ଏରସମାରେ ଜୱାଦ୍‌ ପ୍ରଭାବ, ଜୁଆର ମାଡ଼ି କଳାବେଦିଠାରୁ ରାମତରା ଜଳମଗ୍ନ

Advertisment
ଏରସମାରେ ଜୱାଦ୍‌ ପ୍ରଭାବ, ଜୁଆର ମାଡ଼ି କଳାବେଦିଠାରୁ ରାମତରା ଜଳମଗ୍ନ

ଏରସମା: ସାମୁଦ୍ରିକ ଝଡ଼ ଜୱାଦ୍‌ର ବିଶେଷ ପ୍ରଭାବ ଅନୁଭୂତ ହୋଇ ନଥିବା ବେଳେ ଏରସମା ବ୍ଲକର କଳାବେଦି ଠାରୁ ରାମତରା ପର୍ଯ୍ୟନ୍ତ ଜୁଆର ମାଡ଼ିଯାଇ ଖାଲୁଆ ଅଞ୍ଚଳ ଜଳମଗ୍ନ ହୋଇଛି। ଗତକାଲି ଠାରୁ ବାତ୍ୟା ଆଶଙ୍କାରେ ବ୍ଲକ୍‌ ପ୍ରଶାସନ ପକ୍ଷରୁ ବାତ୍ୟା ଆଶ୍ରୟସ୍ଥଳୀକୁ ଗୋଡ଼ା ପଞ୍ଚାୟତର ଭଜାଖିଆ ଗ୍ରାମର ପ୍ରାୟ ୨ ଶହ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଉଦ୍ଧାର କାର୍ଯ୍ୟ ନିମନ୍ତେ ଶିଆଳି ଠାରେ ଓଡ୍ରାଫ୍‌ ଟିମ୍‌କୁ ପ୍ରସ୍ତୁତ ରଖାଯାଇଥିଲା। ତେବେ ଶିଆଳି ଠାରେ ବାଲିବସ୍ତା ଓ ବହ୍ଲା ପୋତା ଯାଇଥିବାରୁ ପର୍ଯ୍ୟଟନ ବିଭାଗର ଭ୍ୟୁଟାୱାର୍‌କୁ ଜୁଆର କ୍ଷତି କରି ପାରି ନଥିଲା। କିନ୍ତୁ ବର୍ଷା ପ୍ରଭାବରେ ଧାନଚାଷ ବ୍ୟାପକ ଭାବେ ନଷ୍ଟ ହୋଇଛି। କ୍ଷେତରେ ଥିବା ପାଚିଲା ଧାନ ହାଲ୍‌କା ପବନ ଓ ବର୍ଷାରେ ପାଣି ଭର୍ତ୍ତିଥିବା ବିଲରେ ଶୋଇ ପଡ଼ିବା ଫଳରେ ଧାନ ଅମଳ ନେଇ ଆଶଙ୍କା ଦେଖାଦେଇଛି।

ବ୍ଲକ୍‌ର ପଦ୍ମପୁର, ଗଡ଼ହରିଶପୁର, ଗୋଡ଼ା, ଜାନକାଦେଇପୁର, ନାରଦିଆ, ସୋମପୁର, ପଏଦା, ପୋଖରୀଆପଡ଼ା, ଆମ୍ବିକି, ଜିରେଇଲୋ, ଏରସମା, କୃଷ୍ଣଚନ୍ଦ୍ରପୁର, ପଲ୍ଲୀକଣ୍ଟା, ଜପା, କୁଞ୍ଜକୋଠି, ଭିତର ଅନ୍ଧାରି, ନୁହାଡ଼ି, ବଳେଇପୁର ପଞ୍ଚାୟତଗୁଡ଼ିକରେ ବ୍ୟାପକ ଧାନଚାଷ କ୍ଷତି ହୋଇଛି। ପ୍ରତିବର୍ଷ ସାମୁଦ୍ରିକ ଝଡ଼ବାତ୍ୟା ଓ ସମୁଦ୍ର ଜୁଆରିଆ ହେବା ଫଳରେ ବିପଦ ଦେଖା ଦେଉଥିବାରୁ ଗଡ଼ହରିଶପୁର କଳାବେଦିର ନୋଳିଆ ସାହିଠାରୁ ଶିଆଳି ଦେଇ ରାମତରା ପର୍ଯ୍ୟନ୍ତ ସ୍ଥାୟୀ ପଥରବନ୍ଧ ନିର୍ମାଣ ନିମନ୍ତେ ସ୍ତାନୀୟ ସରପଞ୍ଚ କେଶବ ପାତ୍ର ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe