ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଇବ ଝାଡ଼େଶ୍ବର ମନ୍ଦିର, ପ୍ରଶାସନିକ ସ୍ତରରେ ପ୍ରକ୍ରିୟା ଆରମ୍ଭ  

Advertisment
ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଇବ ଝାଡ଼େଶ୍ବର ମନ୍ଦିର, ପ୍ରଶାସନିକ ସ୍ତରରେ ପ୍ରକ୍ରିୟା ଆରମ୍ଭ  
ନାରାୟଣପାଟଣା : କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ସଦର ମହକୁମା ଐତିହାସିକ ସହର ହୋଇଥିଲା ବେଳେ ଏଠାରେ ଅନେକ କୀର୍ତ୍ତିରାଜି ରହିଛି। ଏଠାରେ ରାଜା ଶାସନ ସମୟର କୋଠା ସହ ଅନେକ ଭଙ୍ଗା କୀର୍ତ୍ତି ରହିଛି। ସେହିପରି ନାରାୟଣପାଟଣା ଜଗନ୍ନାଥ ମନ୍ଦିର ପଛପଟେ ବୋହି ଯାଇଥିବା ଝଞ୍ଜାବତୀ ନଦୀ, ଗଡ଼ଚଣ୍ଡି, ଚୈତ୍ରାଇ ଠାକୁରାଣୀ, ଦୁଇଟି ନଦୀର ମିଳନ ସ୍ଥଳରେ ଝାଡ଼େଶ୍ବର ମନ୍ଦିର ଭଳି ଅନେକ କୀର୍ତ୍ତିରାଜ ରହିଛି। ଏହି ଅଞ୍ଚଳକୁ ଥରେ କେହି ବାହାରୁ ଆସିଲେ ଏଠାରେ ଥିବା ଆକର୍ଷଣୀୟ ସ୍ଥଳ ଗୁଡ଼ିକ ନିଶ୍ଚୟ ବୁଲି ଦେଖିଥାନ୍ତି। ବିଶେଷ କରି ଝାଡ଼େଶ୍ବର ମନ୍ଦିର ଓ ଜଗନ୍ନାଥ ମନ୍ଦିର ଦେଖିବାକୁ ସବୁବେଳେ ବାହାର ଅଞ୍ଚଳରୁ ପର୍ଯ୍ୟଟକ ମାନେ ଆସି ବୁଲି ଦେଖିବା ସହ ପୂଜାର୍ଚ୍ଚନା କରି ଫେରିଥାନ୍ତି। ତେବେ ବିଳମ୍ବରେ ହେଲେ ବି ଝାଡ଼େଶ୍ବର ମନ୍ଦିରକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦେବା ପ୍ରଶାସନିକ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଖୁସିବ୍ୟକ୍ତ କରିଛନ୍ତି।
ନାରାୟଣପାଟଣା ଦେଇ ବୋହି ଯାଇଥିବା ଝଞ୍ଜାବତୀ ଏବଂ ଚମ୍ପାବତୀ ଦୁଇଟି ନଦୀର ମିଳନ ସ୍ଥଳରେ ରହିଛି ଝାଡ଼େଶ୍ବର ମନ୍ଦିର। ନାରାୟଣପାଟଣାରୁ ପ୍ରାୟ ଅଧା କିମି ଦୂରରେ ଏହି ମନ୍ଦିର ରହିଛି। ମନ୍ଦିର ଏଭଳି ସ୍ଥାନରେ ସ୍ଥାପନ ହୋଇଛି ଯେ କେହି ଦେଖିଲେ ଆଶ୍ଚର୍ଯ୍ୟ ପ୍ରକଟ କରୁଛନ୍ତି। ଏଠାରେ ନୂତନ ପୋଲ ନିର୍ମାଣ ହେବା ପୂର୍ବରୁ ବର୍ଷା ଦିନରେ ବନ୍ୟା ଆସିଲେ ମନ୍ଦିରର ସ୍ଥଳ ଭାଗ ନଦୀରେ ବୁଡ଼ି ରହୁଥିଲା। କିନ୍ତୁ ମନ୍ଦିରର କୌଣସି କ୍ଷତି ହୋଇ ନଥାଏ। ତେବେ ଗତ କିଛି ବର୍ଷ ତଳେ ଏହି ମନ୍ଦିରର ରୂପରେଖ ପରିବର୍ତ୍ତନ କରାଯାଇ ସୌନ୍ଦର୍ଯ୍ୟୀକରଣ କରାଯାଇଥିଲା। ଏହାପରେ ଏଠାକୁ ଅଧିକ ସଂଖ୍ୟାରେ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି। ତେଣୁ ଏହି ମନ୍ଦିରକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦେବାକୁ ବିଭିନ୍ନ ମହଲରେ ଦାବି ହୋଇ ଆସୁଥିଲା। ତେବେ ନାରାୟଣପାଟଣାରେ ନୂତନ କରି ଯୋଗଦେଇଥିବା ତହସିଲଦାର ଏନ୍.ଜଗଜୀବନ ଚୌଧୁରୀ ସ୍ଥାନୀୟ ଅଞ୍ଚଳବାସୀଙ୍କ ଦାବିକୁ ଯଥାର୍ଥତା ମନେ କରି ଏହି ଅଞ୍ଚଳର ଐତିହାସିକ ସ୍ଥଳ ଗୁଡ଼ିକୁ ପର୍ଯ୍ୟଟନ ସ୍ଥଳ ମାନ୍ୟତା ଦେବା ପାଇଁ ପ୍ରଶାସନିକ ସ୍ତରରେ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପ୍ରଥମେ ଝାଡ଼େଶ୍ବର ମନ୍ଦିରକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦେବା ସହ ଏହାର ବିକାଶ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଏଥିପାଇଁ ଝାଡ଼େଶ୍ବର ମନ୍ଦିର ନିକଟରେ ପର୍ଯ୍ୟଟନ ପ୍ରତୀକ୍ଷାଳୟ ନିର୍ମାଣ କରିବାକୁ ୧୮ ସେଣ୍ଟ ସରକାରୀ ଜାଗା ଚିହ୍ନଟ କରାଯାଇଛି। ଏଥିସହ ନଦୀ ଉପରେ ଝୁଲା ପୋଲ ନିର୍ମାଣ କରିବାକୁ ମଧ୍ୟ ଜାଗା ଚିହ୍ନଟ କରାଯାଇଛି। ଏନେଇ ଗତ ଜୁଲାଇ ମାସରେ ଜିଲ୍ଲାପାଳଙ୍କୁ ଚିଠି କରି ପ୍ରସ୍ତାବ ପଠାଯାଇଥିବା ସେ କହିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe