କାଳିଆପାଣି (ରବି ନାରାୟଣ କର):କଟକ ବନଖଣ୍ଡର ଯାଜପୁରଜିଲ୍ଲା ସୁକିନ୍ଦା ଓ ଟମକା ବନାଞ୍ଚଳରେ ସାଢ଼େ ୪ ମାସ ଧରି ସାଧାରଣରେ ଚିନ୍ତା ବଢ଼ାଇଛନ୍ତି ୨ ଗୋଠଛଡ଼ା ଦନ୍ତାହାତୀ। ଗତ ୩ ବର୍ଷ ଧରି ବହୁ ସମୟରେ ଢେଙ୍କାନାଳ ବନଖଣ୍ଡ କପିଳାସ ଅଭୟାରଣ୍ୟରୁ ପଳାଇ ଆସୁଥିବା ବାହୁବଳୀ ଦନ୍ତା ଓ ଗତ ଅଗଷ୍ଟ ୨୮ ତାରିଖରୁ ଢେଙ୍କାନାଳର ଭୁବନ ବନାଞ୍ଚଳ ବ‌ାଉଁଶକଣ ଓ କାନଖାଇ ଜଙ୍ଗଲ ପଟୁ ଆସିଥିବା ଅନ୍ୟ ଏକ ଦନ୍ତା ଏବେ ଜଙ୍ଗଲ ପରିବର୍ତ୍ତେ ଜନବସତି‌ ପାଖେ ଘୂରି ବୁଲୁଛନ୍ତି। ଗାଁଗାଁରେ ପଶି ଧାନ ଖାଉଛନ୍ତି, ନଡ଼ିଆ ଓ କଦଳୀ କ୍ଷେତ ଉଜାଡ଼ୁଛନ୍ତି। ଯାହାକି ବନ ବିଭାଗ ପାଇଁ ଅଡ଼ୁଆ ହୋଇଛି।

Advertisment

ବନ ବିଭାଗ ପାଇଁ ଜଙ୍ଗଲ ସୁରକ୍ଷା ତୁଳନାରେ ୨ ହାତୀର ଗତିବିଧି ନିରୀକ୍ଷଣ ଓ ଜନ ସାଧାରଣଙ୍କୁ ସଚେତନ କରାଇବା କାର୍ଯ୍ୟ ମୁଖ୍ୟ ହୋଇଛି।ଡୁବୁରି ଡୁବିଖାଲ ଜଙ୍ଗଲରେ ଥିବା ଉଗ୍ର ସ୍ବଭାବର ଦନ୍ତା ଗତକାଲି ସଂଧ୍ୟା ଦ୍ରୁତଗତିରେ ସୁକିନ୍ଦା ବନାଞ୍ଚଳର କେନ୍ଦୁଆକଣ, ପୁ‌ରୁଷୋତ୍ତମପୁର ଓ ସାପୁଆପଦା ବାଟରେ ସୁକିନ୍ଦାଗଡ଼ ରଥଛକରେ ପହଞ୍ଚିଥଲା। ସାହିରେ ବେଧଡ଼କ ବୁଲିବା ସହ ବଡ଼ଦାଣ୍ଡରେ ଚାଲିଚାଲି ସୁକିନ୍ଦା ଥାନା ପର୍ଯ୍ୟନ୍ତ ଯାଇଥିଲା। ରେଙ୍ଗାଲି ବାମ କେନାଲ, ଗୋଲେଖପୁର ଓ ପୁବଳ ବାଟରେ ଦନ୍ତା ଆଜି ସକାଳୁ ଭୁବନର କାନଖାଇ ଜଙ୍ଗଲ ମୁହାଁ ହୋଇଛି। ରେଞ୍ଜର ସତ୍ୟବ୍ରତ ପ୍ରଧାନ, ବନପାଳ ମନୋରମା ହୋତା, ରାମ ତିରିଆ ଓ ପ୍ରଶାନ୍ତ ହେମ୍ବ୍ରମଙ୍କ ନେତୃତ୍ବରେ ବନରକ୍ଷୀ ଲଲାଟେନ୍ଦୁ କଅଁର ଓ କାଲାଇ ବାନସିଂଙ୍କ ସମେତ ୨୦ ଜଣିଆ ବନବାହିନୀ ହାତୀକୁ ଜଗି ରହିଥିଲେ।

ଆହୁରି ପଢ଼ନ୍ତୁ: Cricket: ରାଜକୋଟ ଦିନିକିଆକୁ ୭ ୱିକେଟ୍‌ରେ ଜିତିଲା ନ୍ୟୁଜିଲାଣ୍ଡ

ବୋତଲଣ୍ଡା ଗାଁରେ ଉପଦ୍ରବ

ସାଢ଼େ ୪ ମାସ ପୂର୍ବରୁ ଏହି ଦନ୍ତା ସାଥୀ ମାଈହାତୀ ସହ ଢେଙ୍କାନାଳ ବନଖଣ୍ଡ ଭୁବନ ରେଞ୍ଜ୍ ପଟୁ ଜାତୀୟ ରାଜପଥ-୫୩ ବାଟରେ ସୁକିନ୍ଦା ବୋତଲଣ୍ଡା ଗାଁରେ ଉପଦ୍ରବ କରିଥିଲା। କପିଳାସ ଅଭୟାରଣ୍ୟର ଅନ୍ୟ ଏକ ଶାନ୍ତ ସ୍ବଭାବର ଦନ୍ତାହାତୀ(ବାହୁବଳୀ) ସାଥୀରେ ଟମକା, ବ୍ରାହ୍ମଣୀପାଳ, ଆନନ୍ଦପୁର ଓ ଦେଓଗାଁ ରେଞ୍ଜ୍ ବୁଲିଥିଲା। ବାହୁବଳୀ ଦନ୍ତା ଯିବା ଓ ଫେରିବା ବାଟରେ ଅଧିକାଂଶ ସମୟ ଜନବସତି ପାଖେ ଘୂରି ବୁଲୁଥିଲା।  ସେପ୍ଟେମ୍ବର ୨୨ ତାରିଖରେ ଏହା କପିଳାସ ଫେରି ଯାଇଥିଲା। ଦେଓଗାଁରୁ ଏକୁଟିଆ ହୋଇଯାଇଥିବା ଉକ୍ତ ଦନ୍ତା ଦେଢ଼ମାସ ଧରି ସୋର ଓ କୁଲଡିହା ଜଙ୍ଗଲରେ ରହିଥିଲା।

ଆହୁରି ପଢ଼ନ୍ତୁ: Iran Protests: ଇରାନରେ ବିକ୍ଷୋଭକାରୀଙ୍କ ବିରୋଧରେ ସରକାରଙ୍କ ଦମନମୂଳକ କାର୍ଯ୍ୟାନୁଷ୍ଠାନ !

କୁପାରୀରେ ଜଣେ ଲୋକଙ୍କୁ ଦଳିଥିଲା

ଡିସେମ୍ବର ୧୯ ତାରିଖରେ ସୋର କୁପାରୀରେ ଜଣେ ଲୋକଙ୍କୁ ଦଳି ମାରିଥିଲା। କିଛିଦିନ ପୂର୍ବରୁ ଏହି ଦନ୍ତା ନୀଳଗିରି ଇଲାକାରେ ଆଉ ଜଣଙ୍କୁ କଚାଡ଼ି ମାରିଥିଲା। ଭଦ୍ରକ, ଆନନ୍ଦପୁର, ଟମକା, ସୁକିନ୍ଦା ବନାଞ୍ଚଳ ହୋଇ ଢେଙ୍କାନାଳ ଫେରିବା ବାଟରେ ଦନ୍ତା ଖଣିଅଞ୍ଚଳର ବିଭିନ୍ନ ଖଳାରେ ପଶି ଧାନ ଖାଇଥିଲା। ବାଡ଼ିବଗିଚାର ନଡ଼ିଆଗଛ ଓ କଦଳୀଗଛ ଉଜାଡ଼ିଥଲା। ଗତ ୨୭ ତାରିଖରେ ରଗଦା ସ୍କୁଲ ପାଚେରି ଭାଙ୍ଗି ରଗଦା ଡ୍ୟାମ ତଳେ କାମାକ୍ଷାନଗର(ପୂର୍ବ) ବନାଞ୍ଚଳ ପଳାଇଥିଲା। ୧୦ ଦିନ ପରେ ଦନ୍ତା ପୁଣି ସୁକିନ୍ଦା ଓ ଟମକା ବନାଞ୍ଚଳକୁ ଫେରି ଉପଦ୍ରବ କରୁଥିବା ସାଧାରଣରେ ଅଭିଯୋଗ ହୋଇଛି।