ଜୟପୁରରୁ ବିମାନ ଉଡ଼ାଣ ଭରିବ କେବେ?

Advertisment

କେନ୍ଦ୍ରମନ୍ତ୍ରୀ ଓ ସଚିବଙ୍କୁ ଭେଟିଲେ କୋରାପୁଟ ସାଂସଦ

କେନ୍ଦ୍ରମନ୍ତ୍ରୀ ଓ ସଚିବଙ୍କୁ ଭେଟିଲେ କୋରାପୁଟ ସାଂସଦ

ଜୟପୁରରୁ ବିମାନ ଉଡ଼ାଣ ଭରିବ କେବେ?

ରାୟଗଡ଼ା: ଅଧପନ୍ତରିଆ ବିମାନ ବନ୍ଦରର ନିର୍ମାଣ କାମ ସଂପୂର୍ଣ୍ଣ ସହ ତୁରନ୍ତ ବିମାନ ଚଳାଚଳ ଆରମ୍ଭ କରିବାକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଭେଟିଛନ୍ତି କୋରାପୁଟ ସାଂସଦ ଇଂ. ସପ୍ତଗିରି ଉଲାକା। ଅବିଭକ୍ତ କୋରାପୁଟ ଓ ଦକ୍ଷିଣ ଓଡ଼ିଶାର ବିକାଶ କ୍ଷେତ୍ରରେ ଜୟପୁର ବିମାନ ବନ୍ଦରର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବାରୁ ଅଗ୍ରାଧିକାର ଭିତ୍ତିରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ, ଏୟାରଷ୍ଟ୍ରିପ୍ ନିର୍ମାଣ ଏବଂ ଅନ୍ୟାନ୍ୟ ଦିଗ ପ୍ରତି ଗୁରୁତ୍ବ ଦେବାକୁ ସାଂସଦ ଦାବି କରିଛନ୍ତି।

୨୦୧୭ ମସିହାରେ ଜୟପୁର ବିମାନ ବନ୍ଦର କେନ୍ଦ୍ର ସରକାରଙ୍କ ଉଡ଼ାନ୍ ଯୋଜନାରେ ସାମିଲ୍ ହୋଇଥିଲା। ୫ ମାସ ମଧ୍ୟରେ ବିମାନ ବନ୍ଦରରୁ ବିମାନ ଉଡାଣ ଭରିବା ପାଇଁ ଆବଶ୍ୟକ କାର୍ଯ୍ୟ ସାରିବାକୁ କେନ୍ଦ୍ର ସରକାର ନିର୍ଦେଶ ଦେଇଥିଲେ। ବିଭିନ୍ନ ବିମାନ ବନ୍ଦରରୁ ଜୟପୁରକୁ ବିମାନ ଚଳାଚଳ ପାଇଁ ସରକାର ଏୟାର ଓଡ଼ିଶାକୁ ଲାଇସେନସ୍ ମଧ୍ୟ ପ୍ରଦାନ କରିଥିଲେ। କିନ୍ତୁ କିଛି ଦିନ ମଧ୍ୟରେ ଲାଇସେନସକୁ ଅଟକାଇ ଦେଇଥିଲେ। ସେହି ଏକା ସମୟରେ ଉଡାନ୍ ଯୋଜନାରେ ସାମିଲ୍ ଅନ୍ୟ ରାଜ୍ୟ ଗୁଡ଼ିକର ବିମାନ ବନ୍ଦର ଇତି ମଧ୍ୟରେ କାର୍ଯ୍ୟକ୍ଷମ ହେବା ସହ ଜାତୀୟସ୍ତରର ବିଭିନ୍ନ ବନ୍ଦରକୁ ଉଡ଼ାଣ ଆରମ୍ଭ କରିଛି। ଅଥଚ ଜୟପୁର ବିମାନ ବନ୍ଦରର ସର୍ବନିମ୍ନ କାର୍ଯ୍ୟ ଶେଷ ହୋଇପାରିନି। ଆଞ୍ଚଳିକ ସଂଯୋଗୀକରଣ ଯୋଜନାରେ ଜୟପୁର ବିମାନ ବନ୍ଦରକୁ ଅର୍ନ୍ତଭୁକ୍ତ କରିବାକୁ କେନ୍ଦ୍ର ସହମତି ଦେବାକୁ ଇତି ମଧ୍ୟରେ ୩ ବର୍ଷ ବିତି ଯାଇଛି। ଉଡାନ୍-୪ ଯୋଜନାରେ ବିମାନ ବନ୍ଦର କାର୍ଯ୍ୟକ୍ଷମ ହେବା ଆଶଙ୍କା ରହିଛି।

ହେଲେ ପ୍ରକଳ୍ପ କାମ ଆଖିଦୃଶିଆ ବଦଳରେ ମନ୍ଥର ଗତିରେ ଚାଲିଛି। ଲାଇସେନସ୍ ପ୍ରକ୍ରିୟା ବିଚରାଧୀନ ରହିଥିବା ବେଳେ ୧୫ ହଜାର ମିଟର ରନୱେ ୨୩ ହଜାର ମିଟରକୁ, ମୋଟେଇ ୧୫ ମିଟରରୁ ୨୨ ମିଟରକୁ ସଂପ୍ରସାରଣ କାମ ମଧ୍ୟ ଅଟକିଛି। ଭର୍ଚୁଆଲ୍ ଫ୍ଲାଇଟ୍ ନିୟମ ଏବଂ ଯନ୍ତ୍ରପାତି ଉଡାନ୍ ନିୟମ ଅନୁଯାୟୀ ଏଟିଆର-୭୨ ବିମାନ ଅବତରଣ ପାଇଁ ଅତିରିକ୍ତ ଜମିର ଆବଶ୍ୟକତା ରହିଛି। ବିମାନ ବନ୍ଦର ପାଇଁ ଆବଶ୍ୟକ ୧୨୮ ଏକର ଜମିରୁ କେବଳ ୫୪ ଏକର ଘରୋଇ ଜମି ଅଧିଗ୍ରହଣ ସରିଛି। ପୂର୍ବରୁ ନିଲାମ ପ୍ରକ୍ରିୟାରେ ଏହି ରୁଟ୍ ପାଇଁ ଘରୋଇ ସଂସ୍ଥା ଗୁଡ଼ିକ ଆଗ୍ରହ ଦେଖାଉ ନଥିଲେ। ଘରୋଇ ସଂସ୍ଥା ଏବେ ଆଗ୍ରହୀ ଥିବାରୁ ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଂସଦ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ପୁରୀଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। କେନ୍ଦ୍ର ମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ ବିଭାଗୀୟ ସଚିବ ଉଷା ପାଢ଼ୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe