ଯୁବତୀଙ୍କୁ ବ୍ଲାକ୍‌ମେଲ୍‌ କରି ୨ ଗିରଫ

Advertisment

ଯାଜପୁରରେ ସାଇବର୍‌ ଅପରାଧ

ଯାଜପୁରରେ ସାଇବର୍‌ ଅପରାଧ

ଯୁବତୀଙ୍କୁ ବ୍ଲାକ୍‌ମେଲ୍‌ କରି ୨ ଗିରଫ

photo by : India Today

ହାଇଦ୍ରାବାଦ, ପୁନେ ଯାଏଁ ଚେର ଲମ୍ବିଛି

ଯାଜପୁରଟାଉନ/ସଦର : ଜଣେ ଯୁବତୀଙ୍କ ଅଶ୍ଳୀଳ ଫଟୋକୁ ସୋସିଆଲ୍‌ ମିଡ଼ିଆରେ ଛାଡ଼ିଦେବାର ଭୟ ଦେଖାଇ ଦେଢ଼ ଲକ୍ଷ ଟଙ୍କା ଦାବି କରୁଥିବା ୨ ଯୁବକଙ୍କୁ ଆଜି ଯାଜପୁର ପୁଲିସ୍‌ ଗିରଫ କରିଛି। ଏହି ଘଟଣା ପଛରେ ଏକ ବଡ଼ ର‍୍ୟାକେଟ୍‌ କାମ କରୁଛି। ଏହାର ଚେର ପୁନେ, ହାଇଦ୍ରାବାଦ ପର୍ଯ୍ୟନ୍ତ ଲମ୍ବିଥିବା ପୁଲିସ୍‌ କହିଛି।

ଗିରଫ ୨ ଅଭିଯୁକ୍ତ ହେଲେ ମଙ୍ଗଳପୁର ଥାନା ନଛିନ୍ଦ୍ରପୁର ଗ୍ରାମର ଅଭିନନ୍ଦନ ବିଶ୍ୱାଳ ଏବଂ ଜଗତସିଂହପୁର ଜିଲ୍ଲା ବାଲିକୁଦା ଅଞ୍ଚଳର ନିତ୍ୟାନନ୍ଦ ମହାନ୍ତି। ପୁଲିସ୍‌ର ସୂଚନା ଅନୁସାରେ, ମଙ୍ଗଳପୁରର ଜଣେ ଯୁବତୀ ଓ ଜଗତ୍‌ସିଂହପୁରର ଜଣେ ଯୁବକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା। ସେହି ସମୟରେ ଭିଡ଼ିଓ କଲିଂ ସହିତ ଉଭୟଙ୍କ ମଧ୍ୟରେ ଅନ୍ତରଙ୍ଗ ବାର୍ତ୍ତାଳାପ ହେଉଥିଲା। ସମ୍ପୃକ୍ତ ଯୁବତୀଙ୍କ କିଛି ଆପତ୍ତିଜନକ ଫଟୋ ମଧ୍ୟ ଯୁବତୀଙ୍କ ମୋବାଇଲ୍‌ରେ ରହି ଯାଇଥିଲା। ଏହାର କିଛିଦିନ ପରେ ଯୁବକଙ୍କର ଅନ୍ୟତ୍ର ବିବାହ ହୋଇଯାଇଥିଲା। କୌଣସି ପ୍ରକାର ଏହି ଫଟୋଗୁଡ଼ିକ ସମ୍ପୃକ୍ତ ଯୁବକଙ୍କ ସମ୍ପର୍କୀୟ ଭାଇ ଅଭିନନ୍ଦନଙ୍କ ନିକଟକୁ ଆସିଥିଲା। ଏହାପରେ ଅଭିନନ୍ଦନ ଯୁବତୀଙ୍କ ସହିତ ସୋସିଆଲ୍‌ ମିଡ଼ିଆରେ ସମ୍ପର୍କ ଯୋଡ଼ିବା ସହିତ ପ୍ରେମ ନିବେଦନ କରିଥିଲେ। ମାତ୍ର, ଯୁବତୀ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏଥିରେ କ୍ରୋଧାନ୍ଵିତ ହୋଇ ଅଭିନନ୍ଦନ ଫଟୋଗୁଡ଼ିକୁ ଯୁବତୀଙ୍କ ଭାଇଙ୍କ ନିକଟକୁ ପଠାଇବା ସହିତ  ବ୍ଲାକ୍‌ମେଲ୍‌ କରିଥିଲେ। ୨୭ ତାରିଖ ସୁଦ୍ଧା ଦେଢ଼ ଲକ୍ଷ ଟଙ୍କା ନ ଦେଲେ ସବୁ ଫଟୋ ସୋସିଆଲ୍‌ ମିଡ଼ିଆରେ ଛାଡ଼ି ଦେବା ପାଇଁ ଧମକ ଦେଇଥିଲେ। ଏହି କାର୍ଯ୍ୟରେ ତାଙ୍କୁ ନିତ୍ୟାନନ୍ଦ ସହଯୋଗ କରିଥିଲେ।

ଏ ନେଇ ମଙ୍ଗଳପୁର ଥାନାରେ କେସ ନଂ ୪/୧୮,ଦଫା ୩୮୪/୫୦୬/୩୪ ଆଇପିସି,୬୬ (ସି),୬୬(ଇ) ଓ ୬୭ ଆଇଟି ଆକ୍ଟରେ ମାମଲା ରୁଜୁ ହୋଇଥିଲା। ଏହାର ତଦନ୍ତ ଜାରି ରହିଥିବା ବେଳେ ଯାଜପୁର ଏସଡିପିଓ ପ୍ରଶାନ୍ତ କୁମାର ମଲ୍ଲଙ୍କ ନେତୃତ୍ଵରେ ମଙ୍ଗଳପୁର ପୁଲିସ ଗତକାଲି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଦୁହିଁଙ୍କ ଠାରୁ ୪ଟି ମୋବାଇଲ,ମୋବାଇଲରେ ଥିବା ଅଶ୍ଳୀଳ ଫଟୋ ଜବତ କରିଛନ୍ତି।

ପୁଲିସ୍‌ର କହିବାନୁସାରେ, ଏହି ଅଶ୍ଳୀଳ ଫଟୋ ପୁନେ, ହାଇଦ୍ରାବାଦରେ ରହୁଥିବା କେତେକ ଓଡ଼ିଆ ପିଲାଙ୍କ ନିକଟକୁ ବି ଚାଲିଯାଇଛି। ଏହି ଘଟଣା ସହିତ ସେମାନଙ୍କର କେତେ ସମ୍ପର୍କ ରହିଛି, ସେ ନେଇ ଖୋଳତାଡ଼ କରୁଥିବା ଏସଡିପିଓ ଶ୍ରୀ ମଲ୍ଲ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ଦ୍ଵୟଙ୍କୁ କୋର୍ଟଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe