କାଳିଆପାଣି (ରବି ନାରାୟଣ କର): ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଚିଙ୍ଗୁଡ଼ିପାଳ ପଞ୍ଚାୟତର ନଗଡ଼ା ପଡ଼ୋଶୀ ଦୁର୍ଗମ ତୁମୁଣି ଗାଁରେ ଏବେ ସାମୁହିକ ଘର ତୋଳିବାକୁ ନେଇ ଗ୍ରାମ୍ୟ ଏକତାର ଉତ୍କୃଷ୍ଟ ଉଦାହରଣ ଦେଖିବାକୁ ମିଳିଛି। ଲୋକେ ନିଜନିଜ ଘର ତିଆରିରେ ବ୍ୟସ୍ତ ରହିଛନ୍ତି। ଏଥର ପାରମ୍ପରିକ ଛଣଛପର ଓ ଝାଟିମାଟି ଘର ଛାଡ଼ି ଅଗ୍ନି ନିର୍ବାପନ ବ୍ୟବସ୍ଥାର ଆଜବେସଷ୍ଟସ୍ ଘର ତୋଳିବାକୁ ସାଧାରଣରେ ଉତ୍ସାହ ପ୍ରକାଶ ପାଇଛି। ଶାଳ କିମ୍ବା କଙ୍ଗଡ଼ା କାଠଖୁଣ୍ଟ ଉପରେ ଭାରତିଆ, ଶେଣି ଓ ବରଗା ପକାଯାଇ ଆଜବେସଷ୍ଟସ୍ ଛାଉଣି କରାଯାଉଛି। ଅଗ୍ନିକାଣ୍ଡ ପ୍ରବଣ ଏହି ଜୁଆଙ୍ଗ ବସ୍ତିରେ ଅଗ୍ନି ନିର୍ବାପନ ବ୍ୟବସ୍ଥାର ଘର ନିର୍ମାଣକୁ ଗୁରୁତ୍ବ ଦିଆଯାଇଛି।
କଟକ ବନଖଣ୍ଡ ଫରେଷ୍ଟ୍ ବ୍ଲକ-୨୭ ଦୈତାରୀ ସୁରକ୍ଷିତ ଜଙ୍ଗଲର କମ୍ଭାରୁଣି ପାହାଡ଼ ତଳେ ୨୬ଟି ଜୁଆଙ୍ଗ ଜନଜାତି ପରିବାରକୁ ନେଇ ତୁମୁଣି ଗାଁ ଗଢ଼ିଉଠିଛି। ଏଯାବତ୍ ଗାଁକୁ ରାସ୍ତା ଫିଟିନି। ପାନୀୟଜଳ ଓ ବିଦ୍ୟୁତ୍ ବ୍ୟବସ୍ଥା ବିନା ଗ୍ରାମବାସୀ ବହୁବିଧ ମୌଳିକ ସମସ୍ୟାରେ ସନ୍ତୁଳି ହେଉଛନ୍ତି। ଗରିବ ଜନଜାତିର ବର୍ଗର ହୋଇଥିଲେ ହେଁ ସମସ୍ତେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ରହିଛନ୍ତି। ପଡ଼ୋଶୀ ନଗଡ଼ାରେ ୭୫ ଜୁଆଙ୍ଗ ପରିବାରକୁ ସରକାରୀ ଆବାସ ଯୋଜନାରେ ପକ୍କାଘର ମିଳିଛି। ପାର୍ଶ୍ବସ୍ଥ ଗୁହିଆଶାଳ ମୌଜାର ୨୬ ଜୁଆଙ୍ଗ ପରିବାର ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଗଢ଼ା ହେଉଛି। ହେଲେ ସଂପର୍କୀୟ ତୁମୁଣି ଗାଁ ଆବାସ ଯୋଜନାରୁ ବାଦ୍ ପଡ଼ିବାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଇଥିଲା। ଦ୍ବିତୀୟତଃ ୨୦୧୫ ମସିହା ମାର୍ଚ୍ଚମାସ ଅଗ୍ନିକାଣ୍ଡରେ ତୁମୁଣି ଗାଁ ଧ୍ବସ୍ତବିଧ୍ବସ୍ତ ହୋଇଯିବା ଘଟଣା ଲୋକଙ୍କ ମନରୁ ଯାଇନି। କେବଳ ‘ସମ୍ବାଦ’ରେ ଏ ସଂପର୍କିତ ଖବର ପ୍ରକାଶନ ପରେ ତତ୍କାଳୀନ ତହସିଲଦାର ସରୋଜ କୁମାର ବେହେରା ସଦଳବଳ ୪ ଜଣ ଭାରୁଆଙ୍କ ସାଥୀରେ ଦେଓଗାଁରୁ ଗୁଳାବାଟରେ ପାହାଡ଼ ଚଢ଼ି ତୁମୁଣିରେ ରିଲିଫ୍ ପହୁଞ୍ଚାଇଥିଲେ। ଅଗ୍ନିକାଣ୍ଡ ପ୍ରବଣ ଓ ଜଳାଭାବ ପ୍ରପୀଡ଼ିତ ଏହି ବସ୍ତି ଅଗ୍ନିକାଣ୍ଡରୁ ମୁକୁଳିବା କଷ୍ଟକର ବ୍ୟାପାର ବୋଲି ପ୍ରତି ପରିବାରରେ ତିକ୍ତ ଅନୁଭୂତି ରହିଆସିଛି।
ଏସବୁକୁ ଦୃଷ୍ଟିରେ ରଖି ଗତମାସ ତୁମୁଣିରେ ମୁଖିଆ ମିଟୁ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଗ୍ରାମସଭା ଡକାଯାଇଥିଲା। ଘର ତୋଳିବାକୁ ସାଧାରଣରେ ସମ୍ମତି ପ୍ରକାଶ ପାଇଥିଲା। ଅଧିକାଂଶ ପରିବାର ଏଥିପାଇଁ ଟଙ୍କା ଜମା କରିଥିଲେ। କାଳିଆପାଣିର ଚଣ୍ଡୀ ଷ୍ଟୋରରୁ ମିନିଟ୍ରକ୍ରେ ନାଲିଆଡାବ ପର୍ଯ୍ୟନ୍ତ ଆଜବେସଷ୍ଟସ୍ ପରିବହନ ବ୍ୟବସ୍ଥା କରାଯାଇଥିଲା। ନାଲିଆଡାବରୁ ସ୍ବତନ୍ତ୍ର ଭାରରେ ଲୋକେ ୨ ଦିନଧରି ଗାଁକୁ ଆଜବେସଷ୍ଟସ୍ ବୋହିଥିଲେ। ପାହାଡ଼ି ଗୁଳାବାଟରେ ୩ କିଲୋମିଟର ଧରି ଆଜବେସଷ୍ଟସ୍ ବୁହା କଷ୍ଟକର ବ୍ୟାପାର ଥିଲା। ପୁରୁଣା ଘରର ଅଧିକାଂଶ ଗୃହନିର୍ମାଣ ସରଞ୍ଜାମ ନୂଆଘରରେ ବ୍ୟବହୃତ ହେଉଥିବା ଦେଖାଯାଇଛି। ଅପାଠୁଆ ଓ ନିରକ୍ଷର ହେଲେ ବି ଅଧିକାଂଶ ପରିବାର ମୁଖ୍ୟଙ୍କ ପାଖରେ ଗୃହ ନିର୍ମାଣର ବୈଷୟିକ ଜ୍ଞାନ ରହିଛି। ଘର ନିର୍ମାଣରେ ଜ୍ୟାମିତି ଓ ପରିମିତିର ପ୍ରୟୋଗ ଓ ଗାଣିତିକ ଜ୍ଞାନର ଉପଯୋଗରେ ସେମାନଙ୍କର ବିଶେଷ ଅନୁଭୂତି ଥିବା ଲକ୍ଷ୍ୟ କରାଯାଉଛି। ମିଟୁ ପ୍ରଧାନ, କାଳିଆ ପ୍ରଧାନ, ଦଶମନ୍ତିଆ ପ୍ରଧାନ, କ୍ଷେତ୍ର ପ୍ରଧାନ, ସିଙ୍ଗ ପ୍ରଧାନ, ଓଡ଼ିଆ ପ୍ରଧାନ, ମାଛୁଆ ପ୍ରଧାନ, ମାଣେ ପ୍ରଧାନ, ବରଜୁ ପ୍ରଧାନ, ପାଣ୍ଡୁ ପ୍ରଧାନ, ଦୀନା ପ୍ରଧାନ, ଶଙ୍ଖାଳି ପ୍ରଧାନ, କୈଳାସ ପ୍ରଧାନ ପ୍ରମୁଖ ନିଜନିଜ ଘର ତିଆରିରେ ମାତିଛନ୍ତି। ଗାଁର ୫ ଯୁବକ ସୁବନ ପ୍ରଧାନ, ରାଜବ ପ୍ରଧାନ, ଭଜନା ପ୍ରଧାନ, ରଘୁଆ ପ୍ରଧାନ ଓ ଟାଙ୍ଗରା ପ୍ରଧାନ ରାଜମିସ୍ତ୍ରି ଭାବେ ଗ୍ରାମବାସୀଙ୍କୁ ସହଯୋଗ କରୁଛନ୍ତି।
Follow Us