ପାଣିକୋଇଲି: ରାତିରେ ହୋଇଥାନ୍ତା ବାହାଘର। ହାତଗଣ୍ଠି ପଡ଼ିଥାନ୍ତା। ଏକ ନୂଆ ଜୀବନ ଆରମ୍ଭ କରିଥାନ୍ତେ। କିନ୍ତୁ ବେଦିକୁ ଯିବା ପୂର୍ବରୁ ସକାଳୁ ସେ ବିଷ ପିଇଦେଲେ। ପାଣିକୋଇଲି ଗ୍ରାମର ସୁବାସ ପରିଡ଼ାଙ୍କ ଝିଅ ସୁଷମା ପରିଡ଼ା (୨୪) କୀଟନାଶକ ପିଇ ଜୀବନ ହାରି ଦେଇଛନ୍ତି। ଗତ ୩ ତାରିଖ ଦିନ ତାଙ୍କର ବିବାହ ସ୍ଥିର ହୋଇଥିଲା। ପାଣିକୋଇଲି କଲ୍ୟାଣମଣ୍ଡପରେ ଏଥିପାଇଁ ସମସ୍ତ ଆୟୋଜନ ସରିଥିଲା। ପରିବାରରେ ଖୁସିର ପରିବେଶ ରହିଥିଲା। କିନ୍ତୁ କୌଣସି କାରଣରୁ ସୁଷମା ଖୁସି ନଥିଲେ। କେହି କିଛି ଜାଣିବା ଆଗରୁ ସେଦିନ ସକାଳୁ ସେ କୀଟନାଶକ ପିଇଦେଇଥିଲେ।
ପରିବାର ପକ୍ଷରୁ ତାଙ୍କୁ ପ୍ରଥମେ ଯାଜପୁର ଡାକ୍ତରଖାନା ଓ ପରେ କଟକ ନିଆଯାଇଥିଲା। ସେଠାରେ ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଗତକାଲି ଅପରାହ୍ଣରେ କଟକ ବଡ଼ ଡାକ୍ତରଖାନାରୁ ଶବ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଗାଁ ଶ୍ମଶାନରେ ଶେଷକୃତ୍ୟ କରାଯାଇଛି।
Follow Us