ବଞ୍ଜାରି ଆଶ୍ରମ ସ୍କୁଲରେ ବ୍ୟାପୁଛି ଝାଡ଼ାବାନ୍ତି: ସଂଖ୍ୟା ପହଞ୍ଚିଲା ୪୩ରେ

Advertisment
ବଞ୍ଜାରି ଆଶ୍ରମ ସ୍କୁଲରେ ବ୍ୟାପୁଛି ଝାଡ଼ାବାନ୍ତି: ସଂଖ୍ୟା ପହଞ୍ଚିଲା ୪୩ରେ

ଝାରସୁଗୁଡ଼ା/ଇବ୍‌ଥର୍ମାଲ: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍‌ ଅନ୍ତର୍ଗତ ବଞ୍ଜାରି ଆଶ୍ରମ ସ୍କୁଲରେ ବ୍ୟାପୁଛି ଝାଡ଼ାବାନ୍ତି। ଗତ ୧ ତାରିଖରୁ ସ୍କୁଲର ଛାତ୍ରୀନିବାସରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲୁଥିବା ବେଳେ ଏହା ୪୩ରେ ପହଞ୍ଚିଛି। ସ୍ଥିତି ଗୁରୁତର ହେବାରୁ ସ୍କୁଲ ପରିସରରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ କ୍ୟାମ୍ପ କରି ଆକ୍ରାନ୍ତଙ୍କର ଚିକିତ୍ସା ଆରମ୍ଭ କରିଛି। ଝାଡ଼ାବାନ୍ତି ବ୍ୟାପିବାକୁ ଇତି ମଧ୍ୟରେ ୩ ଦିନ ବିତି ସାରିଥିଲେ ସୁଦ୍ଧା ସଂକ୍ରମଣର କାରଣ ସ୍ପଷ୍ଟ ହୋଇପାରିନି। ତେବେ ଲକ୍ଷଣକୁ ଦେଖି ଏହା ଖାଦ୍ୟ ବିଷକ୍ରିୟା ଜନିତ ବୋଲି ଆଶଙ୍କା କରାଯାଉଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ନିମାଇଁ ଚରଣ ନାୟକ କହିଛନ୍ତି।
ସୂଚନା ଅନୁସାରେ, ଗତ ୩୧ ତାରିଖରେ ସ୍କୁଲର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଥିଲା। ଉକ୍ତ ରାତିରେ ଛାତ୍ରାବାସ ଓ ଛାତ୍ରୀନିବାସ ପାଇଁ ଭିନ୍ନ ଭିନ୍ନ ରୋଷେଇ ହୋଇଥିଲା। ତେବେ ଛାତ୍ରୀନିବାସ ଅନ୍ତେବାସୀମାନେ ଉକ୍ତ ଖାଦ୍ୟ ଖାଇବା ପରେ ଅସୁସ୍ଥ ଅନୁଭବ କରିଥିଲେ। ଖାଇବାର କିଛି ସମୟ ପରଠାରୁ ପ୍ରଥମେ ୬ ଜଣ ଛାତ୍ରୀଙ୍କୁ ବାନ୍ତି ଓ ପରେ ଝାଡ଼ା ହୋଇଥିଲା। ଏହା ପରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଶୁକ୍ରବାର ଯାଏ ୩୮ ଜଣ ଛାତ୍ରୀ ଆକ୍ରାନ୍ତ ହୋଇଥିବା ବେଳେ ଆଜି ଆ‌ଉ ୫ ଜଣ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ମଧ୍ୟରୁ ୨ ଜଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ, ୧୨ ଜଣ ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ବେଳେ ଅନ୍ୟମାନଙ୍କୁ ସ୍କୁଲରେ କରାଯାଇଥିବା କ୍ୟାମ୍ପରେ ଚିକିତ୍ସା କରାଯାଉଥିବା ଜଣାପଡ଼ିଛି।

ସେପଟେ, ଛାତ୍ରୀନିବାସର ରୋଷେଇ ଘରର ପରିମଳ ଶୋଚନୀୟ ଅବସ୍ଥାରେ ରହିଥିବା ବେଳେ ତାହା ସଂକ୍ରମଣର ଏକ କାରଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଡାକ୍ତରୀ ଟିମ୍‌ ପହଞ୍ଚି ପିଇବା ପାଣି ଓ ଖାଦ୍ୟ ନମୁନା ସଂଗ୍ରହ କରିଛନ୍ତି। ଛାତ୍ରୀନିବାସକୁ ଯୋଗାଣ ହେଉଥିବା ପାଣିରେ କ୍ଲୋରିନ୍‌ ଓ ବ୍ଲିଚିଂ ପାଉଡ଼ର ପକାଯାଇଥିବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ମଧ୍ୟ ଲଖନପୁର ହସ୍ପିଟାଲରେ ପହଞ୍ଚି ଆକ୍ରାନ୍ତଙ୍କୁ ଭେଟିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe