ବ୍ୟାସନଗର: ଯାଜପୁରରୋଡ ରେଳଷ୍ଟେସନ ପ୍ଲାଟ୍ଫର୍ମରେ ଆରପିଏଫ୍ କନେଷ୍ଟବଳ ଲାଲବିହାରୀ ରାମ ଟ୍ରେନ୍ରୁ ଖସି ପଡ଼ୁଥିବା ଜଣେ ଯାତ୍ରୀଙ୍କ ଜୀବନ ବଞ୍ଚାଇଛନ୍ତି। ଉକ୍ତ ଯାତ୍ରୀ ଜଣକ ହେଲେ ଗୁରୁପ୍ରୀତ ସିଂହ(୩୫)। ଗତକାଲି ସକାଳେ ଯାଜପୁରରୋଡରୁ ପୁରୁଷୋତ୍ତମ ଏକ୍ସପ୍ରେସ୍ରେ ସେ ନୂଆଦିଲ୍ଲୀ ଯିବା ପାଇଁ ଆସିଥିଲେ। ସକାଳ ୮.୨୭ରେ ୨ ନମ୍ବର ପ୍ଲାଟ୍ଫର୍ମରୁ ଛାଡ଼ି ଦେଇଥିବା ଟ୍ରେନ୍ରେ ଚଢ଼ିବାକୁ ଉଦ୍ୟମ କରୁଥିବା ବେଳେ ଖସି ପଡ଼ିଥିଲେ।
ଟ୍ରେନ୍ ଓ ପ୍ଲାଟ୍ଫର୍ମ ମଝିରେ ଗଳି ପଡ଼ୁଥିବା ଗୁରୁପ୍ରୀତଙ୍କୁ ନିକଟରେ ଥିବା ଆରପିଏଫ୍ କନେଷ୍ଟବଳ ଲାଲ ବିହାରୀ ରାମ ଦୌଡ଼ିଯାଇ ବାହାରକୁ ଟାଣି ଆଣିଥିଲେ। ଫଳରେ ତାଙ୍କ ଜୀବନ ରକ୍ଷା ହୋଇପାରିଥିଲା। ଉଦ୍ଧାର ଯାତ୍ରୀ ଗୁରୁପ୍ରୀତଙ୍କୁ ଛାଡ଼ି ଦିଆଯାଇଥିବା ବେଳେ କନେଷ୍ଟବଳ ଶ୍ରୀ ରାମଙ୍କ ଉଦ୍ୟମକୁ ଆରପିଏଫ ଅଧିକାରୀ ପ୍ରଶଂସା କରିଛନ୍ତି।
Follow Us