ବେଲପାହାଡ଼ରେ ପରାକ୍ରମ ଦିବସ:ଚକଡ଼ା ଗିଳୁଛି ଫସଲ

୩୦୦ ହେକ୍ଟର ପ୍ରଭାବିତ, ଚାଷୀ ଆତଙ୍କିତ:ସ୍ଥିତି ନିୟନ୍ତ୍ରଣରେ:କୃଷି ବିଭାଗ

ବେଲପାହାଡ଼ରେ ପରାକ୍ରମ ଦିବସ:ଚକଡ଼ା ଗିଳୁଛି ଫସଲ

ବେଲପାହାଡ଼: ଗୁମାଡେରା ସହିଦ ସ୍ତମ୍ଭଠାରେ ଗତ ୨୯ ତାରିଖରୁ ଚାଲିଥିବା ପରାକ୍ରମ ଦିବସ ଅବସରରେ କାର୍ଯ୍ୟକ୍ରମ ସୋମବାର ଉଦଯାପିତ ହୋଇଯାଇଛି। ଦୁଇ ବର୍ଷ ତଳେ ୨୮ ଓ ୨୯ ସେପଟେମ୍ବରରେ ପାକିସ୍ତାନ ସୀମାରେ ଭାରତୀୟ ସେନାର ପରାକ୍ରମର ସ୍ମୃତିରେ ଏବଂ ଆତଙ୍କବାଦ ବିରୋଧରେ ଭାରତୀୟ ନୀତିକୁ ଦ୍ବାହି ଦେଇ ଏହି ଉତ୍ସବ ପ୍ରତିବର୍ଷ ପାଳନ କରାଯାଉଛି। ସର୍ଜିକାଲ ଷ୍ଟ୍ରାଇକ୍ ଦିବସ ଭାବେ ପାଳନ କରାଯାଉଥିବା ପରିପ୍ରେକ୍ଷୀରେ ବେଲପାହାଡ଼ର ସୁବଳ ମେହେର, ସହିଦ କୌଶିକ ମିଶ୍ରଙ୍କ ପିତା ଅଶୋକ ମିଶ୍ରଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ। ବରିଷ୍ଠ ସାମ୍ବାଦିକ ଜୟକୃଷ୍ଣ ମହାପାତ୍ର, କହ୍ନେଈ ସେଠ, ପୃଥ୍ବୀରାଜ ସିଂହଦେଓ ଓ ସଂଜୟ ସିଂହ ପ୍ରମୁଖ ଯୋଗ ଦେଇଥିଲେ। ସଞ୍ଜୟ ସିଂ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଲଇକେରା: ଜମିରେ ପାଣି ନାହିଁ। ଅଧିକ ବାୟୁମଣ୍ଡଳୀୟ ଆର୍ଦ୍ରତା ଏବଂ ଅତ୍ୟଧିକ ଖରା ସ୍ଥିତିରେ ଚାଷ ଜମିରେ ଚକଡ଼ା ରୋଗ ବ୍ୟାପିବାରେ ଲାଗିିଛି। ଲଇକେରା ବ୍ଲକ୍ ଭାତଲଇଡ଼ା, ଲଇକେରା, ମୁଦ୍ରାଯୋର, ନିକ୍ତିମାଲ, କୁଲେମୁରା, ଖୁନ୍ତାମାଲ, ସାହାସପୁର ଆଦି ପଞ୍ଚାୟତରେ ଚାଷୀ ଚକଡ଼ା ରୋଗାକ୍ରାନ୍ ଫସଲକୁ ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି। କୁଲେମୁରା ପଞ୍ଚାୟତ ଗମ୍ଭାରୀଗୁଡ଼ା ଗଁାର ସୁମନ୍ତ ପଟେଲ ପ୍ରତୀଡ଼ା ଧାନ ଧାଡ଼ିରୁଆ ପ୍ରଣାଳୀରେ ବୁଣିଥିଲେ। କୀଟନାଶକ ଠିକ ବ୍ୟବଧାନ ଓ ପରିମାଣରେ ସିଞ୍ଚନ କରିଥିଲେ ମଧ୍ୟ ତାଙ୍କ ଫସଲରେ ଚକଡ଼ା ଲାଗିଛି। ଧାଡ଼ିରୁଆ ଧାନ ଚାଷ ମଧ୍ୟ ଚକଡ଼ାକୁ ଦମନ କରିବାରେ ବିଫଳ ହୋଇଥିବା ଚାଷୀ ମହଲରେ ଅଭିଯୋଗ ହେଉଛି। କୃଷି ବିଭାଗ ଅଧିକାରୀ ନୀଳମାଧବ ନାଏକ ଏ ସଂକ୍ରାନ୍ତରେ କହିଛନ୍ତି ଯେ କୀଟନାଶକ ମହଜୁଦ ରହିଛି। କର୍ମଚାରୀ ଅଭାବ ଯୋଗୁଁ କ୍ଷେତ୍ର ପରିଦର୍ଶନରେ ଅସୁବିଧା ହେଉଥିବା ସେ ଦର୍ଶାଇଥିଲେ। ସାହାସପୁରରେ ଜଣେ ସହକାରୀ କୃଷି ଅଧିକାରୀଙ୍କ ପଦ ଖାଲି ପଡ଼ିଛି। ଏହି ସ୍ଥିତି ଚକଡ଼ା ନିୟନ୍ତ୍ରଣ ନେଇ ପ୍ରଚାର ପ୍ରସାର ହୋଇପାରୁ ନାହିଁ। ବର୍ତ୍ତମାନ ସୁଦ୍ଧା ୩୦୦ ହେକ୍ଟର ଜମିରେ ଚକଡ଼ା ଲାଗିଥିବା କୃଷି ବିଭାଗ ପାଖରେ ରିପୋର୍ଟ ରହିଛି। ବାସ୍ତବିକ ସ୍ଥିତି ଏହାଠାରୁ ଅଧିକ ବୋଲି ଚାଷୀମାନେ କହୁଛନ୍ତି। ‘ଅଧିକ କୀଟନାଶକ ଲାଗିଲେ ମଗାଇବୁ’ ବୋଲି ଶ୍ରୀ ନାଏକ କହିଛନ୍ତି। ମା’ ଅନ୍ଧାରୀ କୃଷକ ସଂଘ ସଭାପତି ସାଗର କୁମୁରା ଅଭି‌ଯୋଗ କରିଛନ୍ତି ଯେ ସାରା ବ୍ଲକରେ ଚକଡ଼ା ଲାଗିଛି। କୃଷି ବିଭାଗ ପାଖରେ ବାସ୍ତବିକ ରିପୋର୍ଟ ନାହିଁ। ୧୦୦ ଏମଏଲ କୀଟନାଶକ ଯଥେଷ୍ଟ ନଥିବା ସେ କହିବା ସହ ଏନେଇ ସଠିକ ଆକଳନ ସହ ଠୋସ ସହାୟତା ପାଇଁ ସେ ଦାବି କରିଛନ୍ତି।
ୟୁରିଆ ସାରର ଅଧିକ ବ୍ୟବହାର ଏବଂ ପଟାଳି କରି ଧାନ ନ ଲଗାଯିବା ଯୋଗୁଁ ଚକଡ଼ା ବ୍ୟାପୁଥିବା କୁହାଯାଉଛି। ୧ ଫୁଟ ବ୍ୟବଧାନରେ ପୂର୍ବରୁ ପଶ୍ଚିମକୁ ଧାନ ଲଗାଇବାର ପ୍ରଣାଳୀ ରହିଛି। ସକାଳେ ଓ ସଂଧ୍ୟାରେ ସୂର୍ଯ୍ୟ କିରଣ ଧାନ ଗଛର ମୂଳରେ ପଡ଼ିଲେ ଏବଂ ବାୟୁ ଚଳପ୍ରଚଳ ରହିଲେ ତାପମାତ୍ରା ନିୟନ୍ତ୍ରଣ ସହ ଧାନ ଗଛରେ ଚକଡ଼ା ବ୍ୟାପିବ ନାହିଁ ବୋଲି କୃଷି ବିଶେଷଜ୍ଞଙ୍କ ମତ ରହିଛି। ୧ ଏକର ଜମି‌ରେ ୨୦୦ ଲିଟର ପାଣିରେ କୀଟନାଶକ ସିଞ୍ଚନ କରୁଥିବା ବେଳେ ଚାଷୀମାନେ ସ୍ଥଳବିଶେଷରେ ୬୦-୮୦ ଲିଟର ପାଣି ବ୍ୟବହାର କରୁଥିବା ଦେଖାଯାଉଛି। ଅନ୍ୟପକ୍ଷରେ ଚକଡ଼ା ନିୟନ୍ତ୍ରଣରେ ଥିବା ନେଇ କୃଷି ଅଧିକାରୀ କହୁଛନ୍ତି। ବାସ୍ତବିକ ସ୍ଥିତି ହେଲା, ବିଶେଷଜ୍ଞ ଏବଂ କୀଟନାଶକ କମ୍ପାନିର ପରାମର୍ଶକୁ ବାଦ ‌ଦେଇ ଚଳିତ ବର୍ଷ ଚକଡ଼ା ‌େପାକ ବହୁଳ ଭାବେ ଲାଗିଛି। ଏହି ସ୍ଥିତିରେ ଚାଷୀମାନେ ଉପଯୁକ୍ତ ସହାୟତା ଓ ପରାମର୍ଶ ଦାବି କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe