ରଗଡ଼ି: ୨୦ ନମ୍ବର ଜାତୀୟ ରାଜପଥର ଆନନ୍ଦପୁରରୁ ପାଣିକୋଇଲି ଅଭିମୁଖେ ଆସିଥିବା ରାସ୍ତାର ଦୂରତାକୁ ନେଇ ସାଧାରଣ ପଥଚାରୀଙ୍କ ମଧ୍ୟରେ ଭ୍ରମ ସୃଷ୍ଟି ହୋଇଛି । ରାସ୍ତାର ବିଭିନ୍ନ ସ୍ଥାନରେ ଲାଗିଥିବା ସୂଚନା ଫଳକରେ ଭୁଲ ସୂଚନା ଉଲ୍ଲେଖ ଥିବାରୁ ଏପରି ସ୍ଥିତି ଉପୁଜିଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ସ୍ଥାନୀୟ ନାଗରିକ ଏ ସମ୍ପର୍କରେ ଜଣାଇଥିଲେ ମଧ୍ୟ ସେମାନେ ତ୍ରୁଟି ସଂଶୋଧନର ନାଁ ଧରୁନାହାନ୍ତି। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। 

Advertisment

ଆହୁରି ପଢନ୍ତୁ- Minor Girl Raped: ସଂପର୍କ ଭୁଲିଗଲା ସଂପର୍କୀୟ ମାମୁ, ନାବାଳିକା ଭାଣିଜୀକୁ କଲା ଦୁଷ୍କର୍ମ!

ସୂଚନା ଥାଉକି, ରାଜ୍ୟର ଏହି ରାସ୍ତା ଏବେ ଏକ ଗୁରୁତ୍ବପୂର୍ଣ୍ଣ ତଥା ଅନ୍ତଃରାଜ୍ୟ ସଡ଼କ ଭାବେ ପରିଚିତ ହୋଇଛି। ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଏହି ରାସ୍ତାଦେଇ ପ୍ରତିଦିନ ହଜାର ହଜାର ଗାଡ଼ି ଯାତାୟାତ କରୁଥିବା ବେଳେ ‌ଘଟଗାଁ ସ୍ଥିତ ମା’ ତାରିଣୀ ପୀଠକୁ ମଧ୍ୟ ଏହି ରାସ୍ତା ଯାଇଛି। ତେବେ ଏହି ରାସ୍ତାର ଆନନ୍ଦପୁର ଆଡ଼ୁ ପାଣିକୋଇଲି ଅଭିମୁଖେ ଆସିଲେ ରଗଡ଼ି ଓଭରବ୍ରିଜ୍‌ ନିକଟରେ ଲାଗିଥିବା ଏକ ସୂଚନା ଫଳକରେ ଯାଜପୁର ରୋଡ୍‌ର ଦୂରତା ୯ କିଲୋମିଟର ଲେଖାଯାଇଥିବା ବେଳେ ଏହାର ପ୍ରାୟ ଏକ କିଲୋମିଟର ଦୂର ଅର୍ଥାତ୍‌ ଓଭରବ୍ରିଜ୍‌ର ଶେଷ ଭାଗରେ ଲାଗିଥିବା ଅନ୍ୟ ଏକ ସୂଚନାଫଳକରେ ଯାଜପୁର ରୋଡ୍‌ର ଦୂରତା ୬ କିଲୋମିଟର ଉଲ୍ଲେଖ ରହିଛି। 

ଆହୁରି ପଢନ୍ତୁ- Maoists Encounter: ପୈତୃକ ଘରେ ପହଞ୍ଚିଲା ଦୁର୍ଦ୍ଦାନ୍ତ ମାଓନେତା ହିଡ଼ମାର ମରଶରୀର

ଖାଲି ସେତିକି ନୁହେଁ ସେଠାରୁ ପାଖାପାଖି ଆଉ ଗୋଟିଏ କିଲୋମିଟର ଆଗକୁ ଆସିଲେ ସେଠାରେ ଲାଗିଥିବା ଆଉ ଏକ ସୂଚନାଫଳକରେ ମଧ୍ୟ ଯାଜପୁର ରୋଡ୍‌ର ଦୂରତା ୮ କିଲୋମିଟର ଦର୍ଶାଯାଇଛି। ଏହା ବ୍ୟତୀତ ଏହି ରାସ୍ତାର ଅନ୍ୟ ସ୍ଥାନଗୁଡ଼ିକରେ ମଧ୍ୟ ଆହୁରି ଅନେକ ଭ୍ରମାତ୍ମକ ସୂଚନାମାନ ସୂଚନାଫଳକରେ ଉଲ୍ଲେଖ ରହିଛି । ଫଳରେ ଏହାକୁ ନେଇ ଅନେକ ସମୟ‌ରେ ଯାନବାହନ ଚାଳକ ଓ ସାଧାରଣ ଯାତ୍ରୀଙ୍କ ମନରେ ଦ୍ବନ୍ଦ୍ବ ସୃଷ୍ଟି ହେଉଛି। ତୁରନ୍ତ ଏହି ତ୍ରୁଟି ସଂଶୋଧନ କରାନଗଲେ ସ୍ଥାନୀୟ ନାଗରିକ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିବେ ବୋଲି ଚେତାବନୀ ‌ଦେଇଛନ୍ତି।