କାଳିଆପାଣି (ରବି ନାରାୟଣ କର): ଟାଟାଷ୍ଟିଲ ଫାଉଣ୍ଡେସନ ପରିଚାଳିତ ସୁକିନ୍ଦା ଇକୋରେସ୍ ଟସର(ରେଶମ) ସଂରକ୍ଷଣ ପ୍ରକଳ୍ପକୁ ଅନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂଘ(ଆଇୟୁସିଏନ୍‌)ର ସୀକୃତି ପ୍ରାପ୍ତ ହୋଇଛି। କେନ୍ଦ୍ରୀୟ ରେଶମ ବୋର୍ଡ ଏବଂ କେନ୍ଦ୍ରୀୟ ରେଶମ ଗବେଷଣା ଓ ତାଲିମ ପ୍ରତିଷ୍ଠାନ(ସିଟିଆର୍‌ଟିଆଇ) ସହଭାଗିତାରେ ଏଠାରେ ବିଲୁପ୍ତପ୍ରାୟ ରେଶମ ପୋକ ପ୍ରଜାତିର ପୁନରୁଦ୍ଧାର ଓ ସଂରକ୍ଷଣ କରାଯାଇପାରିଛି। ପ୍ରକୃତି ଅନୁକୂଳ ଏହି ପ୍ରକଳ୍ପ ସମସ୍ତ ୮ ଗୋଟି ମାନଦଣ୍ଡ ପୂରଣକରି ୬୦ ପ୍ରତିଶତ ସଫଳତା ହାସଲ କରିଛି। ଆଇୟୁସିଏନ୍‌ ପକ୍ଷରୁ ନିର୍ଦ୍ଧାରିତ ୨୫ ସୂଚକାଙ୍କ ଠାରୁ ବହୁ ଉପରେ ରହି ଏହି ପ୍ରକଳ୍ପ ବିଶ୍ବସ୍ତରୀୟ ମାନକ ସଫଳତାରେ ବିରଳ ରେକର୍ଡ କରିଛି।

Advertisment

ବର୍ଷକରେ ୩ଟି ଜୀବନଚକ୍ର(ଟ୍ରିଭୋଲଟାଇନ୍‌) ଥିବା ରେଶମ ପୋକ ଏହି ମିଶ୍ରିତ ପତ୍ରଝଡ଼ା ଜଙ୍ଗଲରେ ବ୍ୟାପକ ଭାବେ ଦେଖା ଦେଉଥିଲେ। ଲାଗିକରି ଥିବା ଜାତୀୟ ରାଜପଥ-୫୩ ଏବଂ ଉଭୟ ପାର୍ଶ୍ବରେ ସୁକିନ୍ଦା କ୍ରୋମ୍‌ ଉପତ୍ୟକାର ଖଣିଅଞ୍ଚଳ ଓ କଳିଙ୍ଗନଗର ଶିଳ୍ପାଞ୍ଚଳ ପାଇଁ ଏହି ସ୍ବତନ୍ତ୍ର ସ୍ଥାନୀୟ ରେଶମ ପ୍ରଜାତି ବିଲୁପ୍ତ ପ୍ରାୟ ହୋଇଯାଇଥିଲା। ଏଥିସହ ପାରିପାର୍ଶ୍ବିକ ଅଞ୍ଚଳରେ ଜୀବନରେଖା ଓ ଜୀବିକା ପ୍ରଭାବିତ ହୋଇଥିଲା। ଟାଟାଷ୍ଟିଲ ଏହାକୁ ଗୁରୁତ୍ବର ସହ ଗ୍ରହଣକରି ୨୬ ହେକ୍ଟର ବ୍ୟାପୀ ଅର୍ଜୁନ ଓ ଅସନ ଜଙ୍ଗଲର ପୁନରୁଦ୍ଧାର ଉଦ୍ୟମ କରିଆସିଛି। ଏବେ ଏହି ଜଙ୍ଗଲ ଜୈବ ବିବିଧତାର ଅଳିନ୍ଦ (ଗନ୍ତାଘର) ପାଲଟିବା ସହ ଅଙ୍ଗାରକାମ୍ଳ ସନ୍ତୁଳନ ରକ୍ଷାକରି ପୂର୍ବରୁ ସମୃଦ୍ଧ ରେଶମ ପ‌ୋକ ପାଇଁ ପରିବେଶ ଚକ୍ର ପୁନଃନିର୍ମାଣରେ ସହାୟକ ହୋଇପାରିଛି।

ସ୍ଥାନୀୟ ଲୋକଙ୍କୁ ରୋଜଗାର

ଅଧୁନା ଏହି ପ୍ରକଳ୍ପ ୨ ଶହ ସ୍ଥାନୀୟ ପରିବାରକୁ ରୋଜଗାରକ୍ଷମ କରାଇପାରିଛି। ୫୦ ପରିବାର ରୋପଣ ଓ ଜଙ୍ଗଲ ସୁରକ୍ଷାରେ ନିୟୋଜିତ ଥିବା ସ୍ଥଳେ ୧୫୦ ପରିବାର ରେଶମ ଚାଷକୁ ଜୀବିକା ଭ‌ାବେ ଆପଣାଇଛନ୍ତି। ଏହି ଉଦ୍ୟୋଗ ଦ୍ବାରା ଦେଶର ୩ଟି ସ୍ଥାୟୀ ବିକାଶ ଲକ୍ଷ୍ୟ(ଏସ୍‌ଡିଜି) ୧ ଆଧାରରେ ଦାରିଦ୍ର୍ୟ ଦୂରୀକରଣ, ୧୩ ଆଧାରରେ ଜଳବାୟୁ ଅନୁକୂଳ କାର୍ଯ୍ୟଧାରା ଓ ୧୫ ଆଧାରରେ ଭୂମି ଉପରେ ଜୀବନ ଯୋଜନା ହାସଲ କରାଯାଇପାରିଛି। ଜୈବ ବିବିଧତା କାର୍ଯ୍ୟ ପ୍ରକ୍ରିୟା ଯୋଜନାର ପ୍ରକୃଷ୍ଟ କ୍ଷେତ୍ର ଆଖ୍ୟା ପାଇଥିବା ଏହି ପ୍ରକଳ୍ପ ସଂରକ୍ଷଣ ଓ ଜୀବିକା ବିକାଶ ମିଳନସ୍ଥଳର ଉତ୍କୃଷ୍ଟ ନମୁନା ବୋଲି ତଥ୍ୟାଭିଜ୍ଞ ମହଲରେ ମତ ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: Balabhadra Majhi: ସରକାରୀ ଯୋଜନା ତୃଣମୂଳସ୍ତରରେ ପହଞ୍ଚାଅ: ସାଂସଦ

ପ୍ରକଳ୍ପ ପରିବେଶ ପୁନରୁଦ୍ଧାର

ଏ ସଂପର୍କରେ ଟାଟାଷ୍ଟିଲ କ‌ର୍ପୋରେଟ୍‌ ସର୍ଭିସେସ୍‌ ଉପାଧ୍ୟକ୍ଷ ଡିବି ସୁନ୍ଦରରମଣ କହନ୍ତି ଯେ, ସୁକିନ୍ଦା ଇକୋରେସ ସଂରକ୍ଷଣ ପ୍ରକଳ୍ପ ପରିବେଶ ପୁନରୁଦ୍ଧାର, ଗୋଷ୍ଠୀ ସଶକ୍ତୀକରଣ ଓ ଅର୍ଥନୈତିକ ସମ୍ଭାବନାର ତ୍ରିବେଣୀ ସଂଗମ। ଯାହା ଦୀର୍ଘକାଳୀନ ବ୍ୟବସାୟିକ ସଫଳତା ଓ ସାମଜ କଲ୍ୟାଣ ସହ ଜଡ଼ିତ ହୋଇପାରିଛି। 

ଆହୁରି ପଢ଼ନ୍ତୁ: President Droupadi Murmu: ଭୁବନେଶ୍ୱରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ