ବରାହ ଘାଟରେ ବେଆଇନ ବାଲିଗଦା

Advertisment
ବରାହ ଘାଟରେ ବେଆଇନ ବାଲିଗଦା

ଯାଜପୁରସଦର : ‌ବୈତରଣୀ ନଦୀରୁ ବାଲି ଚୋରାଚାଲାଣ କରି ମାଫିଆ ମାଲାମାଲ୍। ପୂର୍ବରୁ ଯେଉଁ ସ୍ଥାନରେ ୧୫ ହଜାରରୁ ଅଧିକ ଟ୍ରିପ୍‌ ବାଲି ନିଲାମ ହୋଇଥିଲା ସେଠାରେ ପୁଣି ବାଲି ପାହାଡ଼ କରାଯାଉଛି। ପ୍ରତି ରାତିରେ ବାଲି ସହର ନିକଟ ଅଞ୍ଚଳରୁ ଚୋରା ଚାଲାଣ ହେଉଥିବା ବେଳେ ଅବଶିଷ୍ଟ ଡମ୍ପିଂ କରାଯାଉଛି। ଜଣେ ସ୍ଥାନୀୟ ବ୍ୟକ୍ତି ବାଲି ଉଠାଉଥିବାରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନର ସାହସ ପାଉନି। ଅନ୍ୟପକ୍ଷରେ ବାଲି ମାଫିଆଙ୍କ ସହ ପ୍ରଶାସନ ସାମିଲ ଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ଯାଜପୁର ତହସିଲ ଅଞ୍ଚଳର ରୁଢ଼ିଆ ଠାରୁ ସୁନ୍ଦୁରେଇ ମୁହଁ ପର୍ଯ୍ୟନ୍ତ ବୈତରଣୀ ନଦୀ ଏବେ ଚୋରା ବାଲି ଚାଲାଣ ପାଇଁ ନଷ୍ଟ ହୋଇଯାଇଛି। ଯାଜପୁର ସହର ସମେତ ଭଦ୍ରକ ଜିଲ୍ଲାର ବାଲି ମାଫିଆମାନେ ମଧ୍ୟ ଯାଜପୁର ଘାଟରୁ ବାଲି ଲୁଟି ନେଉଛନ୍ତି। ତେବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ୨ଶହ ମିଟର ଦୂରରେ ବୈତରଣୀ ବାଲି ତାଡି ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତି କୋଟିପତି ହେଲେଣି। ଏନେଇ ପୂର୍ବ ତହସିଲଦାର ବାରମ୍ବାର ଚଢ଼ଉ ପରେ ବି ଚୋରା କାରବାରକୁ ରୋକା ଯାଇପାରିନି। ଖଣି ବିଭାଗକୁ କ୍ଷମତା ଗଲା ପରେ ଚୋରି ରୋକିବ ବୋଲି ଆଶା କରାଯାଇଥିଲେ ମଧ୍ୟ ତାହା ବି ହୋଇନି। ସାରାରାତି ଜଣେ ସ୍ଥାନୀୟ ବ୍ୟକ୍ତି ଜେସିବି ମେସିନ ଲଗାଇ ବାଲି ଉଠାଉଛନ୍ତି। ଏହାକୁ ନିଜର ଥିବା ୭/୮ଟି ଟ୍ରାକ୍ଟରରେ ସହର ଭିତ‌ରେ ଚଢ଼ା ମୂଲ୍ୟରେ ବିକ୍ରି କରି ଆସୁଛନ୍ତି। ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତି ଏହି ଅଞ୍ଚଳରେ ବ୍ୟାପକ ବାଲି ଜମା କରିଥିଲେ। ଏନେଇ ସମ୍ବାଦରେ ବାରମ୍ବାର ଖବର ପ୍ରକାଶ ପାଇବା ପରେ ତହସିଲ ପ୍ରଶାସନ ନାଲି ପତାକା ପୋତି ଏହାକୁ ଜବତ କରିଥିଲେ। ପରେ ଏହି ବାଲିକୁ ନିଲାମ କରାଯାଇଥଇା। ଏଥିରେ ମଧ୍ୟ ମାଫିଆମାନେ ଭୟଭୀତ ନହୋଇ ଚୋରା ବାଲି ବେପାର ଜାରି ରଖିଛନ୍ତି। ନଦୀରେ ପାଣି ଭିତରେ ମେସିନ ଦ୍ବାରା ବାଲି ଉତ୍ତୋଳନ ହେଉଥିବାରୁ ନଦୀଶଯ୍ୟା ବିପଦ ସଂକୁଳ ହୋଇଯାଉଛି। ବିଭିନ୍ନ ସମୟରେ ଏହି ସ୍ଥାନରେ ବୁଡ଼ି ଅନେକ ଲୋକଙ୍କ ଜୀବନ ଗଲାଣି। ତେଣୁ ଖଣି ବିଭାଗ ଏହି ବାଲି ଡମ୍ପିଂ ସମ୍ପର୍କରେ ଯାଞ୍ଚ କରି ଚୋରା କାରବାର ବନ୍ଦ କରିବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe