍ଧିକ୍ରିୟା ପର୍ଯ୍ୟନ୍ତ ବନ୍ଧୁବାନ୍ଧବ ଓ ପରିଜନ ପାଖେପାଖେ ଥିବାରୁ କିଛି ଅନୁଭବ କରିପାରୁନଥିଲୁ। ଏବେ ସଂସାରଟା ଆମକୁ ଅନ୍ଧାର ଦିଶୁଛି। ବଞ୍ଚିବାର ରାହାରେ ଆମେ ୩ ଭାଇଭଉଣୀ ଏବେ କୂଳକିନାରା ପାଉନୁ।’

୨ ନାବାଳିକା ଉଉଣୀଙ୍କ ଅସହାୟତା ଦେଖି ରାଜା ଆଉ ବେଙ୍ଗାଲୁରୁ ଯିବାକୁ ଚାହୁନାହାନ୍ତି। ହରିପୁର ସରକାରୀ ଆବାସିକ ସେବାଶ୍ରମରେ ରହି ଦଶମ ପଢ଼ୁଥିବା ବଡ଼ଝିଅ ପିଙ୍କି ଆଉ ସ୍କୁଲ ଫେରିପାରୁନାହାନ୍ତି। ଦାମୋଦରପୁର-ମଙ୍ଗଳପୁର ମହାମାୟୀ ହାଇସ୍କୁଲ ବାସିକ ସେବାଶ୍ରମରେ ରହି ନବମ ଶ୍ରେଣୀରେ ପଢ଼ୁଥିବା ସାନଝିଅ ମମତା ଗତ ସପ୍ତାହରୁ ହଷ୍ଟେଲ ଫେରିଛନ୍ତି। ପେଟ ଓ ପରିବାର ପ୍ରତିପୋଷଣ ପାଇଁ ଗତକାଲି ଠାରୁ ଭାଇଭଉଣୀ ରାଜା ଓ ପିଙ୍କି ମିଶି ଘୁଗୁନି ବିକିବା ଆରମ୍ଭ କରିଛନ୍ତି। ପାଖ ଜଙ୍ଗଲରୁ ଜାଳକାଠ ସଂଗ୍ରହ ପରେ ଆନୁଷଙ୍ଗିକ ତେଜରାତି ସାମଗ୍ରୀ କିଣି ଦୁହେଁ ଘରେ ଘୁଗୁନି(ମଟର ତରକାରୀ) ପ୍ରସ୍ତୁତ କରୁଛନ୍ତି।

ପୂର୍ବରୁ ବାପାମାଆ ଘୁଗୁନି ବେପାର କରି ଘର ଚଳାଉଥିଲେ। ଆମେ ମାଆଙ୍କ ଠାରୁ ତରକାରୀ ରନ୍ଧା ଶିଖିଥିଲୁ ବୋଲି ଦୁହେଁ କହନ୍ତି। ଏମିତିରେ ମେଧାବୀ ଛାତ୍ରୀ ପିଙ୍କି ଚାତାରଙ୍କ ପାଠରେ ଡୋରି ବନ୍ଧାହେବା ଜଳଜଳ ଦିଶୁଛି। ରାସନ ରାଉଳ ଗଣ୍ଡାକ ଏହି ଅସହାୟ ପରିବାରକୁ ଏକମାତ୍ର ସରକାରୀ ସହାୟତା। ଭୂମିହୀନ ଆଦିବାସୀ ହୋଇଥିଲେ ହେଁ ମୃତ ଦମ୍ପତିଙ୍କ ନାଁ‌ରେ ସ୍ଥାୟୀ ଜମିପଟ୍ଟା ନଥିଲା। ଏହି ପରିବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ଥିବା ଅଭିଯୋଗ ହୁଏ।


ସାପ କାମୁଡ଼ାରେ ମୃତ ବ୍ୟକ୍ତିଙ୍କୁ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସରକାରୀ ସହାୟତା ରାଶି ପ୍ରଦାନ ବ୍ୟବସ୍ଥା ଥିଲେ ହେଁ ୩ ଅନାଥ ଭାଇଭଉଣୀ ଏ ବାବଦରେ ସଂପୂର୍ଣ୍ଣ ଅଜ୍ଞ। ଏଯାବତ୍ ସେମାନେ ବାପାମାଆଙ୍କ ମୃତ୍ୟୁ ପ୍ରମାଣପତ୍ର ପତ୍ର ଯୋଗାଡ଼ର ବାଟ ପାଉନାହାନ୍ତି। ଉତ୍ତରାଧିକାର ପ୍ରମାଣପତ୍ର ଓ ଆନୁଷଙ୍ଗିକ କାଗଜାଦ୍‌ ସଂଗ୍ରହ କରିବାରେ ଅସମର୍ଥ କହନ୍ତି। ଏଯାବତ୍ ରାଜସ୍ବ ନିରୀକ୍ଷକ ଓ ପଞ୍ଚାୟତ ସ୍ତରୀୟ ଅଧିକାରୀ ତାଙ୍କ ପାଖେ ପହଞ୍ଚି ନଥିବା ଅଭିଯୋଗ ହୁଏ। ଏ ସଂପର୍କରେ ବିଡିଓ ପ୍ରଜ୍ଞା ପରମିତା ପୃଷ୍ଟିଙ୍କୁ ଯୋଗାଯୋଗ କରିବାରେ ଯଥାଶୀଘ୍ର ସେମାନଙ୍କ ପରିସ୍ଥିତି ଅନୁଧ୍ୟାନ କରି ପଦକ୍ଷେପ ନେବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe