ବଢ଼ି ଚାଲିଛି ଅପରାଧ:ହଜିଯାଉଛି ଶିଳ୍ପନଗରୀର ସତ୍ତା

ବଢ଼ି ଚାଲିଛି  ଅପରାଧ:ହଜିଯାଉଛି ଶିଳ୍ପନଗରୀର ସତ୍ତା

ଝାରସୁଗୁଡ଼ା: ଝାରସୁଗୁଡ଼ା ଭଳି ଶିଳ୍ପ ସମୃଦ୍ଧ ଜିଲ୍ଲାରୁ ବର୍ତ୍ତମାନ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ବାହାରେ ଅସୁରକ୍ଷିତ ଭାବେ କାର୍ଯ୍ୟ କରି ପ୍ରାଣ ହରାଉଛନ୍ତି। କିନ୍ତୁ, ଏକଦା ଏଠାରେ ଝାରସୁଗୁଡ଼ା ଶିଳ୍ପନଗର ହେବାର ଗୌରବ ଅର୍ଜନ କରିଥିବା ବେଳେ ଗୋଟିଏ ପରେ ଗୋଟିଏ ଶିଳ୍ପ ବନ୍ଦ ହୋଇଯାଉଛି। ଏହାର ସିଧାସଳଖ ପ୍ରଭାବ ବିଭିନ୍ନ କ୍ଷେତ୍ରରେ ପଡିଛି। ଜିଲ୍ଲାର ଅର୍ଥନୈତିକ ଅଭିବୃଦ୍ଧି, ନିଯୁକ୍ତି ଓ ବ୍ୟବସାୟରେ ମାନ୍ଦାବସ୍ଥା ଆସିଯାଇଛି। ସବୁକିଛି ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ପ୍ରଭାବିତ ହୋଇଛି। ଜିଲ୍ଲାରେ ଦ୍ରୁତ ଗତିରେ ବେକାରୀ ସମସ୍ୟା ବଢ଼ିଥିବା ବେଳେ ବହୁ ବେକାର ଯୁବକ ବିପଥଗାମୀ ହୋଇ ଅପରାଧିକ କାଯ୍ୟର୍କଳାପରେ ସଂପୃକ୍ତ ରହୁଥିବା ମଧ୍ୟ ନଜିର ରହୁଛି।
୨୦୦୦ ମସିହା ପରେ ଜିଲ୍ଲାରେ ଶିଳ୍ପର ଦ୍ରୁତ ଅଭିବୃଦ୍ଧି ଘଟିଥିଲା। ଝାରସୁଗୁଡ଼ାର ଗୁରୁତ୍ୱ ବୃଦ୍ଧି ପାଇଥିଲା। ୨୦୦୧ ମସିହାରେ ଜିଲ୍ଲା ସଦର ମହକୁମା ହିର୍‌ମା ପଞ୍ଚାୟତରେ ଏସ୍‌ଏମ୍‌ସି କାରଖାନା ଓ ସିଙ୍ଘଲ ସ୍ପଞ୍ଜ୍‌ ଆଇରନ୍‌ କାରଖାନା ପ୍ରତିଷ୍ଠା ହୋଇଥିଲା। ବଡ଼ମାଳ ପଞ୍ଚାୟତରେ ଏସ୍‌ପିଏଲ୍‌ କାରଖାନା, ଜମେରା ନିକଟରେ ଆକ୍‌ସନ୍‌ ଇସ୍ପାତ, ଲହଣ୍ଡାବୁଡ଼ ଠାରେ ଇଏସ୍‌ପିଏଲ୍‌ କାରଖାନା, ପଣ୍ଡରୀପଥର ନିକଟରେ ଏମ୍‌ଏସ୍‌ପି କାରଖାନା, ସିରିଆପାଲି ନିକଟରେ ମାଧବ ଇସ୍ପାତ, ରଘୁନାଥପାଲି ନିକଟରେ ଜୟ ହନୁମାନ କାରଖାନା, ଶ୍ରୀପୁରା ଠାରେ ଏଲ୍‌ଏନ୍‌ ମେଟାଲିକ୍‌, ଭୁର୍କାମୁଣ୍ଡାରେ ବେଦାନ୍ତ କାରଖାନା ପ୍ରତିଷ୍ଠା ହୋଇଥିଲା। ଅନେକ ଛୋଟ ବଡ଼ ସ୍ପଞ୍ଜ୍‌ ଆଇରନ୍‌ କାରଖାନା ଯୋଗୁଁ ଜିଲ୍ଲାର ଅର୍ଥନୀତିରେ ଅନେକ ଆଖିଦୃଶିଆ ପରିବର୍ତ୍ତନ ଆସିଥିଲା। କାରଖାନା ଚାଲିବା ଫଳରେ ସାରା ଭାରତ ବର୍ଷରୁ ବହୁ ବ୍ୟବସାୟିକ ସଂସ୍ଥା, ବୈଷୟିକ ସଂସ୍ଥା, ଯୋଗାଣକାରୀ ସଂସ୍ଥା ଓ ନିର୍ମାଣକାରୀ ସଂସ୍ଥା ଏଠାରେ ଡ଼େରା ପକାଇ କାରଖାନା ପରିଚାଳନାରେ ସହଯୋଗ ଆରମ୍ଭ କରିଥିଲେ। ସଂପୃକ୍ତ ବିଭିନ୍ନ ସଂସ୍ଥାରେ ହଜାର ହଜାର ନିଯୁକ୍ତି ସୃଷ୍ଟି ହୋଇଥିଲା। ଶିଳ୍ପ କାରଖାନା ଯୋଗୁଁ ପ୍ରତିଦିନ ବାହାରୁ ଶତାଧିକ ଲୋକଙ୍କ ସୁଅ ଛୁଟିଥିଲା। ନିଯୁକ୍ତି ବୃଦ୍ଧି ପାଇଥିବା ବେଳେ ଲୋକଙ୍କ ଆବଶ୍ୟକତା ମଧ୍ୟ ବୃଦ୍ଧି ପାଇଥିଲା। ବ୍ୟବସାୟରେ ଏକ ବଡ଼ ଧରଣର ପରିବର୍ତ୍ତନ ହୋଇଥିଲା।

ଝାରସୁଗୁଡ଼ା ସହରରେ ରହିବା ପାଇଁ ଭଡ଼ା ଘରର ଅବଶ୍ୟକକୁ ଦୃଷ୍ଟିରେ ରଖି ଶତାଧିକ ଗୃହ ଓ ଆପାର୍ଟମେଣ୍ଟ ନିର୍ମାଣ ହୋଇଛି। ସେହି ଅନୁଯାୟୀ ବଡ଼ ବଡ଼ ହୋଟେଲ ପ୍ରତିଷ୍ଠା ହୋଇଛି। ଏହି ହୋଟେଲ ଗୁଡ଼ିକରେ ରହିବା ପାଇଁ ବିଭିନ୍ନ ବର୍ଗର ଲୋକଙ୍କ ରୁଚି ଅନୁଯାୟୀ କୋଠରୀ ପ୍ରସ୍ତୁତ ହୋଇଛି। ସହରରେ ବଡ଼ ବଡ଼ ବ୍ୟବସାୟ ପ୍ରତିଷ୍ଠାନ, ମଲ୍‌ ଖୋଲିଛି। ତେବେ ବିଭିନ୍ନ କାରଣ ଯୋଗୁଁ ଗଢ଼ି ଉଠିଥିବା ଶିଳ୍ପ ଗୁଡ଼ିକ ଗୋଟିଏ ପରେ ଗୋଟିଏ ବନ୍ଦ ହୋଇ ଯାଇଥିଲା। ହାତଗଣତି ୩/୪ ଟି ଶିଳ୍ପକୁ ଛାଡ଼ି ଦେଲେ ଏବେ ପ୍ରାୟ ସବୁ ବନ୍ଦ ହୋଇଯାଇଛି। କନ୍‌କାଷ୍ଟ, ମାଧବ ଇସ୍ପାତ, ଜୟ ହନୁମାନ, ଏମ୍‌ଏସ୍‌ପି, ଇଏସ୍‌ପିଏଲ୍‌, ସମଲେଇ ପ୍ଲାଣ୍ଟ ସମେତ ଅନେକ ପ୍ଲାଣ୍ଟ ବନ୍ଦ ହୋଇଯାଇଛି। ଫଳରେ ଜିଲ୍ଲାରେ ଏବେ ନିଯୁକ୍ତି ମୁଖ୍ୟ ସମସ୍ୟା ପାଲଟିଛି। ବେକାରୀ ସଂଖ୍ୟା ହୁହୁ ହୋଇ ବଢ଼ି ଚାଲିଛି। ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଅପରାଧ ରେକର୍ଡ଼ ମଧ୍ୟ ବୃଦ୍ଧି ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe