ଚଢ଼େଇଧରା: ଜେନାପୁର ଥାନା ଅଧୀନ ଡଙ୍କାରୀ କଳାପଥର ପାହାଡ଼ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି। ପଥର ତଳେ ଚାପି ହୋଇ ରହିଥିବା ୩ ଜଣ ଶ୍ରମିକଙ୍କ ମୃତଦେହ ଓ ମେସିନ ଉଦ୍ଧାର କରାଯାଇଛି। ପ୍ରଶାସନ ପକ୍ଷରୁ ଖଣି ଅଧିକାରୀଙ୍କ ନେତୃତ୍ୱରେ ପୁଲିସ, ରାଜସ୍ୱ ଓ ଏନ୍ଡିଆର୍ଏଫ୍ ଟିମ୍ ଶବ ଉଦ୍ଧାର କରିବା ପରେ ଚାରିଦିନର ଅପରେସନ ଶେଷ ହୋଇଛି। ତୃତୀୟ ଦିନ ଉଦ୍ଧାର ହୋଇଥିବା ଶବ ହିଟାଚି ଚାଳକ ଶ୍ରୀକାକୁଲମ ଜିଲ୍ଲା ଇଚ୍ଛାପୁର ତୁଳସୀ ଗ୍ରାମର ଏନ୍. ଉମାପତି ଓ ତୃତୀୟ ମୃତ ଶ୍ରମିକ ନବରଙ୍ଗପୁର ଜିଲ୍ଲା ସିଙ୍ଗିସାରୀ ଗ୍ରାମର ଧନେସିରାମ ଗୌଡ଼ଙ୍କ ପୁତ୍ର ସୁରେଶ ଗୌଡ଼ (୨୦) ବୋଲି ପୁଲିସ ସୂଚନା ଦେଇଛି।
ଡିଡିଏମ୍ ଜୟପ୍ରକାଶ ନାୟକଙ୍କ ସୂଚନା ଅନୁସାରେ ଦୁର୍ଘଟଣା ଘଟିଥିବା ଜାଗାରେ ମେସିନ ଓ ଶବ ଉଦ୍ଧାର ଶେଷ ହେବା ପରେ, ସେହି ଅଞ୍ଚଳଟିକୁ ଖଣି ବିଭାଗ ନିଜ ଅଧୀନକୁ ନେଇଛି। ଲିଜ୍ଧାରୀ ନାରାୟଣ ରାଉତଙ୍କୁ ଖଣି ଚଳାଇବାକୁ ଆବଶ୍ୟକ ଥିବା କାଗଜପତ୍ର ଓ ବିଭିନ୍ନ ତଥ୍ୟ ଖଣି ବିଭାଗ ପକ୍ଷରୁ ମଗାଯାଇଛି। ସର୍ଭେ ସଂସ୍ଥା ଦ୍ୱାରା ମାପଚୁପ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଡିଡିଏମ୍ ଶ୍ରୀ ନାୟକ ସୂଚନା ଦେଇଛନ୍ତି।
ଜେନାପୁର ଥାନା ଆଇଆଇସି ଶୁଭେନ୍ଦୁ କୁମାର ସାହୁଙ୍କ ସୂଚନା ଅନୁସାରେ ୩ ଶ୍ରମିକଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି। ତିନି ପରିବାର ପକ୍ଷରୁ ଲିଜ୍ଧାରୀଙ୍କ ବିରୋଧରେ କୌଣସି ଅଭିଯୋଗ କାରାଯାଇ ନାହିଁ। ମୃତ ଶ୍ରମିକଙ୍କ ପରିବାର ପକ୍ଷରୁ ଥାନାରେ ଲିଖିତ ଭାବେ ଅବଗତ କରାଯାଇଥିବା ଆଇଆଇସି ସୂଚନା ଦେଇଛନ୍ତି। ଲିଜ୍ଧାରୀ ନାରାୟଣ ରାଉତଙ୍କ କହିବା ଅନୁସାରେ, ଦୁର୍ଘଟଣାରେ ଶ୍ରମିକଙ୍କ ମୃତ୍ୟୁ ହେବା ଘଟଣା ଦୁଃଖଦାୟକ। ତେବେ କଳାପଥର ଖଣି ଚଳେଇବାକୁ ଆବଶ୍ୟକ ସମସ୍ତ ବୈଧ କାଗଜପତ୍ର ରହିଛି। ଖଣି ବିଭାଗ ପକ୍ଷରୁ ମଗାଯାଇଥିବା ସମସ୍ତ ତଥ୍ୟ ଯୋଗାଇଦେବା ସହ ମାମଲାର ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରାଯାଉଛି।
ଡଙ୍କାରୀ କଳାପଥର ପାହାଡ଼ ଦୁର୍ଘଟଣା: ଉଦ୍ଧାର କାର୍ଯ୍ୟ ଶେଷ, ୩ ଶ୍ରମିକଙ୍କ ମୃତଦେହ ଚିହ୍ନଟ
Advertisment
Follow Us