୪ ବର୍ଷ ହେଲାଣି ପ୍ରକ୍ରିୟା ଆରମ୍ଭ: ଯାଜପୁର କେନ୍ଦୁଝରରୋଡ ରେଳ ଷ୍ଟେସନର ନାମ ପରିବର୍ତ୍ତନ ହୋଇପାରିଲାନି

୪ ବର୍ଷ ହେଲାଣି ପ୍ରକ୍ରିୟା ଆରମ୍ଭ: ଯାଜପୁର କେନ୍ଦୁଝରରୋଡ ରେଳ ଷ୍ଟେସନର ନାମ ପରିବର୍ତ୍ତନ ହୋଇପାରିଲାନି

ବ୍ୟାସନଗର: ରତ୍ନଗିରି ଷ୍ଟେସନର ନାମ ପରିବର୍ତ୍ତନ ହୋଇ ଉଦୟଗିରି ରତ୍ନଗିରି ରୋଡ ହୋଇଗଲା। କିନ୍ତୁ ୪ ବର୍ଷ ହେଲାଣି ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଯାଜପୁର କେନ୍ଦୁଝରରୋଡ ରେଳଷ୍ଟେସନ ନାମ ପରିବର୍ତ୍ତନ ହୋଇପାରିଲାନି। ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
୧୮୯୨ ରେ ବେଙ୍ଗଲ, ନାଗପୁର ରେଳଲାଇନ୍ ସଂଯୋଗୀକରଣ ପରେ ପ୍ରଥମ ରେଳଷ୍ଟେସନର ନାମ ଡୋଲିପୁର ଥିଲା। ୧୯୫୪-୫୫ ରେ କେନ୍ଦୁଝରରୁ ଲୁହାପଥର ଓ ମାଙ୍ଗାନିଜ ଟ୍ରକ ଯୋଗେ ଆସିବା ପରେ ଏଠାରୁ ପରିବହନ ହେଉଥିଲା। ଏହାପରେ ୧୯୫୭ ମସିହାରେ ଡୋଲିପୁର ଷ୍ଟେସନର ନାମ ପରିବର୍ତ୍ତନ କରାଯାଇ ଯାଜପୁର କେନ୍ଦୁଝରରୋଡ ରେଳଷ୍ଟେସନ ନାମରେ ନାମିତ କରାଯାଇଥିଲା। ଦୀର୍ଘ ବର୍ଷ ହେଲା ଯାଜପୁର କେନ୍ଦୁଝର ରୋଡ ରେଳଷ୍ଟେସନ ନାମ ପରିବର୍ତ୍ତନ ପାଇଁ ଦାବି ହେଉଛି। ହେଲେ ରେଳ ମନ୍ତ୍ରଣାଳୟ କିମ୍ବା ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଗୁରୁତ୍ୱ ଦେଉନାହାନ୍ତି।
୨୦୧୯ରେ ଯାଜପୁର କେନ୍ଦୁଝରରୋଡ ରେଳଷ୍ଟେସନ ନାମ ପରିବର୍ତ୍ତନ କରି ଯାଜପୁର ରେଳଷ୍ଟେସନ ନାମରେ ନାମିତ କରିବା ପାଇଁ ରାଷ୍ଟ୍ରପତିଙ୍କୁ ଚିଠି ଲେଖାଯାଇଥିଲା। ରାଷ୍ଟ୍ରପତି ଭବନରୁ ନୋଟିସ ପ୍ରକାଶ ପାଇବା ପରେ ରେଳ ମନ୍ତ୍ରଣାଳୟ ଓ ରେଳ ବିଭାଗ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ନୋଟିସ କରାଯାଇଥିଲା। ଏହାପରେ ତତ୍କାଳୀନ ଜିଲ୍ଲାପାଳ ରଞ୍ଜନ କୁମାର ଦାସ ବ୍ୟାସନଗର ଅଞ୍ଚଳର ବୁଦ୍ଧିଜୀବୀ, ଶିକ୍ଷାବିତ୍, ବରିଷ୍ଠ ନାଗରିକ ଓ ଆଇନଜୀବୀଙ୍କ ମତାମତ ଲୋଡ଼ିଥିଲେ। ବ୍ୟାସଦେବଙ୍କ ନାମରେ ବ୍ୟାସନଗର, କଳିଙ୍ଗନଗର କିମ୍ବା ଯାଜପୁରରୋଡ ରେଳଷ୍ଟେସନ ନାମରେ ନାମିତ କରାଯାଉ ବୋଲି ସହରବାସୀ ପରାମର୍ଶ ଦେଇଥିଲେ। ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ ରେଳ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଅବଗତ କରାଇଥିଲେ।

ଉତ୍ତରପ୍ରଦେଶର ଏକ ଷ୍ଟେସନର ନାମ ବ୍ୟାସନଗର ଥିବାରୁ ଟିକଟ କାଟିବାରେ ସମସ୍ୟା ହେବ ବୋଲି ରେଳ ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଥିଲା। ତତ୍କାଳୀନ ଜିଲ୍ଲାପାଳ ଶ୍ରୀ ଦାସ ପୁଣି ବ୍ୟାସନଗରର ବୁଦ୍ଧିଜୀବୀମାନଙ୍କୁ ନେଇ ଏକ ବୈଠକ କରିଥିଲେ। ଏଥିରେ ଶ୍ରମିକ ନେତା ବିଦ୍ୟାଧର ମହାନ୍ତି, ପ୍ରଫୁଲ୍ଲ ନାୟକ, ପ୍ରାକ୍ତନ ନଗରପାଳ ରସାନନ୍ଦ ମହାନ୍ତି, ଆଇନଜୀବୀ ଚନ୍ଦ୍ରଶେଖର ପଣ୍ଡା, ବିବେକାନନ୍ଦ ମହାନ୍ତି, ସମାଜସେବୀ ପ୍ରଫୁଲ୍ଲ ବୋଇତାଇ, ବରିଷ୍ଠ ନାଗରିକ ମଞ୍ଚ ସମ୍ପାଦକ ଚନ୍ଦ୍ରମଣି ସାମଲ, ଶିକ୍ଷାବିତ୍ ଦୁଷ୍ମନ୍ତ ନାୟକ ଷ୍ଟେସନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। କେନ୍ଦୁଝରଗଡ଼ ଷ୍ଟେସନ ସ୍ଵତନ୍ତ୍ର ହେଲାଣି, ସୁକିନ୍ଦାକୁ ରେଳ ଚଳାଚଳ ଆରମ୍ଭ ହେଲାଣି ତେଣୁ ଷ୍ଟେସନର ନାମ ଯାଜପୁରରୋଡ ନାମରେ ନାମିତ କରିବାକୁ ସଂଖ୍ୟାଧିକ ବୁଦ୍ଧିଜୀବୀ ମତ ଦେଇଥିଲେ। ସର୍ବସମ୍ମତି ନିଷ୍ପତ୍ତି ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଷ୍ଟେସନର ନାମ ଯାଜପୁରରୋଡ କରାଯାଉ ବୋଲି କେନ୍ଦ୍ର ସରକାରଙ୍କୁ ଲିଖିତ ଭାବେ ଅବଗତ କରାଯାଇଥିଲା। ହେଲେ ଆଜକୁ ୩ ବର୍ଷ ହେଲାଣି ଏହା ଫାଇଲରେ ବନ୍ଧା ପଡ଼ିଛି ବୋଲି ଶ୍ରମିକ ନେତା ବିଦ୍ୟାଧର ମହାନ୍ତି ସୂଚନା ଦେଇଛନ୍ତି।
ଏନେଇ ମଧ୍ୟ ଗତ ସେପ୍ଟେମ୍ବର ୨୨ ତାରିଖରେ ଅନୁଷ୍ଠିତ ରେଲୱେ ଷ୍ଟିୟରିଂ କମିଟି ବୈଠକରେ ଷ୍ଟେସନ ନାମ ପରିବର୍ତ୍ତନ ସମ୍ପର୍କରେ ରେଳ ବିଭାଗ ଏସିଏମ ଜିଆର ନାୟକ, ଷ୍ଟେସନ ମ୍ୟାନେଜର ସମୀର ମହାନ୍ତିଙ୍କ ସହିତ କମିଟି କର୍ମକର୍ତ୍ତା ଅଧ୍ୟାପକ ଡ. ଅକ୍ଷୟ କୁମାର ପଣ୍ଡା, ପବିତ୍ର ମୋହନ ସାହୁ, ଶିବରତ୍ନ ମସ୍କୋରା, ବଜ୍ରବାହୁ ସାମନ୍ତ, ଭାଗୀରଥି ଆଚାର୍ଯ୍ୟ ଆଲୋଚନା କରିଥିଲେ। ରେଲୱ ବୋର୍ଡ ନିଷ୍ପତ୍ତି ଉପରେ ନାମ ପରିବର୍ତ୍ତନ ନିର୍ଭର କରୁଛି ବୋଲି ବିଭାଗୀୟ ଅଧିକାରୀ ସଫେଇ ଦେଇଥିଲେ। ଏ ସମ୍ପର୍କରେ ଷ୍ଟେସନ ମ୍ୟାନେଜର ସୁଧୀର କୁମାର ମହାପାତ୍ରଙ୍କୁ ପଚାରିବାରୁ କହିଥିଲେ ଯେ ରେଳ ମନ୍ତ୍ରଣାଳୟ ଡିଭିଜନକୁ ଚିଠି କରିବା ପରେ ଡିଭିଜନ୍ ପକ୍ଷରୁ ଷ୍ଟେସନକୁ ଚିଠି କରାଯିବ। ହେଲେ ସେଭଳି କିଛି ସୂଚନା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe