ଜଳଭଣ୍ଡାରରେ ଡଂଗାବୁଡ଼ି ଘଟଣା:ନିଖୋଜ ରଘୁମଣିଙ୍କ ଶବ ଠାବ

ଜଳଭଣ୍ଡାରରେ ଡଂଗାବୁଡ଼ି ଘଟଣା:ନିଖୋଜ ରଘୁମଣିଙ୍କ ଶବ ଠାବ

ଇବ୍‌ଥର୍ମାଲ: ଗତ ଶନିବାର ମାଛ ମାରିବାକୁ ଯାଇଥିବା ବେଳେ ହୀରାକୁଦ ଜଳଭଣ୍ଡାରର ଠେଲା ପାଣି ଭଟଲି କଟାର ଏକ ଦଳପୂର୍ଣ୍ଣ ସ୍ଥାନରେ ଫସି ଯାଇ ନିଖୋଜ ହୋଇଥିବା ବୃଦ୍ଧ ରଘୁମଣି ବିଶ୍ୱାଳ (୪୮)ଙ୍କ ଶବକୁ ମଂଗଳବାର ଠାବ କରାଯାଇଛି। ଉକ୍ତ ଦିନ ମଧ୍ୟାହ୍ନ ପରେ ଡଂଗା ବୁଡ଼ି ଯିବାରୁ ଏହି ଅଘଟଣ ଘଟିଛି। ଘଟଣାର ପ୍ରାୟ ୮୦ ଘଣ୍ଟା ପରେ ବନହରପାଲି ପୁଲିସ୍‌, ଇବ୍‌ଥର୍ମାଲ ଅଗ୍ନିଶମ ବାହିନୀ, ଝାରସୁଗୁଡ଼ା ଓଡ୍ରାଫ ସହାୟତାରେ ଏହି ଉଦ୍ଧାର କାର୍ଯ୍ୟ କରାଯାଛି।

ସୂଚନା ଅନୁସାରେ, ତିଲିଆ ପଞ୍ଚାୟତ ନୂଆପଡ଼ା ଗାଁର ରଘୁମଣି ସେହି ଗାଁର ଲୋକନାଥ ପଧାନ (୫୧)ଙ୍କ ସହ ମାଛମରା ଜାଲ ଖୋଲିବା ପାଇଁ କଟା ଅଂଚଳକୁ ଯାଇଥିଲେ। ଡଂଗାଟି ଦଦରା ଥିବାରୁ ଅଧିକ ଓଜନରେ ବୁଡ଼ି ଯାଇଥିଲା। ଲୋକନାଥ ପାଣିକୁ ଡେଇଁ ପଡ଼ି କୌଣସି ପ୍ରକାର କୂଳରେ ଲାଗି ଜୀବନ ବଂଚାଇଥିବା ବେଳେ ରଘୁମଣି ଫସି ଯାଇଥିଲେ। ରଘୁମଣି ଉକ୍ତ ଦଳପୂର୍ଣ୍ଣ ପାଣି ଭିତରେ ଥିବା ଅମରୀ ବୁଦା ମଧ୍ୟରେ ଫସି ଯାଇଥିଲେ। ମଂଗଳବାର ତାଙ୍କ ଶବକୁ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ରଘୁମଣି ତିଲିଆରେ ତୃତୀୟ ଓ ଚତୁର୍ଥ ୟୁନିଟ ସଂପ୍ରସାରଣ ଅନ୍ତର୍ଗତ ଆସପଣ୍ଡ କାମରେ ଜଗୁଆଳି ଭାବେ ନିୟୋଜିତ ଥିବାରୁ ତାଙ୍କ ପରିବାର ବର୍ଗଙ୍କୁ ଠିକା ସଂସ୍ଥା ପକ୍ଷରୁ ୪୦ ହଜାର ଟଙ୍କା, ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ଏବଂ ସରକାରଙ୍କ ଆପାତକାଳୀନ ସହାୟତା ପାଣ୍ଠିରୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଯୋଗାଇ ଦେବାକୁ ମଂଗଳବାର ପ୍ରତିଶ୍ରୁତି ଦିଆଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe