ଧାଡ଼ିରେ ଠିଆହୋଇ ଟଳିପଡ଼ିଲେ ରୋଗୀ: ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା

ପୁତୁରାର ଠେଙ୍ଗାମାଡ଼ରେ ଦାଦାଙ୍କ ମୃତ୍ୟୁ

Kalinga Tv

ଯାଜପୁର ସଦର/ଦଶରଥପୁର: ଡାକ୍ତରଖାନାରେ ଡାକ୍ତର ଦେଖାଇବାକୁ ଧାଡ଼ିରେ ଠିଆହୋଇଥିବାବେଳେ ରୋଗୀଙ୍କ ଜୀବନ ଚାଲିଗଲା। ମୃତବ୍ୟକ୍ତି ଦଶରଥପୁର ବ୍ଲକ୍ ଚିତାଳୋ ପଞ୍ଚାୟତ ବରପଦା ଗ୍ରାମର ଶିବ ପ୍ରସାଦ ଖୁଣ୍ଟିଆ (୫୩)। ସେ ଯାଜପୁର ପୌରାଞ୍ଚଳ ଅର୍ନ୍ତଗତ ବିରଜାହାଟରେ କ୍ଷୁଦ୍ର ବ୍ୟବସାୟ କରି ପରିବାର ପ୍ରତିପୋଷଣ କରନ୍ତି।  ଗତକାଲି ସକାଳ ୮ଟାରେ ଘରୁ ଜଳଖିଆ ଖାଇ ଦୋକାନକୁ ଆସିଥିଲେ। ପୂର୍ବାହ୍ନ ପ୍ରାୟ ୧୦ ଟାରେ ଦୋକାନରେ ଥିବାବେଳେ ସେ ଅସୁସ୍ଥ ଅନୁଭବ କରିଥିଲେ। ତାଙ୍କ ଝିଅ ଜ୍ୟୋତ୍ସ୍ନାରାଣୀ ଖୁଣ୍ଟିଆ ବାପାଙ୍କୁ ସାଙ୍ଗରେ ଧରି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଜରୁରି ଚିକିତ୍ସା ଆବଶ୍ୟକ ଥିବାରୁ ଝିଅ ଜ୍ୟୋତ୍ସ୍ନାରାଣୀ ବହିର୍ବିଭାଗ ସମ୍ମୁଖରେ ଥିବା ସୁରକ୍ଷାକର୍ମୀଙ୍କୁ ବହୁ ଅନୁରୋଧ କରିଥିଲେ। ସୁରକ୍ଷାକର୍ମୀମାନେ ତାଙ୍କ କଥା ନଶୁଣି ଧାଡ଼ିରେ ଠିଆ କରାଇ ଦେଇଥିଲେ। ଏହି ସମୟରେ ଧାଡ଼ିରେ ଠିଆହୋଇଥିବା ଶିବ ପ୍ରସାଦ ହଠାତ ଟଳି ପଡ଼ିଥିଲେ। ସେହିଠାରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ବାପାଙ୍କୁ ହରାଇ ଜ୍ୟୋତ୍ସ୍ନାରାଣୀ ମଧ୍ୟ ସେଠା​ରେ ଚେତାଶୂନ୍ୟ ହୋଇପଡ଼ିଥିଲେ। ନିକଟରେ ଥିବା କିଛି ସହୃଦୟ ବ୍ୟକ୍ତିଙ୍କ ସହାୟତାରେ ତାଙ୍କ ଚେତା ଫେରିଥିଲା। ଡାକ୍ତର ଦେଖାଇ ନ ପାରିବାରୁ ତାଙ୍କ ବାପାଙ୍କ ମୃତ୍ୟୁ ଘଟିଲା ବୋଲି ଝିଅ ଜ୍ୟୋତ୍ସ୍ନାରାଣୀ କାନ୍ଦିକାନ୍ଦି ସେଠାରେ ଲୋଟିଯାଇଥିଲେ।

ଏ ଖବର ପାଇ ବିରଜା ହାଟ ବ୍ୟବସାୟୀ ସଂଘର ସଭାପତି ଅକ୍ଷୟ କୁମାର ସାହୁ ଓ ସଂପାଦକ ସୁରେନ୍ଦ୍ର ବାରିକଙ୍କ ସମେତ ବହୁ ବ୍ୟବସାୟୀ, ପତ୍ନୀ ମମତା ଖୁଣ୍ଟିଆ, ପୁଅ ଅବିନାଶ ଓ ଗ୍ରାମବାସୀ ପହଞ୍ଚିଥିଲେ। ଡାକ୍ତରଖାନାରେ ଅବ୍ୟବସ୍ଥା ଓ ସୁରକ୍ଷାକର୍ମୀଙ୍କ ଅମାନବିକତାକୁ ସମସ୍ତେ ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେହିପରି ଚିତାଳୋ ସରପଞ୍ଚ ବିଜୟଲକ୍ଷ୍ମୀ ଶତପଥୀ, ପୂର୍ବତନ ସରପଞ୍ଚ ସୀତାକାନ୍ତ ଶତପଥୀ, ସମିତିସଭ୍ୟ ବିଶ୍ୱଜିତ୍ ରାୟ, ସମାଜସେବୀ କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ ପ୍ରଭୃତି ତାଙ୍କ ବାସଭବନରେ ପହଞ୍ଚି ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି।
ଏ ବିଷୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶିବାଶିଷ ମହାରଣା କହିଛନ୍ତି, ଘଟଣା ସଂପର୍କରେ ଅବଗତ ଅଛୁ, ପରିବାର ପକ୍ଷରୁ ଲିଖିତ ଅଭିଯୋଗ ହୋଇନଥିଲେ ବି ଏହାର ତଦନ୍ତ ପାଇଁ ଏଡିଏମ୍‌ଓଙ୍କୁ ନିର୍ଦେଶ ଦିଆଯାଇଛି। ସେ ରିପୋର୍ଟ ଦେଲା ପରେ ପ୍ରକୃତ କାରଣ ଜଣାପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe