Herd of bush elephants, in Amboseli national park, south Kenya.
ଝାରସୁଗୁଡ଼ା: ଟ୍ରେନ୍ ଦୁର୍ଘଟଣାରେ ହାତୀ ମରିବା ଘଟଣାକୁ ବନ ବିଭାଗ ହେଉ କି ରେଳ ବିଭାଗ ଗୁରୁତ୍ୱ ଦେଲା ଭଳିଆ ଜଣା ପଡ଼ୁନାହିଁ। ଉଭୟ ବିଭାଗ କେବଳ ନିଜ ନିଜ ପଦର ସୁରକ୍ଷା କିପରି କରିବେ ସେ ନେଇ ରାତାରାତି ଉଦ୍ୟମ କରିଥିବା ଅଭିଯୋଗ ହେଉଛି। ବାଗଡିହି ରେଞ୍ଜର ଯେଉଁ ସ୍ଥାନରେ ଏହି ଦୁର୍ଘଟଣା ଘଟି ୪ ହାତୀ ମଲେ ସେହି ସ୍ଥାନରେ ବନ ବିଭାଗ ଉଚ୍ଚପଦସ୍ଥ ଅଧିକାରୀ ଆସିବା ପୂର୍ବରୁ ୨ଟି ସ୍ଥାନରେ ବୋର୍ଡ ଲଗାଇବା ଘଟଣା ଏବେ ପଦାକୁ ଆସିଛି। ଘଟଣା ଘଟିଲା ରବିବାର ରାତି ସାଢ଼େ ୩ ଟାରେ। ପରଦିନ ରାଜ୍ୟ ମୁଖ୍ୟ ବନ ସଂରକ୍ଷକ ସନ୍ଦୀପ ତ୍ରିପାଠୀ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଏହି ସମୟରେ ତାଙ୍କୁ ଦେଖାଇବା ପାଇଁ ରାତାରାତି ଟ୍ରେନ୍ ଲାଇନ୍ କଡ଼ରେ ଦୁଇଟା ବୋର୍ଡ଼ ଲଗାଇ ଦିଆଯାଇଥିଲା।
ହାତୀଙ୍କ ଚଲାପଥ ହୋଇଥିବାରୁ ଟ୍ରେନ୍ର ଗତି କମାଇବା ପାଇଁ ବୋର୍ଡ଼ରେ ସୂଚନା ଦିଆଯାଇଥିଲା। ବନ ବିଭାଗ ନିଜର ସୁରକ୍ଷା କରି ରେଳ ବିଭାଗକୁ ଦାୟୀ କରିବା ପାଇଁ ଏପରି କରିଥିବା ସ୍ପଷ୍ଟ ଜଣାପଡ଼ୁଥିଲା। ତେବେ ଟ୍ରେନ୍ ଲାଇନ୍ କଡ଼ରେ ଏହି ବୋର୍ଡ଼କୁ କଣ ଟ୍ରେନ୍ ଚାଳକ ରାତିରେ ଦେଖି ପାରିବ? ବୋର୍ଡ଼ଟି ଯେପରି ଟ୍ରେନ୍ ଚାଳକର ଦୃଷ୍ଟିରେ ପଡ଼ିବ ସେଥିପାଇଁ ତାକୁ ସେ ଦେଖି ପାରିବା ଉଚ୍ଚତାରେ ଲଗାଯିବା କଥା। ରାତିରେ ଦେଖିବା ପାଇଁ ବୋର୍ଡ଼ରେ ରେଡ଼ିଅମ ଅକ୍ଷରରେ ଲେଖାଯିବା କଥା ଏହା ନକରି ରାତାରାତି କମ୍ ଉଚ୍ଚତାରେ ଦୁଇଟି ବୋର୍ଡ଼ ଲଗାଇ ଦେଲେ ହାତୀଙ୍କ ଜୀବନ ରକ୍ଷା ହେବ ନାହିଁ ବୋଲି ସ୍ଥାନୀୟ ଅଧିବାସୀ ଅଭିଯୋଗ କରିଛନ୍ତି। ଏପଟେ ରେଳ ବିଭାଗ ମଧ୍ୟ ୪ଟି ହାତୀ ମୃତ୍ୟୁ ଘଟଣାରେ ନିଜ କର୍ମଚାରୀଙ୍କ ଭୁଲ ଲୁଚାଇବା ପାଇଁ ବ୍ୟଗ୍ର ଥିବା ଜଣାଯାଇଛି। ଘଟଣା ପରେ ପରେ ରେଳ ବିଭାଗ ବନ ବିଭାଗକୁ ଦାୟୀ କରିବା ଆରମ୍ଭ କରି ଦେଇଥିଲା। ବନ ବିଭାଗ ଟ୍ରେନ୍ର ଗତି କମାଇବା କିମ୍ବା ହାତୀ ଆସୁଥିବା ସଂପର୍କରେ ସୂଚନା ଦେଇନଥିବା କଥା ଦୋହରାଇଥିଲା। ଏପଟେ ଡ଼ିଏଫ୍ଓ ଏବଂ ଏସିଏଫ୍ ଗଣମାଧ୍ୟମ ଠାରୁ ଦୂରରେ ରହିବାକୁ ଉଦ୍ୟମ କଲେ। ଆଜି ପଯ୍ୟର୍ନ୍ତ ଏହି ଅଧିକାରୀମାନେ କାହାରି ଫୋନ୍ କଲ ଗ୍ରହଣ କରିନାହାନ୍ତି କି ଅଫିସକୁ ଗଲେ ଦେଖା କରୁନାହାନ୍ତି।
Follow Us