Sambad
ଗାରୋଇ: ନାଉଗାଁ ବ୍ଲକ୍ କୋରୁଅ ପଞ୍ଚାୟତସ୍ଥିତ ଗାରୋଇ ଜଗନ୍ନାଥ ମନ୍ଦିର ସମ୍ମୁଖ ଓ ଫାଣ୍ତି କଡ଼ରେ ୨୦୦୪ ମସିହାରେ ତତ୍କାଳୀନ ସରପଞ୍ଚ ଯଶୋଦା ସ୍ବାଇଁଙ୍କ କାର୍ଯ୍ୟକାଳ ସମୟରେ ଏକ ଯାତ୍ରୀ ବିଶ୍ରାମାଗାର ନାଉଗାଁ ପଞ୍ଚାୟତ ସମିତି ଓ କୋରୁଅ ପଞ୍ଚାୟତର ମିଳିତ ଆର୍ଥିକ ଅନୁଦାନରେ ନିର୍ମିତ ହୋଇଥିଲା। କିନ୍ତୁ କାଳକ୍ରମେ ଘରଟି ବିପଦସଙ୍କୁଳ ହୋଇଯିବାରୁ ୨୦୨୧ ମସିହାରେ ଏହାର ଉନ୍ନତୀକରଣ କରାଯାଇଥିଲା। ଏହାରି ମଧ୍ୟରେ ୨ବର୍ଷ ବିତିଯାଇଥିଲେ ମଧ୍ୟ ଏହାକୁ ଯାତ୍ରୀମାନେ ବ୍ୟବହାର କରିପାରୁ ନାହାନ୍ତି। ବର୍ତ୍ତମାନର ପଞ୍ଚାୟତ ଅଧିକାରୀ ପ୍ରସନ୍ନ ପରିଡ଼ା ଏ ସମ୍ପର୍କରେ ଉତ୍ତର ଦେଇ କହିଛନ୍ତି; ପୂର୍ବତନ ସରପଞ୍ଚ ଅରଣ୍ୟ ନାୟକଙ୍କ ସମୟରେ ପଞ୍ଚାୟତ ପକ୍ଷରୁ ପ୍ରସ୍ତାବ କରାଯାଇ ଏହି ଗୃହଟିକୁ ଭଡ଼ାସୂତ୍ରରେ ଡାହାଣିଖିଆ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଦିଆଯାଇଛି। ଯାତ୍ରୀ ବିଶ୍ରାମାଗାରଟିକୁ ଜନସାଧାରଣଙ୍କ ସେବାରେ ଲଗାଇବା ପାଇଁ ବର୍ତ୍ତମାନର ସରପଞ୍ଚ ସନ୍ଧ୍ୟାରାଣୀ ବେହେରା, ବିଡିଓଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଅଭିଯୋଗ କରିଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ସମାଧାନ ହୋଇପାରୁ ନାହିଁ।
ବିଶ୍ରାମାଗାର ସମ୍ପର୍କରେ ଗାରୋଇ ଗ୍ରାମର ସାମାଜିକ କର୍ମୀ ଯୁଧିଷ୍ଠିର ପାଳ, ବ୍ଲକ୍ ଜନସୂଚନା ଅଧିକାରୀଙ୍କୁ ସୂଚନା ଅଧିକାର ଆଇନରେ ତଥ୍ୟ ମାଗିଥିଲେ ମଧ୍ୟ ବ୍ଲକ୍ ପ୍ରଶାସନ କୌଣସି ଉତ୍ତର ଦେଇନଥିବା ଅଭିଯୋଗ କରିଛନ୍ତି। ତୁରନ୍ତ ଏହି ବିଶ୍ରାମାଗାରଟିକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ କାର୍ଯ୍ୟକ୍ଷମ କରାଇବା ପାଇଁ ଦାବି ହୋଇଛି। ଏନେଇ ବିଡିଓଙ୍କ ପଚାରିବାରୁ; ଏହି ମାମଲା ହାଇକୋର୍ଟରେ ବିଚାରାଧୀନ ଅଛି ବୋଲି କହିଥିଲେ। ବର୍ତ୍ତମାନର ସରପଞ୍ଚ ସନ୍ଧ୍ୟାରାଣୀ ବେହେରା ବ୍ଲକ୍ ପ୍ରଶାସନ ଉଦ୍ଦେଶ୍ୟରେ କହିଛନ୍ତି; ଯଦି ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଯାତ୍ରୀ ବିଶ୍ରାମାଗାରକୁ ଭଡ଼ାରେ ଦିଆଯାଉଛି, ତେବେ ପଞ୍ଚାୟତ କାର୍ଯ୍ୟାଳୟକୁ ବି ଭଡ଼ାରେ ଲଗାଯାଉ। ଯାତ୍ରୀ ବିଶ୍ରାମାଗାରଟିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ରାକେଶ ମଲ୍ଲିକ, ଆଲୋକ ବିଶ୍ବାଳ, କୃପାସିନ୍ଧୁ ବିଶ୍ବାଳ, ଚରଣ ମଲ୍ଲିକ, ନଗେନ୍ଦ୍ର ବିଶ୍ବାଳ ପ୍ରମୁଖ ନିବେଦନ କରିଛନ୍ତି।
Follow Us