ଭିଜିଲାନ୍‌ସ ଜାଲରେ ରାଜସ୍ୱ ନିରୀକ୍ଷକ

ଘରେ, ଅଫିସ୍‌ରେ ଏକକାଳୀନ ଚଢ଼ଉ

ଭିଜିଲାନ୍‌ସ ଜାଲରେ ରାଜସ୍ୱ ନିରୀକ୍ଷକ

ଛତିଆ : ଯାଜପୁର ଭିଜିଲାନ୍‌ସ ବିଭାଗ ଆଜି ଦର୍ପଣ ତହସିଲ୍‌ ଅଧୀନ ଛତିଆ ରାଜସ୍ୱ ସର୍କଲ୍‌ର ରାଜସ୍ୱ ନିରୀକ୍ଷକ ସ୍ମିତାଞ୍ଜଳି ମହାନ୍ତିଙ୍କ ଅଫିସ୍‌ରେ ଚଢ଼ଉ କରି ତାଙ୍କୁ ଗିରଫ କରିଛି। ସେ ୧ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଯାଇଛନ୍ତି। ତାଙ୍କ ଘର ବିଂଝାରପୁର ବ୍ଲକ ମାଁସଡ଼ାରେ ମଧ୍ୟ ଚଢ଼ଉ କରାଯାଇଛି।

ଭିଜିଲାନ୍ସ ବିଭାଗର ସୂଚନା ଅନୁସାରେ, ବୈରୀ ଥାନା ଅନ୍ତର୍ଗତ ଛତିଆ ଅମରାବତି ପାଟଣା ବାଙ୍କନିଧି ସ୍ମାରକୀ ସେବାସଦନ ଚାରିଟେବୁଲ୍‌ ଟ୍ରଷ୍ଟ୍‌ର ଏକ ଜମି ପ୍ରମାଣୀକରଣ (ଭେରିଫିକେସନ୍‌) ପାଇଁ ଟ୍ରଷ୍ଟର ସମ୍ପାଦକ ଭାଗ୍ୟଧର ବିଶ୍ୱାଳ ଦୌଡ଼ିଦୌଡ଼ି ନୟାନ୍ତ ହୋଇଥିଲେ। ଆରଆଇ ସ୍ମିତାଞ୍ଜଳି ଶ୍ରୀ ବିଶ୍ୱାଳଙ୍କଠାରୁ ୧ ହଜାର ଟଙ୍କା ଦାବି କରିଥିଲେ। ଶ୍ରୀ ବିଶ୍ୱାଳ ଟଙ୍କା ଦେବାକୁ ରାଜି ହୋଇଥିଲେ। ତେବେ, ଏନେଇ ସେ ଯାଜପୁର ଭିଜିଲାନ୍‌ସ ଅଧିକାରୀଙ୍କୁ ଅବଗତ କରାଇଥିଲେ । ପୂର୍ବ ଯୋଜନା ମୁତାବକ ଶ୍ରୀ ବିଶ୍ୱାଳ ଆଜି ଅଫିସ୍‌ ଯାଇ ସ୍ମିତାଞ୍ଜଳିଙ୍କୁ ଟଙ୍କା ଦେଇଥିଲେ। ଭିଜିଲାନ୍‌ସ ବିଭାଗ ତରଫରୁ ଭାଗ୍ୟଧରଙ୍କୁ ଦୁଇଟି ସ୍ୱତନ୍ତ୍ର ୫୦୦ ଟଙ୍କିଆ ଦିଆଯାଇଥିଲା।

ଭାଗ୍ୟଧର ଏହି ଟଙ୍କା ସ୍ମିତାଞ୍ଜଳିଙ୍କୁ ଦେବାର କିଛି ସମୟ ପରେ ଯାଜପୁର ଭିଜିଲାନ୍‌ସ ଇନସ୍ପେକ୍‌ଟର ଅନସୂୟା ସେନାପତିଙ୍କ ନେତୃତ୍ୱରେ ଏକ ଦଳ ଚଢଉ କରି ସହକାରୀ ରାଜସ୍ୱ ନିରୀକ୍ଷକଙ୍କ ଟେବୁଲ୍‌ ଉପରେ ଥିବା ଫାଇଲ ତଳୁ ଏହି ଟଙ୍କା ଜବତ୍‌ କରିଥିଲେ। ଏଥିସହିତ, ସ୍ମିତାଞ୍ଜଳିଙ୍କୁ ଗିରଫ୍‌ କରିଥିଲେ। ୧୯୮୮ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ୫/୧୮ରେ ଏକ ମାମଲା ରୁଜୁ କରାଯାଇଛି। ଆସନ୍ତାକାଲି ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe