ଆମ୍ବଦରହ ରାସ୍ତାରେ ବିପଦସଙ୍କୁଳ ପୋଲ

ଆମ୍ବଦରହ ରାସ୍ତାରେ ବିପଦସଙ୍କୁଳ ପୋଲ

ବ୍ରଜରାଜନଗର: ରାଜପୁର ପଞ୍ଚାୟତରେ ଥିବା ଆମ୍ବଦରହ ଗାଁର ଲୋକସଂଖ୍ୟା ୬୦୦ରୁ ଅଧିକ। ଗାଁଟି ଏକ ଆଦର୍ଶ ଗ୍ରାମ ଭାବେ ୨୦୦୦ ମସିହା ପରଠାରୁ ବିବେଚିତ ହୋଇଆସିଛି। ସ୍ୱଚ୍ଛତା ଅଭିଯାନରେ ଏହି ଗାଁ ବହୁ ଆଗରେ। କିନ୍ତୁ, ରାସ୍ତାଘାଟ ସମସ୍ୟା ସମାଧାନ ହୋଇପାରୁନାହିଁ। ବଘରାଚକାରୁ ୩.୫ କିମି ରାସ୍ତା ରହିଛି। ରାସ୍ତା ଉପରେ ରହିଥିବା ପୋଲଟି ବହୁ ଦିନରୁ ବିପଦସଂକୁଳ ଅବସ୍ଥାରେ ଥିଲେ ବି ଏହାର ନିର୍ମାଣ କିମ୍ବା ମରାମତି ହେଉନାହିଁ। ପୋଲର ତଳ ଅଂଶ ନଷ୍ଟ ହୋଇଗଲାଣି। କୌଣସି ମୁହୂର୍ତରେ ବି ଏହା ଉପରେ ଥିବା ସ୍ଲାବ୍‌ ଖସି ପଡ଼ିବାର ଆଶଙ୍କା ରହିଛି। ୨୦୧୩ରେ ରାସ୍ତାଟିକୁ ନିର୍ମାଣ କରିବା ପାଇଁ ଆରଡି ପକ୍ଷରୁ ପଦକ୍ଷେପ ନିଆଯାଇ ଟେଣ୍ଡର କରାଯାଇଥିଲା। ହେଲେ, ଏହି ରାସ୍ତାର ୨ କିମିରୁ ଅଧିକ ଅଞ୍ଚଳ ମଧ୍ୟରେ ଜଙ୍ଗଲ ଥିବାରୁ ବିଭାଗ କାମ ବନ୍ଦ କରି ଦେଇଥିଲା।

ପରେ ବନ ବିଭାଗ ଅନୁମତି ପରେ ଏହାର ପୁନଃଟେଣ୍ଡର ହୋଇଥିଲେ ମଧ୍ୟ ଠିକାଦାର କାମ ଆରମ୍ଭ କରି ନଥିବା ଜଣାପଡ଼ିଛି। ରାସ୍ତାରେ ଥିବା ଏହି ପୋଲ ଦେଇ ଗାଁକୁ ୨ ଚକିଆ/୪ ଚକିଆ ଯାନବାହନ ଯାତାୟାତ କରିଥାଏ। ଗାଁକୁ ମଧ୍ୟ ସ୍କୁଲ ବସ ଯାଉଥିଲା। ପୋଲର ଅବସ୍ଥା ଠିକ ନଥିବାରୁ ଦୁର୍ଘଟଣା ଆଶଙ୍କା କରି ସ୍କୁଲ ବସ ବନ୍ଦ ହୋଇଯାଇଛି। ଏଥିପାଇଁ ଗ୍ରାମବାସୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପୋଲଟି ଯଦି କୌଣସି କାରଣରୁ ଭାଙ୍ଗିଯାଏ, ତେବେ ଗାଁକୁ ଆମ୍ବୁଲାନ୍‌ସ ଯିବା ମଧ୍ୟ ବନ୍ଦ ହୋଇଯିବ ବୋଲି ଆଶଙ୍କା କରିଛନ୍ତି ଗ୍ରାମବାସୀ। ବେଲପାହାଡ଼-ସୁନ୍ଦରଗଡ଼ ମଧ୍ୟରେ ଗ୍ରିନଡୋଲାଠାରେ ଲୋଟସ ବ୍ରିଜ୍‌ ଭାଙ୍ଗି ଯିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ବାବଦରେ କୌଣସି ସମୀକ୍ଷା ମଧ୍ୟ ହୋଇ ନଥିବା ଜଣାପଡ଼ିଛି। ଖଣି କର୍ତୃପକ୍ଷ ମଧ୍ୟ ଧ୍ୟାନ ଦେଇନାହାନ୍ତି। ଗ୍ରାମାଞ୍ଚଳରେ ସାଧାରଣ ଯାତ୍ରୀଙ୍କ ଯାତାୟାତକୁ ଉପେକ୍ଷା କରାଯାଉଛି ବୋଲି ସାଧାରଣରେ ଅଭିଯୋଗ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe