ଚୋରା ମଦ ବିକ୍ରି ବିରୋଧରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ଚୋରା ମଦ ବିକ୍ରି ବିରୋଧରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ଲଇକେରା: କିର୍ମିରା ବ୍ଲକ୍‌ ଅଂଚଳରେ ଚୋରା ମଦର କାରବାର ବଢ଼ି ଚାଲିଛି। ପାନ ଦୋକାନ, ଚା’ ଦୋକାନ, ଫାଷ୍ଟଫୁଡ ଦୋକାନରେ ଖୁଲମଖୁଲ୍ଲା ଚାଲିଛି ମଦର ପସରା। ଭୀମଯୋର ପଞ୍ଚାୟତ ହଣ୍ଡାତୁପା ଗାଁର ଏସଏଚଜି ସଦସ୍ୟାମାନେ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି। ଗାଁକୁ ନିଶାମୁକ୍ତ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଏଥିପାଇଁ ସେମାନଙ୍କ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିର ଦ୍ୱାରସ୍ଥ ହୋଇଥିଲେ। ଜିଲ୍ଲାପାଳଙ୍କୁ ଦୃଷ୍ଟି ଆକର୍ଷଣ କରାଯିବା ସତ୍ତ୍ୱେ ଗାଁରେ ବେଆଇନ ମଦର କାରବାର ବନ୍ଦ ହେଉ ନଥିବାରୁ ମହିଳାଙ୍କୁ ବିସ୍ମିତ କରିଛି। ଦ୍ୱିତୀୟ ଥର ଏସବୁ ମଦ କାରବାର ବନ୍ଦ କରିବା ପାଇଁ ଉକ୍ତ ମହିଳାମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି।

ମହିଳାମାନେ ଏକଜୁଟ ହୋଇ ରାତିରେ ଚୋରା ମଦ ବେପାରୀ ଏବଂ ବିକ୍ରି ବିରୋଧରେ ପହରା ଦେଉଥିବା ମଧ୍ୟ ଜଣାପଡ଼ିଛି। ଏନେଇ ସଚେତନତା ସୃଷ୍ଟି କରୁଛନ୍ତି। ଚୋରା ମଦ ବିକ୍ରି କରୁଥିବା ବ୍ୟକ୍ତି ତଥା ବେପାରୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ମହିଳାମାନେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି। ମଦ ଯୋଗୁଁ ଅଂଚଳରେ ଅଶାନ୍ତିର ବାତାବରଣ ରହୁଥିବା ବେଳେ ବିଭିନ୍ନ ପରିବାରରେ ଘରୋଇ କଳି ଏବଂ ସଂଧ୍ୟା ସମୟରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ସଂକ୍ରାନ୍ତରେ ଏସଏଚଜି ପକ୍ଷରୁ ଅଭିଯୋଗ କରାଯାଇଛି। ଏହା ବିରୋଧରେ ଆଖିଦୃଶିଆ ପଦକ୍ଷେପ ନେଲେ ଚୋରା ମଦ କାରବାର ବନ୍ଦ ହୋଇପାରନ୍ତା ବୋଲି ସଚେତନ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe