୧୪୪ ଧାରା ସତ୍ତ୍ବେ ଶ୍ରୀଧାମରେ ରଥଯାତ୍ରା

୧୪୪ ଧାରା ସତ୍ତ୍ବେ ଶ୍ରୀଧାମରେ ରଥଯାତ୍ରା

କାଳିଆପାଣି: କାଳିଆପାଣି ଖଣି ଅଞ୍ଚଳରେ ଗତ ୧ତାରିଖରୁ ଜାରି ହୋଇଥିବା ୧୪୪ ଧାରା ‌ସତ୍ତ୍ବେ ଆଜି ଶାନ୍ତିପୂର୍ଣ୍ଣ ଭାବେ ଶ୍ରୀଧାମ ରଥଯାତ୍ରା ସଂପନ୍ନ ହୋଇଛି। ଟାଟାଷ୍ଟିଲ କଲୋନିସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ(ଶ୍ରୀଧାମ)ରୁ କଲୋନି ପରିସରସ୍ଥିତ ମାଉସୀମା’ ମନ୍ଦିରକୁ ଜିଉମାନଙ୍କ ରଥ ଗଡ଼ିଛି। ଏସ୍‌ପି ଭିନୀତ ଅଗ୍ରୱାଲଙ୍କ ନିର୍ଦ୍ଦେଶରେ କଳିଙ୍ଗନଗର ଏଏସ୍‌ପି ସିଲଭେରିଅସ୍ ଟପ୍ପୋଙ୍କ ତତ୍ତ୍ବାବଧାନରେ ତଥା କାଳିଆପାଣି ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକଙ୍କ ନେତୃତ୍ବରେ ଏକ ପ୍ଲାଟୁନ ପୁଲିସ ଓ ୫୦ ରୁ ଅଧିକ ଟାଟାଷ୍ଟିଲ ସୁକିନ୍ଦା ନିରାପତ୍ତା ବାହିନୀ ବଳୟରେ ୧୦ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।

ଗତକାଲି ସକାଳେ ଜିଉମାନଙ୍କ ନବଯୌବନ ବେଶ ଓ ପୂଜାନୀତି ସମ୍ପନ୍ନ ‌ହୋଇଥିଲା। ରଥଖଳାରେ ସଂପୂର୍ଣ୍ଣ ରଥସ୍ନାନ ପରେ ହୋମଯଜ୍ଞ ପୂର୍ବକ ରଥ ପ୍ରତିଷ୍ଠା କରାଯାଇଥିଲା। ସୂର୍ଯ୍ୟ ପୂଜା, ମଙ୍ଗଳ ଆଳତି, ଅବକାଶ, ମଇଲମ ଓ ନୀତିଭୋଗ ପରେ ଅପରାହ୍ଣ ସାଢ଼େ ୪ଟାରେ ଗୋଟି ପହଣ୍ଡି କରାଯାଇ ଜିଉମାନଙ୍କୁ ରଥାରୂଢ଼ କରାଯାଇଥିଲା। ସୁକିନ୍ଦା ରାଜ ପରିବାର ସଦସ୍ୟ ଜ୍ୟୋତି ପ୍ରକାଶ ସିଂହଦେଓ ଛେରାପହଁରା କରିଥିଲେ। ସଂଧ୍ୟା ୫ଟାରେ ରଥଟଣା ଆରମ୍ଭ ହୋଇଥିଲା। ମଠ ଖୋକସାରୁ ନିମନ୍ତ୍ରିତ ସଂକୀର୍ତ୍ତନ ମଣ୍ଡଳୀ ନେତୃତ୍ବରେ କଲରଙ୍ଗି ଓ କାଳିଆପାଣି ସଂକୀର୍ତ୍ତନ ମଣ୍ଡଳୀ ରଥ ଆ‌ଗରେ ଭଜନ କୀର୍ତ୍ତନ ପରିବେଷଣ କରିଥିଲେ। ଶ୍ରୀଧାମରୁ ଜଗାବଳିଆ ମାର୍କେଟ୍, ତାରିଣୀ ମାର୍କେଟ୍‌, ମହାବୀର ବଜାର ଓ ଗଣେଶ ବଜାର ପରେ ଟାଟାଷ୍ଟିଲ ମେନଗେଟ୍‌ ବାଟରେ ରଥଟଣା ଯାଇଥିଲା। ଅସହ୍ୟ ଗୁଳୁଗୁଳି ସତ୍ତ୍ବେ ରଥ ଟାଣିବାକୁ ସାଧାରଣରେ ପ୍ରବଳ ଆଗ୍ରହ ଦେଖାଯାଇଥିଲା। ଜିଉମାନେ ୬ଟା ୫୫ ସୁଦ୍ଧା ମାଉସୀମା’ ମନ୍ଦିରରେ ପହଞ୍ଚିଥିଲେ। ସେବାୟତ ପରିଷଦ ପକ୍ଷରୁ ଉପେନ୍ଦ୍ର ନାରାୟଣ ଦାସ ଅଧିକାରୀ, ମାୟାଧର ଶତପଥୀ, ବିଦ୍ୟାଧର କର, ବିଦ୍ୟାଧର ଶତପଥୀ, ଦିବ୍ୟରଞ୍ଜନ କର ପୂଜାର୍ଚ୍ଚନା କରିଥିଲେ। ବଡ଼ଦାଣ୍ଡରେ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଓ ସମର୍ଥକଙ୍କ ସୌଜନ୍ୟରୁ ପ୍ରସାଦ ବଣ୍ଟନ କରାଯାଇଥିଲା। ରଙ୍ଗାଧର ମାର୍କେଟ୍‌ କମ୍ପ୍ଲେକ୍ସ ପକ୍ଷରୁ ଦହି ସରବତ ବଣ୍ଟନ କରାଯାଇଥିଲା। ପୁଲିସ ଏସ୍‌ଆଇ ଜ୍ୟୋତିରଞ୍ଜନ ମହାପାତ୍ର, ଏଏସ୍ଆଇ ପ୍ରଶାନ୍ତ କୁମାର ପଲେଇ, ଟାଟାଷ୍ଟିଲ ସୁକିନ୍ଦା ନିରାପତ୍ତା ମୁଖ୍ୟ ଅଞ୍ଜନା ତିୱାରି ସଦଳବଳ ଆଇନଶୃଙ୍ଖଳା ନିୟନ୍ତ୍ରଣ କରିଥିଲେ। ଜଗନ୍ନାଥ ସେବା ସମିତି ପକ୍ଷରୁ ଗୌତମ ଚକ୍ରବର୍ତ୍ତୀ, ନିହାର ରଞ୍ଜନ ମିତ୍ର, ସୁଜାତା ମାହାନା, ଅନଙ୍ଗ କୁମାର ମାହାନା, ରମାକାନ୍ତ ରାଉତ, ପ୍ରଶାନ୍ତ କୁମାର ଦାସ, ରାଜୀବ ଲୋଚନ ତ୍ରିପାଠୀ, ସନ୍ତୋଷ କୁମାର ପଣ୍ଡା, ନିଶାନ ମହାନ୍ତି, ଶିଶିର କୁମାର ସାହାଣୀ, ସଦାଶିବ ଦାସ, ପବିତ୍ର ଜେନା, ବିକାଶ କୁମାର ପାତ୍ର, ଆଶିଷ କୁମାର ଜେନା, କୃତିବାସ ଭଞ୍ଜ, ନୀଳମଣି ଓଝା ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe