ଯଯାତି ପରିକ୍ରମା ପ୍ରକଳ୍ପର ନୀଳନକ୍ସା: ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ଯଯାତି ପାର୍କ ଓ ଭବନ

ଯଯାତି ପରିକ୍ରମା ପ୍ରକଳ୍ପର ନୀଳନକ୍ସା: ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ଯଯାତି ପାର୍କ ଓ ଭବନ

ଯାଜପୁରସଦର,୫/୧୧ (ଇମିସ): ବଦଳିବ ରାଜା ଯଯାତିକେଶରୀଙ୍କ ସ୍ଥାପନସ୍ଥଳର ରୂପରେଖ। ମାସମାସ ହେବ ପୋଖରୀହୁଡ଼ାରେ ରାଜାଙ୍କୁ ଅଣଦେଖା କରି ବସାଇ ଦେଇଥିବାର ଖବର ‘ସମ୍ବାଦ’ରେ ପ୍ରକାଶ ପରେ ଯଯାତି ପରିକ୍ରମା ପ୍ରକଳ୍ପ (ଯଯାତି ପାର୍କ ସୌନ୍ଦର୍ଯ୍ୟୀକରଣ)ର ନୀଳନକ୍ସା ସାମ୍ନାକୁ ଆସିଛି। ଯାଜପୁର ପୌରପାଳିକା ପକ୍ଷରୁ ଏହାକୁ ତ୍ୱରିତ ବେଗରେ କାର୍ଯ୍ୟାରମ୍ଭ କରାଯିବ ବୋଲି ସୂଚନା ମିଳିଛି।
ସ୍ଥାନୀୟ ବିଧାୟକଙ୍କ ଉଦ୍ୟମରେ ଉତ୍କଳର ପୁରାତନ ରାଜଧାନୀ ଯାଜପୁର ସହର ଦିନକୁ ଦିନ ନୂଆ ରୂପରେ ସଜେଇ ହେଉଛି। ଆଗାମୀ ଶିକ୍ଷାବର୍ଷରୁ ଯଯାତି କେଶରୀ ମେଡିକାଲ କଲେଜରେ ନାମଲେଖା ଆରମ୍ଭ ହେବ। ରାଜା ଯଯାତି କେଶରୀଙ୍କ ସ୍ମୃତିରେ ଯାଜପୁର ସହର ଉପକଣ୍ଠ ବିଚିତ୍ରପୁର ପଞ୍ଚାୟତ ସଢ଼େଇପୋଖରୀରେ ଏକ ବଡ଼ପ୍ରକଳ୍ପ ହାତକୁ ନିଆଯାଇଥିବା ସୂଚନା ମିଳିଛି। ଏହି ପୋଖରୀକୁ ୨୦୧୯ ରୁ ଯାଜପୁର ପୌରପାଳିକା ଅଧିଗ୍ରହଣ କରିଛି। ପୋଖରୀ ସଂଲଗ୍ନ ୧୦ ଏକର ଜମିରେ ଯଯାତି ପାର୍କ ମୁଖ୍ୟ ଆକର୍ଷଣ ସାଜିବାକୁ ଯାଉଛି। ଏଠାରେ ଯଯାତିକେଶରୀଙ୍କ ମୂର୍ତ୍ତି ସ୍ଥାପିତ ହୋଇସାରିଛି। ଚତୁଃପାର୍ଶ୍ବରେ କୁନିପିଲାଙ୍କ ପାଇଁ ଶିଶୁଉଦ୍ୟାନ, ଘାଟ, ଅତ୍ୟାଧୁନିକ ରେସ୍ତୋରାଁ, ଶୌଚାଳୟ ନିର୍ମାଣ କରାଯିବ। ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକଙ୍କ ନିମାନ୍ତ ଯଯାତି ଭବନ ନିର୍ମାଣ ହେବ। ରାଜା ଯଯାତିକେଶରୀଙ୍କ ସ୍ମୃତିକୁ ଜୀବନ୍ତ  କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ଯାଜପୁର ପୌରପାଳିକା ପକ୍ଷରୁ ଏଭଳି ନୀଳନକ୍ସା ପ୍ରସ୍ତୁତ କରାଯାଇଛି। ପ୍ରକଳ୍ପ ପାଇଁ ସମସ୍ତ ଜମି ଅଧିଗ୍ରହଣ ଶେଷ ହୋଇଛି। କୁସୁମା ପରି ରାଜା ଯଯାତି ପ୍ରକଳ୍ପ ଅନ୍ୟତମ ଆକର୍ଷଣ ହେବାକୁ ଯାଉଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe