ରାତି ଅଧରେ ଘରୁ ଡାକି ମରଣାନ୍ତକ ଆକ୍ରମଣ: ବାପ-ପୁଅ ଗୁରୁତର

ରାତି ଅଧରେ ଘରୁ ଡାକି ମରଣାନ୍ତକ ଆକ୍ରମଣ: ବାପ-ପୁଅ ଗୁରୁତର

ଇବ୍‌ଥର୍ମାଲ୍‌: ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ ତିଲିଆ ପଞ୍ଚାୟତର ଠୁରୋପାଲି ଗାଁରେ ସୋମବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଘରୁ ଡାକି ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିବା ପଳରେ ଗାଁର ଅଗସ୍ତି ବଢ଼େଇ (୫୪) ଓ ପୁଅ ଭରତ ବଢ଼େଇ (୨୪) ଗୁରୁତର ଭାବେ ଆହତ ହୋଇଛନ୍ତି। ମିଳିଥିବା ସୂଚନାନୁସାରେ ଅଗସ୍ତି ଓ ଭରତ ରାତିରେ ଖାଇ ପିଇ ପରିବାର ଲୋକଙ୍କ ସହ ଘରେ ଶୋଇଥିଲେ। ରାତି ପ୍ରାୟ ସାଢ଼େ ୧୨ଟା ବେଳେ କିଛି ଲୋକ କବାଟ ବାଡ଼େଇ ଅଗସ୍ତିଙ୍କ ନାଁ ଧରି ଡାକିଥିଲେ। ଫଳରେ ସେ ଉଠି କବାଟ ବନ୍ଦ ଥିବା ଅବସ୍ଥାରେ ହିଁ ଭିତରୁ ରହି ସେମାନଙ୍କ ସହ କଥାବାର୍ତ୍ତା କରିଥିଲେ। ଦୁର୍ବୃତ୍ତମାନେ ତାଙ୍କ ଗାଡ଼ିର ତେଲ ସରି ଯାଇଛି ଓ କିଛି ଟଙ୍କା ଧାର ଦେବାକୁ କହିଥିଲେ। ମାତ୍ର ଅଗସ୍ତି ରାଜି ନ ହେବାରୁ ‘ଠିକ୍‌ ଅଛି ଆମେ ଯାଉଛୁ’ ବୋଲି କହିଥିଲେ। ମାତ୍ର ପ୍ରକୃତରେ ସେମାନେ ନ ଯାଇ ସେଠାରେ ଲୁଚି ରହିଥିଲେ।

ପ୍ରାୟ  ମିନିଟ୍‌ ଯିବା ପରେ ସେମାନେ ଚାଲିଯାଇଥିବା ଭାବି ଅଗସ୍ତି ପୁଅ ଭରତକୁ ନେଇ କବାଟ ଖୋଲି ବାହାରକୁ ପରିସ୍ରା ବାହାରିଥିଲେ। ଏହି ସମୟରେ ଲୁଚି ରହିଥିବା ୫ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ବାପ-ପୁଅଙ୍କୁ ମାଡ଼ି ବସି ଧାରୁ ଆସ୍ତ୍ରରେ ଆଘାତ କରିବାରୁ ସେମାନେ ଗୁରୁତର ଭାବେ ଆହତ ହୋଇଥିଲେ। ସେମାନଙ୍କ ପାଟି ଶୁଣି ଘରେ ଥିବା ମୂକ ବଧିର ହେମନ୍ତ ବଢ଼େଇ ବାହାରକୁ ଆସି ଦେଖିବା ପରେ ପାଟି କରିବାରୁ ଗାଁ ଲୋକେ ପହଞ୍ଚି ଯାଇଥିଲେ। ଫଳରେ ଦୁର୍ବୃତ୍ତମାନେ ଫେରାର୍‌ ହୋଇଯାଇଥିଲେ। ଖବର ପାଇ କୁମ୍ଭାରବନ୍ଧ ଫାଣ୍ଡି ଅଧିକାରୀ ସୁରେଶ ଭଇଁଷା ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ଆହତ ଦ୍ୱୟଙ୍କୁ ବେଲପାହାଡ଼ ଜାହାଙ୍ଗୀର ଗାନ୍ଧି ହସ୍‌ପିଟାଲ୍‌କୁ ପଠାଇବା ସହ ତଦନ୍ତ ଆରମ୍ଭ କରିଥିଲେ। ପ୍ରାଥମିକ ତଦନ୍ତ ବେଳେ ଏକ ୪ ଚକିଆ ଗାଡ଼ିରେ ୬ ଜଣ ଦୁର୍ବୃତ୍ତ ଆସିଥିବା ଜଣାପଡ଼ିଛି। ଆକ୍ରମଣରେ ଅଗସ୍ତିଙ୍କ ବାମ ଜଙ୍ଘ, ବାମ ଅଣ୍ଟା ଓ ବାମ ହାତ ପାପୁଲି ତଥା ଭରତଙ୍କ ବେକ ଓ ବାମ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଦୁର୍ବୃତ୍ତମାନେ କେଉଁଠୁ ଆସିଥିଲେ ଓ ସେମାନଙ୍କ ଉଦ୍ଦେଶ୍ୟ କ’ଣ ଥିଲା ତାହା ସ୍ପଷ୍ଟ ହୋଇ ନଥିବା ବେଳେ ତାଙ୍କର କାହା ସହିତ କିଛି ଶତ୍ରୁତା ନଥିବା ଅଗସ୍ତି ପୁଲିସ୍‌କୁ କହିଛନ୍ତି। ଦୁର୍ବୃତ୍ତମାନଙ୍କୁ ଶୀଘ୍ର ଗିରଫ କରି କଠୋର ଦଣ୍ଡ ଦିଆଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe