ବିରଜା ମନ୍ଦିର ରାସ୍ତା ବେହାଲ: ପାଲଟିଛି ମରଣଯନ୍ତା

Advertisment
ବିରଜା ମନ୍ଦିର ରାସ୍ତା ବେହାଲ: ପାଲଟିଛି ମରଣଯନ୍ତା

ଯାଜପୁରସଦର: ଯାଜପୁର ସହର ରାସ୍ତା ଏବେ ବିପର୍ଯ୍ୟସ୍ତ। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା‌ଙ୍କ ମନ୍ଦିରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଏହି ରାସ୍ତାଟି ମା’ଙ୍କ ମନ୍ଦିରକୁ ଯାଇଥିବା ସଂକ୍ରାନ୍ତରେ ସହର ପ୍ରବେଶପଥରେ ସୂଚନା ଫଳକ ଲାଗିଥିବାରୁ ପର୍ଯ୍ୟଟକଙ୍କ ଗାଡ଼ି ଏହି ବାଟେ ଯାଇ ହନ୍ତସନ୍ତ ହେଉଛନ୍ତି। ମାତ୍ର ଏଥିପ୍ରତି କେହି ଦୃଷ୍ଟି ଦେଉନାହାନ୍ତି। ବର୍ଷା ହେଉଥିବାରୁ ବଡ଼ବଡ଼ ଖାଲରେ ପୋଖରୀ ପରି ପାଣି ଜମିରହିଛି, ଯାହା ନାଳର ଭ୍ରମ ସୃଷ୍ଟି କରୁଛି।
ଯାଜପୁର ସହରର ମାନସାପୋଲଠାରୁ ବିରଜା ମନ୍ଦିରକୁ ଏହି ରାସ୍ତା ନିର୍ମାଣ ହୋଇଛି। ଏହି ବାଟରେ ମନ୍ଦିରକୁ ଅଳ୍ପ ଦୂରତା ହୋଇଥିବାରୁ ସହର ଟ୍ରାଫିକରୁ ମୁକ୍ତି ପାଇଁ ସବୁ ପର୍ଯ୍ୟଟକ ଗାଡ଼ି ଯାଇଥାନ୍ତି। ଭିତରେ ପଶିଲେ ରାସ୍ତା ବିପର୍ଯ୍ୟସ୍ତ ଅବସ୍ଥା ଦେଖି ପର୍ଯ୍ୟଟକ ନାକ ଟେକିଥାନ୍ତି। ଚାରି ଚକିଆ ଗାଡ଼ି ୫୦୦ ମିଟର ରାସ୍ତା ପାର ପାଇଁ ୨୦ ମିନିଟରୁ ଅଧିକ ସମୟ ଲାଗୁଛି।

publive-image

ରାସ୍ତାର ଚାରିଆଡ଼େ ବଡ଼ବଡ଼ ଗର୍ତ୍ତ ହୋଇଥିବାରୁ ଛୋଟ ଗାଡ଼ିଗୁଡିକ ଅନେକ ସମୟରେ ଫସି ରହୁଥିବା ଦେଖାଯାଉଛି। ଫଳରେ ପର୍ଯ୍ୟଟକମାନେ ଅଯଥାରେ ହଇରାଣ ହେଉଛନ୍ତି। ଗତବର୍ଷ ଏହି ରାସ୍ତାକୁ ପୂର୍ତ୍ତ ବିଭାଗ ଜରିଆରେ ଦୁଇମାସ ବ୍ୟବଧାନରେ ଦୁଇଦୁଇ ଥର ୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାରେ ମରାମତି କରାଯାଇଥିଲା। ଏହି ରାସ୍ତା ନୂତନ ଭାବେ ନିର୍ମାଣ ହେବାକୁ ଥିବାରୁ ଅଳ୍ପ ମୂଲ୍ୟରେ କେବଳ ମରାମତି କରାଯାଉଛି ବୋଲି ବିଭାଗୀୟ ଅଧିକ‌ାରୀ କହିଥିଲେ। ମାତ୍ର ମରାମତିର କୌଣସି ଚିହ୍ନ ଦେଖାଯାଉନାହିଁ। ଏହା ରାସ୍ତା ପଦବାଚ୍ୟ ହୋଇ ରହିନାହିଁ ବୋଲି ଅନେକ ପର୍ଯ୍ୟଟକ କହିଛନ୍ତି। ଏହି ବାଟ ଦେଇ ଲୋକେ ବିରଜା ହାଟ ସମେତ ଛାତ୍ରଛାତ୍ରୀ ବିରଜା ହାଇସ୍କୁଲ, ଚିତାଳୋ ମହାବିଦ୍ୟାଳୟ, ଏନ୍‌ସି କଲେଜକୁ ଯାତାୟାତ କରିଥାନ୍ତି। ଅନ୍ୟ ପଟେ ରାସ୍ତାରେ ମନ୍ଦିର ପାଇଁ ଲାଗିଥିବା ସୂଚନା ଫଳକକୁ ହଟାଯାଉ ନଥିବାରୁ ବହିରାଗତ ଶ୍ରଦ୍ଧାଳୁ ସମସ୍ୟାରେ ପଡୁଛନ୍ତି। ଏହି ରାସ୍ତାରେ ଭାରୀଯାନ ଯିବାକୁ ବାରଣ ଥିବା ସତ୍ତ୍ବେ ବଡ଼ବଡ଼ ଟ୍ରକ ଯାଉଥିବାରୁ ତାହା ଅଧିକ ନଷ୍ଟ ହେଉଛି। ତୁରନ୍ତ ଏହାର ମରାମତି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe