ସେବା ନିବୃତ୍ତ ଯବାନ ଏବେ ସଫଳ ଚାଷୀ: ଆଖୁଚାଷରେ ବର୍ଷକୁ ୫ ଲକ୍ଷ ଆୟ

ସେବା ନିବୃତ୍ତ ଯବାନ ଏବେ ସଫଳ ଚାଷୀ: ଆଖୁଚାଷରେ ବର୍ଷକୁ ୫ ଲକ୍ଷ ଆୟ

ଚଣ୍ଡିଖୋଲ: ‘ଜୟ ଯବାନ ଜୟ କିଷାନ’ ନାରାକୁ ସାର୍ଥକ ପ୍ରମାଣିତ କରିଛନ୍ତି ଧନେଶ୍ବର ସାମଲ। ଯୌବନର ଆଦ୍ୟଭାଗରେ ସେ ଯବାନ ଭାବେ ଦେଶ ପାଇଁ ଲଢ଼ୁଥିଲେ। ଅବସର ନେବା ପରେ ସେ ଏବେ ସଫଳ କୃଷକ ସାଜି ଉଦାହରଣ ସୃଷ୍ଟି କରିଛନ୍ତି। ସୁବେଦାର ମେଜର ଚାକିରିରୁ ଅବସର ନେବା ପରେ ଜଣେ ସଫଳ ଆଖୁଚାଷୀ ଭାବେ ନାମ କମାଇଛନ୍ତି ବଡ଼ଚଣା ବ୍ଲକ୍‌ ପଲେଇ ପଞ୍ଚାୟତ ବନ୍ଦରେଶ୍ୱର ଗ୍ରାମର ସ୍ବର୍ଗତ ଇନ୍ଦ୍ରମଣି ସାମଲଙ୍କ ପୁତ୍ର ଧନେଶ୍ୱର ସାମଲ। ଗତ ୫ ବର୍ଷ ଧରି ନିଜ ଘର ନିକଟରେ ଥିବା ୧୦ ଏକର ପରିମିତ ଜମିରେ ସେ ଆଖୁ ଓ ଧାନଚାଷ କରୁଛନ୍ତି। କେବଳ ଆଖୁଚାଷରୁ ସେ ବର୍ଷକୁ ୫ ରୁ ୬ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି ବୋଲି କହିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବେଳେବେଳେ କ୍ଷତି ମଧ୍ୟ ସହିଥାନ୍ତି। ​ତେବେ ପରିଶ୍ରମ ଓ ନିଷ୍ଠା ବଳରେ ସେ ତାକୁ ଭରଣା କରି ଆଗେଇ ଚାଲିଛନ୍ତି।

ଆଖୁଚାଷର ଜଗାରଖା ତଥା ଦେଖାଶୁଣା କରିବା ପାଇଁ ୨୦ ଜଣ ଶ୍ରମିକଙ୍କୁ ନିଯୁକ୍ତି କରିଛନ୍ତି। ଜମି ଚାରିକଡ଼ରେ ୪ ଲକ୍ଷରୁ ଅଧିକ ଟଙ୍କାର ତାରଜାଲି ବାଡ଼ ଲଗାଇଥିବା ବେଳେ ଆଖୁ କିଆରିକୁ ପାଣି ଯୋଗାଇବା ପାଇଁ ସେ ଲକ୍ଷାଧିକ ଟଙ୍କାରେ ଦୁଇଟି ବୋରିଂ କରିଛନ୍ତି। ଆଖୁ ପାକଳ ହୋଇଗଲେ ତାହାକୁ କାଟି ଆଇପିଏଲ୍‌ କମ୍ପାନିକୁ ବିକ୍ରି କରିଥାନ୍ତି। ଅବସର ପରେ ସେ ସଂପୂର୍ଣ୍ଣ ଭାବେ କୃଷକ ପାଲଟିଯାଇଛନ୍ତି ବୋଲି ଗର୍ବର ସହ କୁହନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe