ଏମ୍‌ସିଏଲ୍‌ ଲଖନପୁର ଜିଏମ୍‌ଙ୍କୁ ମାଡ଼ ଘଟଣା: ୪ ମହିଳା ଗିରଫ

Advertisment
ଏମ୍‌ସିଏଲ୍‌ ଲଖନପୁର ଜିଏମ୍‌ଙ୍କୁ ମାଡ଼ ଘଟଣା: ୪ ମହିଳା ଗିରଫ

ଇବ୍‌ ଥର୍ମାଲ/ଝାରସୁଗୁଡ଼ା: ବନହରପାଲି ଥାନା ଅନ୍ତର୍ଗତ ଏମ୍‌ସିଏଲ୍‌ର ଲଖନପୁର କ୍ଷେତ୍ର କାର୍ଯ୍ୟାଳୟରେ ପ୍ରବେଶ କରି ୪ ଜଣ ମହିଳା ଜିଏମ୍‌ ସଞ୍ଜୟ ଝା’ଙ୍କୁ ଦାଦାବଟି ମାଗିବା ସହିତ ସେମାନଙ୍କ ପିଲାଙ୍କୁ ଚାକିରି ଦେବାକୁ ଦାବି କରିଥିବା ଅଭିଯୋଗରେ ୪ଜଣଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପାର୍ବତୀ ବେହେରା(୪୨), ବ୍ରଜରାଜନଗର ଥାନା ଗଙ୍ଗାନଗରର ବିୟୁଟି ଶ୍ରୀବାସ୍ତବ(୩୭), ଲକ୍ଷ୍ମୀ ଦାସ(୩୦), ଓରିଏଣ୍ଟ ଥାନା ଦୁର୍ଗାନଗରର ବିନି ଦାଶ(୪୨)।

ଶ୍ରୀ ଝା’ଙ୍କ ଅଭିଯୋଗ ଅନୁସାରେ, ଆଜି ଦିନ ପ୍ରାୟ ୧୨ଟା ସମୟରେ ଜିଏମ୍‌ କାର୍ଯ୍ୟାଳୟରେ ବୃକ୍ଷରୋପଣ ସମ୍ପର୍କୀତ ମନ୍ତ୍ରୀଙ୍କ ଆଭାସି ବୈଠକ ଚାଲିଥିଲା। ଏହି ସମୟରେ ଅଭିଯୁକ୍ତ ୪ ମହିଳା ତାଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଥିଲେ। ଶ୍ରୀ ଝା’ ସେମାନଙ୍କୁ ପଚାରିବା ପରେ ସେମାନେ ଦାଦା ବଟି ମାଗିବା ସହିତ ସେମାନଙ୍କ ପିଲାଙ୍କୁ ଚାକିରିରେ ଲଗାଇ ଦେବାକୁ କହିଥିଲେ। ତେବେ ଆଲୋଚନା କରିବା ପାଇଁ ଶ୍ରୀ ଝା’ ସେମାନଙ୍କୁ ନିଜ ଚାମ୍ବରକୁ ଡାକିଥିଲା। ଶ୍ରୀ ଝା’ ଆଗେ ଆଗେ ଯାଇ ନିଜ ଚଉକିରେ ବସିବାକୁ ଯାଉଥିବା ବେଳେ ପଛରୁ ଶ୍ରୀମତି ବେହେରା ଆସି ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ଚପଲରେ ଆକ୍ରମଣ କରିଥିଲେ। ତେବେ ମହିଳାମା‌ନେ ଉଦ୍ଦେଶ୍ୟମୂଳକ ଭାବେ ଆସି ତାଙ୍କ ଉପରେ ଆକ୍ରମଣ କରିଥିବା ନେଇ ଶ୍ରୀ ଝା’ ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ ବନହରପାଲି ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିବା ସହିତ ଅଭିଯୁକ୍ତଙ୍କୁ ଅଟକ ରଖିଥିଲା। ତେବେ ଅଭିଯୁକ୍ତମାନେ ବେକାର ଯୁବକ ଯୁବତୀଙ୍କଠାରୁ ଅର୍ଥ ସଂଗ୍ରହ କରି ନିଯୁକ୍ତି ଦେବେ ବୋଲି ପ୍ରତିଶ୍ରୁତି ଦେଉଛନ୍ତି ଓ ଉକ୍ତ ଯୁବକ ଯୁବତୀଙ୍କ ନିଯୁକ୍ତି ପାଇଁ ଚାପ ସୃଷ୍ଟି କରିବାକୁ ଏହି ଆକ୍ରମଣ ହୋଇଥାଇପାରେ ବୋଲି ଶ୍ରୀ ଝା’ ଅଭିଯୋଗ କରିଛନ୍ତି। ବେଆଇନ୍‌ ଭାବେ ନିଯୁକ୍ତିକୁ ସେ ସମର୍ଥନ କରୁନଥିବାରୁ ଅନେକ ଲୋକ ଅସନ୍ତୁଷ୍ଟ ଅଛନ୍ତି। ତେଣୁ ଆକ୍ରମଣକାରୀମାନେ ସେମାନଙ୍କ ମଧ୍ୟରୁ ହୋଇଥିବାର ଆଶଙ୍କା କରାଯାଉଥିବା ସେ କହିଛନ୍ତି। ‌ସେପଟେ, ଭାଇରାଲ୍‌ ହେଉଥିବା ଭିଡିଓରେ ଅଭିଯୁକ୍ତ ପାର୍ବତୀ ବେହେରା, ତାଙ୍କ ଜମି ଯାଇଥିବା ନେଇ କହୁଥିବା ବେଳେ ବାରମ୍ବାର ସେ ଗିରଫ ହେବା ପାଇଁ ପ୍ରସ୍ତୁତ ବୋଲି କହୁଥିବା ଶୁଣିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe