ମାସକ ପରେ ଓଢ଼ଣଷଷ୍ଠୀ; ପ୍ରଶାସନର ଚିନ୍ତା ନାହିଁ

Advertisment

ସମସ୍ୟା ଘେରରେ ମହାପୁରୁଷ ଯଶୋବନ୍ତ ଦାସ ଗୋସ୍ବାମୀଙ୍କ ପୀଠ

ସମସ୍ୟା ଘେରରେ ମହାପୁରୁଷ ଯଶୋବନ୍ତ ଦାସ ଗୋସ୍ବାମୀଙ୍କ ପୀଠ

ମାସକ ପରେ ଓଢ଼ଣଷଷ୍ଠୀ; ପ୍ରଶାସନର ଚିନ୍ତା ନାହିଁ

Sambad

ବିରିଡ଼ି: ଜଗତସିଂହପୁର ଜିଲ୍ଲା ବିରିଡ଼ି ବ୍ଲକ୍‌ ଅଢ଼ଙ୍ଗଗଡ଼ ନାଇଲୋସ୍ଥିତ ମହାପୁରୁଷ ଯଶୋବନ୍ତ ଦାସ ଗୋସ୍ୱାମୀଙ୍କ ପୀଠରେ ଆଉ ଏକ ମାସ ପରେ ଓଢଣଷଷ୍ଠୀ (ଶ୍ରାଦ୍ଧୋତ୍ସବ) ପାଳନ କରାଯିବ। ଉକ୍ତ ଦିବସରେ ପୀଠକୁ ସାରା ରାଜ୍ୟରୁ ଜଗନ୍ନାଥ ପ୍ରେମୀ ସାଧୁସନ୍ଥ, ସାହିତ୍ୟିକ, କବି, ସ୍ୱେଚ୍ଛାସେବୀ ଓ ଭକ୍ତମାନଙ୍କର ସୁଅ ଛୁଟିବ। ଦୁଇବର୍ଷ ହେଲା ମହାମାରୀ କରୋନା ପାଇଁ ପ୍ରତିବନ୍ଧକ ଲାଗିଥିବାରୁ ଚଳିତବର୍ଷର ପର୍ବରେ ବେଶ୍ ଜନଗହଳି ହେବାର ସମ୍ଭାବନା ରହିଛି। ହେଲେ କାହିଁ କେଉଁ କାଳରୁ ସାରା ରାଜ୍ୟରେ ଏହି ପୀଠଟି ଜଗନ୍ନାଥ ପ୍ରେମୀଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ ସୁଦ୍ଧା ପ୍ରାଶାସନିକ ଦୃଷ୍ଟି ଆଢ଼ୁଆଳରେ ରହିଯାଇଛି। ଯାହା ଫଳରେ ଭକ୍ତମାନଙ୍କ ସୁବିଧା ପାଇଁ ଏହି ସ୍ଥାନରେ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ପୀଠକୁ ଭଲ ରାସ୍ତାଟିଏ ନଥିବା ବେଳେ ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କ ପାଇଁ ଶୌଚାଳୟ ଓ ପରିସ୍ରାଗାରଟିଏ ନାହିଁ। ଯାତ୍ରୀ ନିବାସ, ସୁରକ୍ଷା ପ୍ରାଚୀର, ସଭାଗୃହ, ରୋଷଘର, ଭୋଜନାଲୟ, ପାନୀୟଜଳର ବ୍ୟବସ୍ଥା ନାହିଁ। ମାଳିକା ପ୍ରସିଦ୍ଧ ଏହି ପୀଠ ପ୍ରତି ରାଜ୍ୟ ପର୍ଯ୍ୟଟନ ବିଭାଗ, ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ରାଜ୍ୟ ଦେବୋତ୍ତର ଆୟୁକ୍ତ ସମ୍ପୂର୍ଣ ଆଖି ବୁଜି ଦେଇଥିବା କୁହାଯାଉଛି। ଏହି ପୀଠର ଉନ୍ନତି ପାଇଁ ୧୯୯୮ ମସିହାରେ ଦେବୋତ୍ତର ଆୟୁକ୍ତ ଏହାର ନିୟନ୍ତ୍ରଣ ଦାୟିତ୍ୱ ହାତକୁ ନେଇଥିଲେ। ଏଥିପାଇଁ ଏକ ଟ୍ରଷ୍ଟ ବୋର୍ଡ ଗଠନ କରାଯାଇ ବିରିଡ଼ି ତହସିଲଦାରଙ୍କୁ ପରିଚାଳନା ଟ୍ରଷ୍ଟି ଭାବେ ସରକାର ମନୋନୀତ କରିଛନ୍ତି। ସରକାରଙ୍କର ଭୂମିକା ଏତିକିରେ ଶେଷ ହୋଇଯାଇଛି। ବାର୍ଷିକ ପର୍ବପର୍ବାଣି ପାଳନ ଭକ୍ତ ଓ ଗବେଷକଙ୍କ ରାତ୍ରୀ ଯାପନ ପାଇଁ ଘରଟିଏ ନାହିଁ। କାଗଜ କଲମରେ ଟ୍ରଷ୍ଟ ବୋର୍ଡ ସକ୍ରିୟ ରହିଥିବା ବେଳେ ବାସ୍ତବ ଚିତ୍ର ଅଲଗା। ଆଜି ପର୍ଯ୍ୟନ୍ତ ଦୈନନ୍ଦିନ ନୀତିକାନ୍ତି ପାଇଁ ଟଙ୍କାଟିଏ ଆର୍ଥିକ ସହାୟତା ସରକାର ପ୍ରଦାନ କରି ନାହାନ୍ତି।

ମହାପୁରୁଷଙ୍କ ଶହ ଶହ ଏକର ଭୂସମ୍ପତ୍ତି ଥିଲେ ସୁଦ୍ଧା ସବୁତକ ଜବରଦଖଲରେ ରହିଛି। ଭୂସମ୍ପତିରୁ ଟଙ୍କାଟିଏ ଆୟ ଆସୁ ନାହିଁ। ଜିଲ୍ଲାର ବିଭିନ୍ନ ତହସିଲ ଅଧୀନରେ ମହାପୁରୁଷ ଯଶୋବନ୍ତଙ୍କ ନାମରେ ଭୂସମ୍ପତ୍ତି ଥିବା ସତ୍ତ୍ବେ ଜବରଦଖଲ ଓ ସ୍ଥିତିବାନ ରେକର୍ଡ କରି କିଛି ଲୋକ ସୁଖ ସ୍ୱଚ୍ଛନ୍ଦରେ ରହିଛନ୍ତି। ଅଥଚ ପୀଠ ପ୍ରତି ସେମାନଙ୍କର ଅବଦାନ ଆଦୌ ନାହିଁ। କେବଳ ମହାପୁରୁଷଙ୍କ ପୀଠରେ ଥିବା ଦାନ ବାକ୍ସ ଚାବି ଖୋଲିବା ଦିନ ତହସିଲଦାର ଓ ଥାନା ଅଧିକାରୀଙ୍କ ଦର୍ଶନ ମିଳିଥାଏ। ଏହି ଅର୍ଥ ହିଁ ବାର୍ଷିକ ନୀତି ପାଇଁ ଖର୍ଚ୍ଚର ମୁଖ୍ୟ ଆୟୁଧ ଅଟେ। କେବଳ ନାମ ଫଳକରେ ଏହି ପୀଠର ପ୍ରଚାର ଓ ପ୍ରସାର ସୀମିତ ରହିଛି। ଆଜି ପର୍ଯ୍ୟନ୍ତ ଜିଲ୍ଲାସ୍ତରୀୟ କୌଣସି ଅଧିକାରୀ ପୀଠର ଉନ୍ନତି ନିମନ୍ତେ ମୁଣ୍ଡ ଖେଳାଉ ନାହାନ୍ତି। କେବଳ ମହାପୁରୁଷଙ୍କ ବାର୍ଷିକ ଶ୍ରାଦ୍ଧୋତ୍ସବ ଓଢ଼ଣଷଷ୍ଠୀରେ କିଛି ପୁଲିସ ଓ ପ୍ରାଶାସନିକ ଅଧିକାରୀ ପଇନ୍ତରା ମାରି ନିଜର ଦାୟିତ୍ୱ ତୁଲାଇ ଥିବା ବେଳେ ଧାର୍ମିକ ଭାବନାକୁ ବିଶ୍ୱାସ ରଖି ବହୁ ପ୍ରଶାସକ, ମନ୍ତ୍ରୀ, ବିଧାୟକ, ସାଂସଦ ଏହି ପୀଠକୁ ଆସିଥାନ୍ତି। ସୂଚନା​ଯୋଗ୍ୟ, ପ୍ରତିବର୍ଷ ମାର୍ଗଶିର ମାସ ଓଢଣଷଷ୍ଠୀ ଦିବସରେ ପଞ୍ଚସଖା ଯୁଗର ମହାପୁରୁଷ ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଅଚ୍ୟୁତାନନ୍ଦ ଦାସ, ଜଗନ୍ନାଥ ଦାସଙ୍କ ମଧ୍ୟରୁ ଅନ୍ୟତମ ସିଦ୍ଧ ସାଧକ ମହାପୁରୁଷ ମଧ୍ୟମଣି ଯଶୋବନ୍ତ ଦାସ ଗୋସ୍ୱାମୀଙ୍କ ପୀଠ ଲୋକାରଣ୍ୟ ହୋଇପଡେ। ସେହିଦିନ ଏହି କ୍ଷେତ୍ରକୁ ଆସି ଦର୍ଶନ କଲେ ପୁରୀ ଶ୍ରୀ କ୍ଷେତ୍ରର ପୁଣ୍ୟ ମିଳେ ବୋଲି ପ୍ରବାଦ ରହିଛି। ହେଲେ ଏହି ପୀଠର ଉନ୍ନତି ପାଇଁ କାହାରି ଉଦ୍ୟମ ନଥିବା ଅଞ୍ଚଳବାସୀଙ୍କୁ ବ୍ୟଥିତ କରିଛି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେଲେ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe